ନୂଆଦିଲ୍ଲୀ ୧୨।୦୯; ବିହାରରେ ଏକ ପାକିସ୍ତାନୀ X ହ୍ୟାଣ୍ଡେଲରୁ ବୋମା ବିସ୍ଫୋରଣ ଧମକ ମିଳିଛି। ଏହି ଧମକ ପରେ, ରାଜ୍ୟର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନୀ ଏକ୍ସ ହ୍ୟାଣ୍ଡେଲରୁ କୁହାଯାଇଛି ଯେ ଆଜି (ଶୁକ୍ରବାର) ଅପରାହ୍ନ ୪ଟାରେ ବିହାରର ସାର୍ବଜନୀନ ସ୍ଥାନରେ ଏକ ବୋମା ବିସ୍ଫୋରଣ ହେବ।

ସୂଚନା ଅନୁଯାୟୀ, ଗୁରୁବାର (ସେପ୍ଟେମ୍ବର ୧୧, ୨୦୨୫) ଦିନ ଅସଦ ନାମକ ହ୍ୟାଣ୍ଡେଲରୁ ବିହାର ପୋଲିସ ମୁଖ୍ୟାଳୟକୁ ପାକିସ୍ତାନରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଏପରି ପରିସ୍ଥିତିରେ, ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାର ସାର୍ବଜନୀନ ସ୍ଥାନ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ଧାର୍ମିକ ସ୍ଥଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୋଲିସ ମୁଖ୍ୟାଳୟ କହିଛି। ବୋମା ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ର ସାହାଯ୍ୟ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଗୁରୁଦ୍ୱାର ଏବଂ ସିଭିଲ୍ କୋର୍ଟକୁ ପୂର୍ବରୁ ଏପରି ଧମକ ମିଳିଛି

ପାଟନା ସାହିବ ଗୁରୁଦ୍ୱାର ଏବଂ ସିଭିଲ୍ କୋର୍ଟ ପୂର୍ବରୁ ମଧ୍ୟ ଏପରି ଧମକ ପାଇଛନ୍ତି।ଏହା ପରେ, ଗୁରୁଦ୍ୱାରକୁ ଖାଲି କରାଯାଇଥିଲା। ଅଗଷ୍ଟ ୨୯ ତାରିଖରେ ପାଟନା ସିଭିଲ୍ କୋର୍ଟ ଉପରେ ବୋମା ମାଡ଼ କରାଯିବାର ଧମକ ଦିଆଯାଇଥିଲା, ଯାହା ପରେ ସମଗ୍ର ପରିସର ତଲାସି କରାଯାଇଥିଲା।

ବର୍ତ୍ତମାନ ଏହି ଧମକ ଏପରି ଏକ ସମୟରେ ଆସିଛି ଯେତେବେଳେ ନେପାଳରେ ହିଂସାତ୍ମକ ପ୍ରତିବାଦ ଚାଲିଛି। ପ୍ରକାଶ ଥାଉକି, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାରଣରୁ, ସୁରକ୍ଷା ଏଜେନ୍ସିଗୁଡ଼ିକ ପୂର୍ବରୁ ସତର୍କ ଅଛନ୍ତି। ଏବେ ଦେଖିବାକୁ ପଡିବ ଯେ ଏହି ଧମକର ସଂଯୋଗ କ'ଛି।