LIVE TV

ମାତ୍ର ୪ ମିନିଟ୍ ଚାଲିଲା ଗୃହ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି

NEWS7
Assembly

ଭୁବନେଶ୍ବର ୧୯।୯: ସପ୍ତଦଶ ବିଧାନସଭା ଚତୁର୍ଥ ଅଧିବେଶନର ଦ୍ୱିତୀୟ ଦିନ ମାତ୍ର ୪ ମିନିଟ୍ ଚାଲିଲା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ଗୃହ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳରେ ରାଜ୍ୟରେ ସାରର ଅଭାବ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ । ଚାଷୀଙ୍କୁ ଆବଶ୍ୟକ ପରିମାଣରେ ସାର ଯୋଗାଇବା ଆମର ଦାବି ବୋଲି ବିଜେଡି ସଦସ୍ୟ କହିଥିଲେ । ଚାଷୀଙ୍କୁ ଧୋକା ଦେଇଛି ବିଜେପି ସରକାର । ସାର ମହଜୁଦ ଅଛି କଳାବଜାରୀ କରୁଛି କିଏ... ନାରାବାଜି କରିବା ସହ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ବାଚସ୍ପତି ବିଧାୟକଙ୍କୁ ପ୍ରଶ୍ନୋତ୍ତରରେ ସହଯୋଗ କରିବାକୁ ଅନୁରୋଧ କରିବା ସତ୍ତ୍ବେ ବିଜେଡି ସଦସ୍ୟମାନେ ନାରାବାଜି ଏବଂ ହଟ୍ଟଗୋଳ କରିଥିଲେ । ଏପଟେ କଂଗ୍ରେସ ସଦସ୍ୟ ନିଜ ସ୍ଥାନରେ ଠିଆହୋଇ ପ୍ରତିବାଦ ଜଣାଇଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛି ବିଜେଡି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ, ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ । କିନ୍ତୁ ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ । କଂଗ୍ରେସ ସାର ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିଲା ଆଲୋଚନା ହୋଇପାରିଥାନ୍ତା, ପ୍ରଶ୍ନରେ ବିଜେଡ଼ି କହିଲା ୧୫ ମିନିଟ କ'ଣ ଆଲୋଚନା ହୋଇପାରିବ କି ? ତେଣୁ ଆସନ୍ତାକାଲି ଠାରୁ ଯଦି ପ୍ରଶ୍ନକାଳ ବାତିଲ କରି ଆଲୋଚନା କରାନଯାଏ ତାହେଲେ ଗୃହ ଚଲାଇ ଦେବନାହିଁ ବୋଲି ଚେତାବନୀ ଦେଇଛି ବିଜେଡି ।

ବିଜେଡିକୁ କଡ଼ା କାଉଣ୍ଟର କଲା ବିଜେପି । ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି, ବିଜେଡ଼ି କେବଳ ମାଇଲେଜ୍ ଷ୍ଟଣ୍ଟ କରୁଛି । କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ କରି ଆଲୋଚନା କରାଇ ଦେଲାନି । ସମବାୟ ସମିତି ଆଗରେ ଜାଲ୍ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି ।

ସେପଟେ ଗୃହ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଆଜି ପ୍ରମାଣିତ ହୋଇଛି ବିଧାନସଭାରେ ବିଜେପି-ବିଜେଡି ଗୋଟିଏ ଦଳ । ସାର ଉପରେ ଆଲୋଚନା ପାଇଁ କଂଗ୍ରେସ ଦଳ ମୁଲତବୀ ପ୍ରସ୍ତାବ ଦେଇଥିଲା । କିନ୍ତୁ ଗୃହରେ ମାତ୍ର ୨ ମିନିଟ୍ ଆଲୋଚନା ପରେ ବାଚସ୍ପତି ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଲେ । ପରେ ଆଲୋଚନା ହୋଇପାରିଥାଆନ୍ତା । କିନ୍ତୁ ଜାଣିଶୁଣି ମିଳିମିଶି ବିଧାନସଭାକୁ ବନ୍ଦ କରିଛନ୍ତି ବିଜେଡି ଓ ବିଜେପି । ଲୋକଙ୍କ ଟ୍ୟାକ୍ସରେ ବିଧାନସଭା ଚାଲୁଛି । କିନ୍ତୁ ଆଲୋଚନା ନକରି ଗୃହ ବନ୍ଦ କରିବା ଦୁର୍ଭାଗ୍ୟଜନକ ।