ନୂଆଦିଲ୍ଲୀ ୦୮।୧୦: ଆସାମ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ନୂଆ। ସମ୍ପର୍କୀୟ ଭାଇ ସନ୍ଦିପନ ଗର୍ଗଙ୍କୁ ଗିରଫ କଲା ପୋଲିସ। ସନ୍ଦିପନ ଗର୍ଗ ଜଣେ ଆସାମ ପୁଲିସ ସେବା ଅଧିକାରୀ। ଘଟଣା ସମୟରେ ସେ ଜୁବିନଙ୍କ ସହିତ ଥିବା ଜଣାପଡ଼ିଛି। ଏହି ମାମଲାରେ ସିଆଇଡ଼ି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି।

ସନ୍ଦିପନ ଗର୍ଗଙ୍କ ଗିରଫଦାରୀ ବିଷୟରେ ସୂଚନା ଦେଇ ଏସଆଇଟି ମୁଖ୍ୟ ତଥା ସ୍ୱତନ୍ତ୍ର ଡିଜିପି ମୁନ୍ନା ପ୍ରସାଦ ଗୁପ୍ତା ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଆସାମ ପୁଲିସ APS ଅଧିକାରୀ ସନ୍ଦିପନ ଗର୍ଗଙ୍କୁ ଗିରଫ କରିଛି। ଜୁବିନ ଗର୍ଗଙ୍କ ମୃତ୍ୟୁ ସମ୍ପର୍କରେ CID କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ଏପର୍ଯ୍ୟନ୍ତ, ସିଆଇଡ଼ ଏହି ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ଇଭେଣ୍ଟ ଆୟୋଜକ ଶ୍ୟାମକାନୁ ମହାନ୍ତ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ତାଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ୱାମୀ, ସହ-କଣ୍ଠଶିଳ୍ପୀ ଅମୃତପ୍ରଭା ମହନ୍ତ ଏବଂ ବର୍ତ୍ତମାନ ତାଙ୍କ ଭାଇ, ଏପିଏସ ଅଧିକାରୀ ସନ୍ଦିପନ ଗର୍ଗ ସାମିଲ ଅଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଚେତାବନୀ ଦେଇଛନ୍ତି ଯେ, ଜୁବୀନ ଗର୍ଗଙ୍କ ମୃତ୍ୟୁ ସହିତ ଜଡିତ ହିଂସାକୁ ଉସକାଉଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିବେ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ଲୋକ ଆସାମକୁ ନେପାଳରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି। ଏପରି ବ୍ୟକ୍ତିମାନଙ୍କୁ କୌଣସି ମୂଲ୍ୟରେ ଛଡାଯିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ,ପୋଲିସ ଏହି ମାମଲାରେ ଗୌରବ ଗୋଗୋଇଙ୍କୁ ମଧ୍ୟ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।