ଭୁବନେଶ୍ବର: କୋର୍ଟରେ ବହୁ ମାମଲା ପେଣ୍ଡିଂ ରହିଛି। ବୈବାହିକ ବିବାଦ, ଜମିବାଡ଼ି ବିବାଦ ଓ ଅନ୍ୟାନ୍ୟ ଛୋଟ ଛୋଟ ମୋକଦ୍ଦମା ମଧ୍ୟ ପଡ଼ି ରହୁଛି। କିନ୍ତୁ ମେଡିଏସନ ଲ’ ମାଧ୍ୟମରେ କମ ସମୟରେ ସ୍ୱଳ୍ପ ଖର୍ଚ୍ଚରେ ଏହାକୁ ସମାଧାନ କରାଯିବ। ଓଡ଼ିଶାରେ ଦ୍ଵିତୀୟ ଜାତୀୟ ମେଡିଏସନ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବାବେଳେ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ। ସେ କହିଛନ୍ତି ମେଡିଏସନ ଲ’ ବା ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦ୍ଦମାକୁ ସମାଧାନ ଚିନ୍ତାଧାରା ନେଇ ଆଗକୁ ବଢ଼ିବାକୁ ଯୋଜନା କରାଯାଇଛି। ମେଡିଏସନ ଆଇନ ମାଧ୍ୟମରେ ପଡ଼ି ରହିଥିବା କୋଟି କୋଟି ମୋକଦ୍ଦମାର ସମାଧାନ ପାଇଁ ଉଦ୍ୟମ ଜୋରଦାର ହେଉଛି।

ତେବେ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ହେବାକୁ ଥିବା ମେଡିଏସନ ସମ୍ମିଳନୀରେ ସୁପ୍ରିମକୋର୍ଟ ସମେତ ଦେଶର ବିଭିନ୍ନ ହାଇକୋର୍ଟର ୧୭ ଜଣ ମୁଖ୍ୟ ବିଚାରପତି ଆସୁଛନ୍ତି। ମେଡିଏସନ ଇନଚାର୍ଜମାନେ ଆସୁଛନ୍ତି। ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ହେଉଛି ଏହାର ଉଦେଶ୍ୟ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି ଆର ଗଓ୍ବାଇଙ୍କ ସମେତ ୧୦ ଜଣ ବିଚାରପତି ସାମିଲ ହେବେ। ୨୦୦ ଡେଲିଗେଟ ବା ମେଡିଏସନ ସ୍ପେସିଆଲିଷ୍ଟ ସମ୍ମିଳନୀରେ ଯୋଗ ଦେବେ। ଭାରତର ପ୍ରାୟ ସମସ୍ତ ହାଇକୋର୍ଟ ବିଚାରପତି ଆସିବେ। ସେପ୍ଟେମ୍ବର ୨୭ ଓ ୨୮ ଦୁଇ ଦିନିଆ ସମ୍ମିଳନୀ ହେବ।

୨୭ ତାରିଖ ସନ୍ଧ୍ୟା ୬ଟା ୩୦ରେ ଉଦଘାଟନ ହେବ। ତା’ ପରଦିନ ୫ଟି ଟେକ୍ନିକାଲ ସେସନ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ଅନ୍ୟ ରାଜ୍ୟର ଆଇନ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ। ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଏଜି। ମେଡିଏସନ ଆକ୍ଟକୁ ରାଜ୍ୟରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଏହାଦ୍ୱାରା ଜୁଡିସିଆରୀ ଉପରେ ଚାପ କମିବ। ସୁପ୍ରିମକୋର୍ଟର ସମସ୍ତ ବରିଷ୍ଠ ଜଜ, ସମସ୍ତ ହାଇକୋର୍ଟର ଜଜ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ମେଡିଏସନର ବିଭିନ୍ନ ଦିଗ ବିଷୟରେ ଚର୍ଚ୍ଚା ହେବ। ଯାହା ଫଳରେ ଅନେକ ଦିଗଦର୍ଶନ ମିଳିବ। ରାଜ୍ୟରେ ନାରୀ ଅଦାଲତ ଆରମ୍ଭ ହୋଇଛି।

ଷ୍ଟେଟ ଲିଗାଲଲ ସର୍ଭିସ ଅଥରିଟି ସହ ଗ୍ରାମାଞ୍ଚଳ ବ୍ୟବସ୍ଥାକୁ ଯୋଡ଼ି ମଧ୍ୟସ୍ଥତା ଜରିଆରେ ସମାଧାନ ପାଇଁ ଉଦ୍ୟମ ହେବ। ସରକାର ଏହି ମଧ୍ୟସ୍ଥତା ଆଇନକୁ ସରକାର ତୃଣମୂଳ ସ୍ତରକୁ ନେବାକୁ ବ୍ୟାପକ ଯୋଜନା ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ। ଷ୍ଟେଟ ଲିଗାଲ ସର୍ଭିସ ଅଥରିଟି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଏହାର ସଠିକ କ୍ରିୟାନ୍ଵୟନ ପାଇଁ କାର୍ଯ୍ୟ କରିବାର ଯୋଜନା ହେଉଛି ବୋଲି କହିଲେ ଆଇନମନ୍ତ୍ରୀ। ସମ୍ମିଳନୀ ପାଇଁ ଉନ୍ମୋଚିତ ହେଲା ଥିମ୍। ଏଜି ଓ ଆଇନ ମନ୍ତ୍ରୀ କଲେ ଉନ୍ମୋଚନ। ଆଇନ ରୂପକ ନିକିତି ଓ ଖୋଲା ବହିକୁ ରଖାଯାଇଛି ଏହି ଥିମରେ।