LIVE TV

ଖୁବ୍‌ ଶୀଘ୍ର ହୋଇପାରେ ପିଏମ୍ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତକାର ! ବାଣିଜ୍ୟ ଚୁକ୍ତିକୁ ନେଇ ହୋଇପାରେ ଆଲୋଚନା

NEWS7
PM Narendra Modi and Donald Trump may meet soon !

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୋଝ କାରଣରୁ ତିକ୍ତ ହେବାରେ ଲାଗିଛି ଭାରତ- ଆମେରିକା ସମ୍ପର୍କ। ଅବଶ୍ୟ ଭାରତ ସରକାର ଟ୍ରମ୍ପଙ୍କ ଟାରିଫ୍‌ ପ୍ରଭାବକୁ ମାତ୍ ଦେବାକୁ ବିଭିନ୍ନ ପନ୍ଥା ଆପଣାଇଛନ୍ତି। ଏହାରି ମଧ୍ୟରେ ଆମେରିକା ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ଥିବା କଥା କହିଛନ୍ତି। ଏହା ସହ ସେ କହିଛନ୍ତି, ପିଏମ୍ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଖୁବ ଶୀଘ୍ର ଏକ ସାକ୍ଷାତକାରର ଯୋଜନା କରୁଛନ୍ତି। ଏହା ନିର୍ଦ୍ଧାରିତ ସମୟରେ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କରେ ଅନେକ ଚାପ ଆସିଲେ ମଧ୍ୟ ଦୁଇ ଦେଶ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି। ପିଏମ୍ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି। ଉକ୍ତ ଅଧିକାରୀ ଜଣକ ପିଏମ୍ ମୋଦୀ ଓ ଟ୍ରମ୍ପଙ୍କ ସାକ୍ଷାତକାର କଥା କହିବା ସହ, ଆଗକୁ ହେବାକୁ ଥିବା କ୍ୱାଡ ନେତାମାନଙ୍କ ସାକ୍ଷାତକାର ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ୱା ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା କ୍ୱାଡ ଦେଶମାନଙ୍କର ସମ୍ମିଳନୀ ହେବା ନେଇ ତାରିଖ ସ୍ଥିର ହୋଇପାରେ। ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାହାପରେ ଆମେରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଥାଉକି, ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆମେରିକା ଓ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ଚାପ ଯୋଗୁ ଟ୍ରମ୍ପ କ୍ୱାଡ ବୈଠକ ପାଇଁ ଭାରତ ଆସିବାକୁ ଚାହୁଁନଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ ଭୁଲ ପ୍ରମାଣିତ କରି ଉକ୍ତ ଅଧିକାରୀ ଜଣଙ୍କ ଦୁଇ ଦେଶର ସମ୍ପର୍କରେ ବର୍ତ୍ତମାନ ଅନେକ ସୁଧାର ଆସିଛି ବୋଲି କହିଛନ୍ତି। ଆଉ ଏଥିପାଇଁ ଟ୍ରମ୍ପ ଭାରତ ଆସିବାକୁ ରାଜିଥିବା ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରୁଷ ଠାରୁ ତେଲ କିଣି ୟୁକ୍ରେନ ଯୁଦ୍ଧକୁ ବଢ଼ାଉଥିବା ଅଭିଯୋଗରେ ଟ୍ରମ୍ପ ଭାରତ ଉପରେ ଟାରିଫ୍ ମାଡ଼ କରିଛନ୍ତି। ଫଳରେ ଭାରତର ଅନେକ ଉଦ୍ୟୋଗ ପ୍ରଭାବିତ ହୋଇଛନ୍ତି। ଏମିତିରେ ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ଅଧିକାରୀମାନେ ଆମେରିକା ସହ କଥାବାର୍ତ୍ତା ଜାରି ରଖିଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏହା ସହ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଓ ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀଥର ସିଧାସଳଖ କାମ କରୁଛନ୍ତି। ନିକଟରେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ଆମେରିକୀୟ ବିଦେଶ ମନ୍ତ୍ରୀ ରୁବିଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।