News7 Logo

ସେମିକଣ୍ଡକ୍ଟର ଅଭିଯାନରେ ରାଉଲକେଲା ଏନଆଇଟିର ବଡ଼ ଯୋଗଦାନ: ସେମିକନ୍‌ ଇଣ୍ଡିଆ ୨୦୨୫ରେ ପ୍ରଦର୍ଶିତ ହେଲା ଦୁଇ ଆଇସି ଡିଜାଇନ

NEWS7
NIT Rourkela asits two integrated circuit (IC) designs

ରାଉରକେଲା: NIT ରାଉରକେଲା ଭାରତର ବିକାଶଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଓଡିଶାକୁ ଗୌରବାନ୍ୱିତ କରିଛି। ନୂଆଦିଲ୍ଲୀର ଯଶୋଭୂମିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଙ୍ଗଳବାର ଉଦ୍‌ଘାଟିତ ହୋଇଥିବା ସେମିକନ୍‌ ଇଣ୍ଡିଆ ୨୦୨୫ ଇଭେଣ୍ଟରେ, NITର ଦୁଇଟି ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ (ଆଇସି) ଡିଜାଇନ ପ୍ରଦର୍ଶିତ ହୋଇଛି। ଏହା ଭାରତର ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଶକ୍ତିଶାଳୀ ରାଷ୍ଟ୍ର ହେବାର ନିଷ୍ପତ୍ତିମୂଳକ ଅଗ୍ରଗତି ପାଇଁ ରାସ୍ତା ଖୋଲିଛି।

ଏହି ଇଭେଣ୍ଟରେ NIT ରାଉରକେଲାର ଦୁଇଟି ଆଇସି ଡିଜାଇନ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ୩୨-ବିଟ୍‌ ମାଇକ୍ରୋପ୍ରୋସେସର ‘ବିକ୍ରମ-୩୨’ର ସ୍ମାରକୀ ଭାବେ ପ୍ରଦର୍ଶିତ ହୋଇଥିଲା। ଏହି ମାଇକ୍ରୋପ୍ରୋସେସରକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଦୁଇଟି ଆଇସି ମାଇକ୍ରୋପ୍ରୋସେସର ହେଉଛି ପ୍ରେଜେଣ୍ଟ ଏନକ୍ରିପସନ କୋର ଆଇସି (C2S0017) ଓ ଭିଜିଏ ଆମ୍ପ୍ଲିଫାୟର ସେନସର ସର୍କିଟ ଆଇସି (C2S0018)।

କ’ଣ ରହିଛି ଏହି ଆଇସି ମାଇକ୍ରୋପ୍ରୋସେସର ବୈଶିଷ୍ଟ୍ୟ:

୧. ପ୍ରେଜେଣ୍ଟ ଏନକ୍ରିପସନ କୋର ଆଇସି (C2S0017): ଏକ ଲାଇଟୱେଟ୍‌ ବ୍ଲକ୍‌ ସାଇଫର, ଯାହା ସୀମିତ ସମ୍ବଳ ଥିବା ପରିବେଶ ପାଇଁ ଉଦ୍ଦିଷ୍ଟ। ଏହା ଆଇଓଟି, ଆରଏଫଆଇଡି, ଇ-ପେମେଣ୍ଟ, ସ୍ୱାସ୍ଥ୍ୟସେବା ଏବଂ ସେନସର ନେଟୱାର୍କ ସୁରକ୍ଷା ପାଇଁ ଏକ ଆଦର୍ଶ ଆଇସି ମାଇକ୍ରୋପ୍ରୋସେସର ଭାବେ ପରିଗଣିତ ହୋଇଥାଏ। ଡ. ରୁବି ମିଶ୍ର, ଭରତ ପାଟିଦାର, ପ୍ରଫେସର ଆୟାସ କାନ୍ତ ସ୍ୱାଇଁ ଏବଂ ପ୍ରଫେସର କେ. କେ. ମହାପାତ୍ରଙ୍କ ଦ୍ୱାରା ଏହା ଆଇସିକୁ ଡିଜାଇନ କରାଯାଇଛି।

୨. ଭିଜିଏ ଆମ୍ପ୍ଲିଫାୟର ସେନସର ସର୍କିଟ ଆଇସି (C2S0018): ଏହି ମାଇକ୍ରୋପ୍ରୋସେସରକୁ ବାୟୋମେଡିକାଲ ଏବଂ ଆଇଓଟି ଆପ୍ଲିକେସନ ପାଇଁ ଡିଜାଇନ କରାଯାଇଛି। ଏହା କ୍ୟାପାସିଟିଭ ଇଣ୍ଟରଫେସ, ଆକ୍ସେଲେରୋମିଟର ସଂଯୋଗ, ଓଟିଏ (ଅପରେସନାଲ ଟ୍ରାନ୍ସକଣ୍ଡକ୍ଟାନ୍ସ ଆମ୍ପ୍ଲିଫାୟର) ଉପାଦାନ ଏବଂ ଶକ୍ତି ସଂଗ୍ରହ ମେକାନିଜମ ସହିତ ସଂଯୁକ୍ତ ରହିଛି। ଇପ୍ସିତା, ସମୀକ୍ଷା, ପ୍ରେମ ସାଇ, ପ୍ରଫେସର ସୌଗାତ କୁମାର କର ଏବଂ ପ୍ରଫେସର ସୁଦୀପ କୁଣ୍ଡୁଙ୍କ ଦ୍ୱାରା ଡିଜାଇନ କରାଯାଇଛି।

ଏହି ସେମିକଣ୍ଡକ୍ଟରଗୁଡ଼ିକ ୨୦୨୩ରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ (MeitY) ଦ୍ୱାରା ଅନୁମୋଦିତ ଚିପ୍‌-ଟୁ-ଷ୍ଟାର୍ଟଅପ୍‌ (C2S) ପ୍ରୋଗ୍ରାମରେ NIT ରାଉରକେଲାର ଅଂଶଗ୍ରହଣ ମାଧ୍ୟମରେ ତିଆରି ହୋଇଛି। ଏହା ପ୍ରୋଗ୍ରାମ ପ୍ରଫେସର କମଳାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏବଂ ପ୍ରଫେସର ଆୟାସ କାନ୍ତ ସ୍ୱାଇଁଙ୍କ ସହ-ନେତୃତ୍ୱରେ ପରିଚାଳିତ ହେଉଥିଲା। C2S ପ୍ରୋଗ୍ରାମ ଭିଏଲଏସଆଇ ଏବଂ ସିଷ୍ଟମ-ଲେଭେଲ ଡିଜାଇନରେ ବ୍ୟାପକ ଗବେଷଣାକୁ ସହଜ କରିଥାଏ। ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରୋଜେକ୍ଟ ଆଣ୍ଡରଗ୍ରାଜୁଏଟ୍‌, ପୋଷ୍ଟଗ୍ରାଜୁଏଟ୍‌ ଏବଂ ଡକ୍ଟରାଲ ସ୍ତରରେ ଏସଓସି ଏବଂ ସିଷ୍ଟମ ଡିଜାଇନରେ ଦକ୍ଷ ମାନବସମ୍ବଳ ବିକାଶ କରିବାକୁ ଲକ୍ଷ୍ୟ ରଖିଛି। ଯାହା ଭାରତର ସେମିକଣ୍ଡକ୍ଟର ପ୍ରତିଭା ପୁଲ ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ସିଧାସଳଖ ଯୋଗଦାନ କରିବ।

NIT ରାଉରକେଲାର ଅଂଶଗ୍ରହଣକାରୀଙ୍କ ମନ୍ତବ୍ୟ:

ପ୍ରଫେସର ଆୟାସ କାନ୍ତ ସ୍ୱାଇଁ, ଫ୍ୟାକଲ୍ଟି ଏବଂ ସହ-ଅନୁସନ୍ଧାନକାରୀ (C2S ପ୍ରୋଗ୍ରାମ): 

“ଆମର ଦୁଇଟି ଡିଜାଇନ ସେମିକନ୍‌ ଇଣ୍ଡିଆ ୨୦୨୫ରେ ପିଏମ୍ ନରେନ୍ଦ୍ର ମୋଦୀଙ୍କୁ ପ୍ରଦର୍ଶିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ସ୍ୱୀକୃତି ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ଏବଂ ଭାରତ ତଥା ଓଡ଼ିଶାରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶରେ ଅଧିକ ଯୋଗଦାନ ଦେବାକୁ ପ୍ରେରଣା ଦେଉଛି। ଏହା ଆମର ଆତ୍ମନିର୍ଭର ଭାରତ ଯାତ୍ରାକୁ ସ୍ୱଦେଶୀ ଆଇସି ଡିଜାଇନ ମାଧ୍ୟମରେ ଶିଳ୍ପ ଓ ସାମାଜିକ ଆପ୍ଲିକେସନ ପାଇଁ ସଶକ୍ତ କରୁଛି।”

ପ୍ରଫେସର ସୌଗାତ କୁମାର କର, ଫ୍ୟାକଲ୍ଟି ଏବଂ ଡିଜାଇନ C2S0018ର ଟିମ୍‌ ସଦସ୍ୟ: 

“ଆମର ଆଇସି ଡିଜାଇନ ସହିତ ସେମିକନ୍‌ ଇଣ୍ଡିଆ ୨୦୨୫ରେ ଅଂଶଗ୍ରହଣ କରିବା NIT ରାଉରକେଲା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହି ସଫଳତା ସ୍ୱଦେଶୀ ସେମିକଣ୍ଡକ୍ଟର ଡିଜାଇନ କ୍ଷମତା ଗଢ଼ି ତୋଳିବା ଏବଂ ଭାରତର ଦ୍ରୁତ ବିକାଶଶୀଳ ଚିପ୍‌ ଇଣ୍ଡଷ୍ଟ୍ରି ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମେ ଓଡ଼ିଶାକୁ ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ଭାବେ ପ୍ରତିଷ୍ଠା କରିବାକୁ ଦୃଢ଼ପ୍ରତିଜ୍ଞ।”

ଭରତ ପାଟିଦାର, ପିଏଚଡି ଛାତ୍ର (ଡିଜାଇନ C2S0017): 

“ଆଇସି ଡିଜାଇନ ଉପରେ କାମ କରିବାର ସୁଯୋଗ ଦେଇଥିବାରୁ ମୁଁ NIT ରାଉରକେଲାକୁ ଧନ୍ୟବାଦ ଜଣାଉଛି। ଏହା ମୋତେ ବାସ୍ତବ ଦୁନିଆରେ ଆଇସି ଡିଜାଇନ ଚ୍ୟାଲେଞ୍ଜର ଅଭିଜ୍ଞତା ଦେଇଛି। ଓଡ଼ିଶାରେ ସେମିକଣ୍ଡକ୍ଟର ସେକ୍ଟରର ଆଶାତୀତ ବୃଦ୍ଧି ସହିତ, ଦକ୍ଷ ଗ୍ରାଜୁଏଟମାନେ ଆଇସି ଡିଜାଇନ, ଉତ୍ପାଦନ ଏବଂ ଫାବ୍ରିକେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ।”

C2S ଏବଂ ଅନ୍ୟାନ୍ୟ ସମ୍ପର୍କିତ ଉଦ୍ୟମ ମାଧ୍ୟମରେ NIT ରାଉରକେଲା ଶିକ୍ଷାନୁଷ୍ଠାନ-ନେତୃତ୍ୱାଧୀନ ଚିପ୍‌ ଡିଜାଇନକୁ ସଶକ୍ତ କରୁଛି ଏବଂ ଛାତ୍ର ଓ ଗବେଷକମାନଙ୍କ ପାଇଁ ବାସ୍ତବ ଅଭିଜ୍ଞତା ପ୍ରଦାନ କରୁଛି। NITର ଲକ୍ଷ୍ୟ କେବଳ ଜାତୀୟ ଯୋଗଦାନ ମଧ୍ୟରେ ସୀମିତ ନରହି ଓଡ଼ିଶାକୁ ଏକ ଉଦୀୟମାନ ସେମିକଣ୍ଡକ୍ଟର ଇନୋଭେସନ ହବ୍‌ ଭାବେ ପ୍ରତିଷ୍ଠା କରିବା। ଡିଜାଇନ, ଫାବ୍ରିକେସନ ଏବଂ ସିଷ୍ଟମ-ଲେଭେଲ ଇଣ୍ଟିଗ୍ରେସନରେ ପ୍ରତିଭା ଗଢ଼ି ତୋଳି NIT ରାଉରକେଲା ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ସପ୍ଲାଇ ଚେନରେ ଯୋଗଦାନ ଦେବାକୁ ପ୍ରସ୍ତୁତ ଥିବା ସହ ଆତ୍ମନିର୍ଭର ଭାରତର ବୃହତ୍‌ ଲକ୍ଷ୍ୟ ସହ ସମନ୍ୱୟ ରଖି କାମ କରିବାକୁ ଲକ୍ଷ୍ୟ ରଖିଛି।