ଜି.ଉଦୟଗିରି ୩୦/୧୦: ବାତ୍ୟା ମୋନ୍ଥା ପ୍ରଭାବରୁ ବର୍ତ୍ତିଯାଇଛି ଓଡ଼ିଶା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅନେକ ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବର୍ଷା ହେବାରୁ ଜୀବନ ଦୟନୀୟ ହୋଇପଡିଛି । ଜି. ଉଦୟଗରି ବ୍ଲକ କଳିଙ୍ଗା ପଞ୍ଚାୟତର ତାରାବାଡି ଗ୍ରାମରେ ବାତ୍ୟା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି ଦୁଇଟି ଘର ସୌଭାଗ୍ୟ ବଶତଃ ଘରେ ରହୁଥିବା ଲୋକଙ୍କ କିଛି କ୍ଷତି ଘଟିନାହିଁ ।

ଲଗାଣ ବର୍ଷାରେ ୭୫ ବର୍ଷୀୟ ବୃଦ୍ଧ ଲାଗି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଏହି ଘରେ ଥିବାବେଳେ ହଠାତ୍ ଜୋର୍ ରେ ଏକ ଶବ୍ଦ ହୋଇଥିଲା । ସେମାନେ ପ୍ରାଣ ବିକଳରେ ବାହାରକୁ ଆସି ଦେଖିଥିଲେ ଘରର କାନ୍ଥଟି ବାହାର ଆଡ଼କୁ ପଡିଯାଇଛି । ଉପର ଘରର ଭାଡି ମଧ୍ୟ ଓହଳି ରହିଅଛି । ସଙ୍ଗେ ସଙ୍ଗେ ପାଟି କରିଥିଲେ କିନ୍ତୁ ସାହି ପଡିଶା ଆସିଥିଲେ, ଯଦି କାନ୍ଥଟି ଘର ଭିତରେ ପଡ଼ିଥାଅନ୍ତା । ତେବେ ବଡ଼ ଅଘଟଣ ଘଟିଥାଆନ୍ତା।

ସେହିପରି ଅନ୍ୟ ଏକ ସାହିର ଅଶୋକ ଦିଗାଲଙ୍କ ଘର କାନ୍ଥ ଭାଙ୍ଗିଯାଇଅଛି । ଅଶୋକ ଓ ତାଙ୍କ ସ୍ତ୍ରୀ ଘରେ ଥିବା ବେଳେ ମଧ୍ୟ ଘରର କାନ୍ଥ ଅଧରୁ ଭାଙ୍ଗି ଯାଇ ବାହାରେ ପଡିଥିଲା । ଯାହା ଦ୍ୱାରା ଘରେ ଥିବା ସ୍ୱାମୀ ଓ ସ୍ତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ସେମାନେ ଆସି ଅଧା ଭାଙ୍ଗି ପଡ଼ିନଥିବା କାନ୍ଥକୁ କାଠ ଢେରା ଦେଇ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି । କାନ୍ଥ ଭାଙ୍ଗିବା ପରେ ପଡୋଶୀ ଘରର ଟିଣ ମଧ୍ୟ ନଷ୍ଟ ହୋଇଛି । ଏ ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ମୁଁ ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ପଚାରୁଛି । ଅତି ଶୀଘ୍ର ସମାଧାନ ହୋଇଯିବ । ପ୍ରଶାସନକୁ ଅବଗତ କରିଥିବାର କହିଛନ୍ତି ।