LIVE TV

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ସମ୍ଭାବନା

NEWS7
weather

ଭୁବନେଶ୍ୱର ୨୫୦୯ : ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ। ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ୨୭ରେ ମଧ୍ୟ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। କିନ୍ତୁ ୨୮ ତାରିଖରୁ ବର୍ଷା ନାହିଁ ବୋଲି ପୂର୍ବାନୁମାନ ଦିଆଯାଇଛି। ସେପଟେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଆଗକୁ ଅଧିକ ବର୍ଷା ଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଗୁରୁବାର ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବହୁ ଜିଲ୍ଲାରେ ଭାରୀ ବର୍ଷା ଆଶଙ୍କା ଅଛି । କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ପବନର ଝଟ୍‌କା ୬୦କିମି ଛୁଇଁପାରେ । ମୟୂରଭଞ୍ଜକୁ ଅଧିକ ବର୍ଷା ଅଛି। ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

୨୭ ତାରିଖରେ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ଏବେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ ରହିଛି ଓ ଧୀରେ ଧୀରେ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇଯିବ। ଗୁରୁବାର ସୁଦ୍ଧା ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ ଦିଗରେ ମୁହାଁଇ ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ୨୭ ତାରିଖ ଯାଏ ଅଧିକ ବର୍ଷା ହେବ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଉପରମୁଣ୍ଡରେ ହାରାହାରି ୪୧ମିମି ବର୍ଷା ହୋଇଛି । ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପ୍ରାୟ ୭ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏହାଦ୍ୱାରା ଶାଖା ନଦୀରେ କୁଆଖାଇ, ବିରୂପା, କାଠଯୋଡ଼ି, କୁଶଭଦ୍ରା, ଦୟା ଓ ଭାର୍ଗବୀ ନଦୀର ଜଳସ୍ତର ବଢ଼ିପାରେ । ସରକାର ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ବୁଧବାର ନୂଆପଡ଼ାରେ ୭୬ମିମି ବର୍ଷା ହୋଇଛି । ବାଲେଶ୍ୱରରେ ୪୮.୪, ଝାରସୁଗୁଡ଼ାରେ ୧୯.୮, ହୀରାକୁଦରେ ୧୬.୪ ଓ ନବରଙ୍ଗପୁରରେ ୧୫ମିମି ବର୍ଷା ହୋଇଛି ।