News7 Logo

ସରକାର ଦେଲେ ସମୟ, ୪ ମାସ ମଧ୍ୟରେ ଷ୍ଟକ୍‌ରେ ଥିବା ସାମଗ୍ରୀ ଉପରେ ନୂଆ ମୂଲ୍ୟ ଲେଖିବେ କମ୍ପାନି

NEWS7
GST 2.0

​​​​​​ନୂଆଦିଲ୍ଲୀ : ସେପ୍ଟେମ୍ବର ୨୨ରୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ହାର। ନୂଆ ଜିଏସଟି ହାର ଲାଗୁ ହେଲେ ଅନେକ ନ୍ଦୈନନ୍ଦିନ ସାମଗ୍ରୀର ମୂଲ୍ୟ କମିବ। ହେଲେ ଏପଟେ କିନ୍ତୁ ପୁରୁଣା ଷ୍ଟକ୍‌ରେ ଥିବା ସାମଗ୍ରୀର ଏମଆରପିକୁ ଏତେ କମ୍ ସମୟ ମଧ୍ୟରେ ବଦଳାଇବା କମ୍ପାନିଙ୍କ ପାଇଁ ଏକ ଚାଲେଞ୍ଜ ପାଲଟିଛି।

ଏମିତିରେ ସରକାର କମ୍ପାନିଙ୍କୁ ପୁରୁଣା ବା ଷ୍ଟକ୍‌ରେ ଥିବା ସାମଗ୍ରୀର ଏମଆରପି ବଦଳାଇବାକୁ ଅନୁମତି ଦେଇଛନ୍ତି। ଗ୍ରାହକ ବ୍ୟାପାର ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଆଦେଶରେ କୁହାଯାଇଛି ଯେ, ୨୦୨୫ ଡିସେମ୍ବର ୩୧ ସୁଦ୍ଧା କିମ୍ବା ପୁରୁଣା ଷ୍ଟକ୍ ଶେଷ ହେବା ପର୍ଯ୍ୟନ୍ତ ପ୍ୟାକେଟ ଉପରେ ନୂଆ ମୂଲ୍ୟ ଲେଖିବାକୁ ହେବ। ନୂଆ ଦାମ୍ ସହ କମ୍ପାନିଙ୍କୁ ପୁରୁଣା ଏମଆରପି ଦେଖାଇବା ଜରୁରୀ ହେବ। ଏହି ଆଦେଶ ଯୋଗୁ ଉତ୍ପାଦନକାରୀ, ପ୍ୟାକର୍ସ ଏବଂ ଇମ୍ପୋର୍ଟର୍ସ ଏବେ ପୁରୁଣା ଷ୍ଟକ୍‌ ଉପରେ ନୂଆ ଦାମ୍ ଷ୍ଟାମ୍ପ୍‌, ଷ୍ଟିକର କିମ୍ବା ଅନଲାଇନ୍ ପ୍ରିଣ୍ଟ୍ରିଂ ଦ୍ବାରା ଲେଖିପାରିବେ।

ଜିଏସଟିରେ ଏବେ ୪ ବଦଳରେ କେବଳ ଦୁଇଟି ସ୍ଲାବ୍

ଏବେ ଜିଏସଟିର ୪ ବଦଳରେ କେବଳ ଦୁଇ ସ୍ଲାବ ୫% ଏବଂ ୧୮% ହେବ। ଏଥିରେ ଦୈନନ୍ଦିନ ସମାଗ୍ରୀ ଯେପରିକି ସାବୁନ, ସାମ୍ପୁ ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, କାର୍ ମଧ୍ୟ ଶସ୍ତା ହେବ। ଜିଏଟି କାଉନସିଲର ୫୬ତମ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବର ୩ରେ ଏହାର ସୂଚନା ଦେଇଥିଲେ।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି କ୍ଷୀର, ରୁଟି, ପରଟା, ଛେନା ସମେତ ଅନେକ ଖାଦ୍ୟ ସାମଗ୍ରୀ ଜିଏଟି ଛାଡ଼ ରହିବ। ସେହିଭଳି ବ୍ୟକ୍ତିଗତ ସ୍ବାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ମଧ୍ୟ ଟ୍ୟାକ୍ସ ଲାଗିବନାହିଁ। ୩୩ ଜୀବନ ରକ୍ଷାକାରୀ ଔଷଧ, ବିରଳ ରୋଗ ଏବଂ ମାରାତ୍ମକ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ମଧ୍ୟ ଟ୍ୟାକ୍ସ ଫ୍ରି ହେବ।

ଲଗଜୁରୀ ଆଇଟମ ଏବଂ ତମାଖୁ ଉତ୍ପାଦ ଉପରେ ଏବେ ୨୮% ବଦଳରେ ୪୦% ଜିଏଟି ଲାଗିବ। ମଧ୍ୟମ ଏବଂ ବଡ଼ କାର୍, ୩୫୦ ସିସିରୁ ଅଧିକ ଇଞ୍ଜିନର ମୋଟରସାଇକେଲ ମଧ୍ୟ ଏହି ସ୍ଲାବ୍‌ରେ ଆସିବେ।

ହୋଟେଲ ରୁମ୍‌ର ବୁକିଂ ଶସ୍ତା, ଆଇପିଏଲ ଟିକେଟ ବୁକିଂ ହେବ ମହଙ୍ଗା

ହୋଟେଲ ରୁମ୍‌ର ବୁକିଂ ଉପରେ ଜିଏସଟି ୧୨%ରୁ ୫% କରାଯାଇଛି। ସୌନ୍ଦର୍ଯ୍ୟ ଏବଂ ସ୍ବାସ୍ଥ୍ୟ ସହ ଜଡ଼ିତ ସେବା ଉପରେ ଜିଏସଟି ୧୮%ରୁ କମ୍ କରି ୫% କରାଯାଇଛି। ଯେପରି ଜିମ୍, ସେଲୁନ୍, ଯୋଗ ସେଣ୍ଟର ଆଦି। କ୍ୟାସିନୋ, ରେସ କ୍ଲବ୍ କିମ୍ବା ଯେଉଁଠାରେ କ୍ୟାସିନୋ ଏବଂ ରେସ୍ କ୍ଲବ୍ ରହିଛି, କିମ୍ବା ଖେଳ ଇଭେଣ୍ଟ ଯେମିତିକି ଆଇପିଏଲରେ ଏଣ୍ଟି ପାଇଁ ଜିଏସଟି ୨୮%ରୁ ବଢ଼ାଇ ୪୦% କରିଦିଆଯାଇଛି। ଏହି ପରିବର୍ତ୍ତନ ଫଳରେ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ କମିବ।