କଟକ: ପୂଜା ପୂର୍ବରୁ ଡିଜେ ଉପରେ ଲାଗିଲା ଅଙ୍କୁଶ। ଡିଜେ ଗାଡ଼ିରେ ହୋଇପାରିବନି ମୋଡିଫିକେସନ। ବିକଟାଳ ଶବ୍ଦ କରିପାରିବେନି କି ଅଧିକ ଝଲମଲ ଲାଇଟ୍‌ ଲଗାଇପାରିବେନି। ବୁଧବାର ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଏହି ନିୟମ କେବଳ ଦୁର୍ଗାପୂଜା ନୁହେଁ ବରଂ ସବୁ ଦିନ ପାଇଁ ଲାଗୁ ହେବ।

ବିଜ୍ଞପ୍ତି ଅନୁସାରେ ​​​​​​​ଡିଜେରେ ଏକ୍ସଟ୍ରା ଲାଇଟ୍ ଲଗାଇବାକୁ ବାରଣ କରାଯାଇଛି। ରଙ୍ଗୀନ ଝଲମଲ ଲାଇଟ୍, ୬୦ ଡେସିବେଲରୁ ଅଧିକ ଶବ୍ଦ ଉପରେ କଟକଣା ଜାରି ହୋଇଛି। ଅନୁମୋଦିତ ବହୁବର୍ଣ୍ଣ LED, ଲେଜର ଲାଇଟ୍, ନିଅନ ଓ ଓଜେ ଆଲୋକ ବ୍ୟବହାର ଉପରେ ବି କଟକଣା ଲଗାଯାଇଛି । ଓଜେ ସିଷ୍ଟମ ଉପରେ ମଧ୍ୟ ସମ୍ପୂର୍ଣ୍ଣ ବାରଣ ରହିଛି । ଗାଡ଼ି ରେଜିଷ୍ଟ୍ରେସନ ସମୟରେ ଗାଡ଼ିର ଦୈର୍ଘ୍ୟ, ପ୍ରସ୍ତ, ଉଚ୍ଚତା ମଧ୍ୟ ଯାଞ୍ଚ ହେବ।

ଆଉ ଯଦି ଏହି ନିୟମ ଉଲ୍ଲଂଘନ ହୁଏ ତେବେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ । ଥରେ ନିୟମ ଉଲ୍ଲଘଂନ କଲେ ୧ ବର୍ଷ ଜେଲ୍, ୧ ଲକ୍ଷ ଫାଇନ୍। ମୋଡିଫାଏ ହୋଇଥିବା ସମସ୍ତ ଡିଜେ ଗାଡ଼ିର ପଞ୍ଜିକରଣ ସସ୍‌ପେଣ୍ଡ କରାଯିବା ସହ ଫିଟନେସ୍‌କୁ ରଦ୍ଦ କରାଯିବ । ମୋଟର ଯାନ ଆଇନ ଅନୁସାରେ ଫାଇନ୍ କରାଯିବ । ଏହି ନିୟମ ଦୁର୍ଗାପୂଜା ପାଇଁ ନୁହେଁ ସବୁ ଦିନ ପାଇଁ ଲାଗୁ ହେବ । ଏନେଇ  ରାଜ୍ୟ ସଡ଼କ ପରିବହନ କମିଶନରଙ୍କ ପକ୍ଷରୁ ପୋଲିସ ବିଭାଗ ଓ ସମସ୍ତ ଜିଲ୍ଲାର ପରିବହନ ଅଧିକାରୀଙ୍କୁ ଚିଠି କରାଯାଇଛି । ​​​​​​​​​​