ଭୁବନେଶ୍ଵର: ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ  ଡିସଚାର୍ଜ। ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସଚାର୍ଜ ନେଇ ଶୁକ୍ରବାର ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ଡିସଚାର୍ଜ କରାଯାଇଛି। ଗଣଦୁଷ୍କର୍ମର ଶିକାର ହେବା ପରେ ଗତ ଶୁକ୍ରବାର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ପୀଡ଼ିତା। ତେବେ ଡିସଚାର୍ଜ ପରେ ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା।

ଏହା ମଧ୍ୟରେ ଆସନସୋଲ-ଦୁର୍ଗାପୁର ପୋଲିସ ଚାଲିଥିବା ତଦନ୍ତ ପୂରା ବିବରଣୀ ଦେବାକୁ ମନା କରି ଦେଇଛି। ଘଟଣାର ଆଠ ଦିନ ପରେ ଶୁକ୍ରବାର ଏକ ଫରେନ୍ସିକ ଟିମ୍ ଅତିରିକ୍ତ ନମୂନା ସଂଗ୍ରହ ପାଇଁ ପରଗଞ୍ଜ ଜଙ୍ଗଲରେ ଘଟଣସ୍ଥଳକୁ ଯାଇଛି। ଗତ ଶୁକ୍ରବାର ରାତିରେ ଦ୍ଵିତୀୟ ବର୍ଷ ମେଡିକାଲ୍ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ସେହି ରାତିରେ ହିଁ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଦିନଠୁ ତାଙ୍କର ଚିକିତ୍ସା ଜାରି ରହିଥିଲା।

ମେଡିକାଲ୍ କଲେଜ ଦ୍ଵାରା ଜାରି ଏକ ପ୍ରେସ୍ ବିବୃତି ଅନୁଯାୟୀ, ଛାତ୍ରୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ନଜର ରଖାଯାଇଛି। ସେଥିରେ ସୁଧାର ଆସିବା ପରେ ଡାକ୍ତରୀ ଟିମ୍ ପୀଡ଼ିତା ଛାତ୍ରୀଙ୍କୁ  ମେଡିକାଲ୍‌ରୁ ଡିସଚାର୍ଜ କରିବାକୁ ସୁପାରିସ କରିଥିଲେ। ଆସନସୋଲ-ଦୁର୍ଗାପୁର ପୋଲିସ ଡେପୁଟୀ କମିଶନର ଅଭିଷେକ ଗୁପ୍ତା କହିଛନ୍ତି, ଛଅ ଲୋକଙ୍କୁ ପୋଲିସ ଗିରଫ କରି ସାରିଛି। ପଚରା ଉଚୁରା ପରେ ମିଳିଥିବା ଅତିରିକ୍ତ ସୂଚନା ଆଧାରରେ ଫରେନ୍ସିକ ଟିମ୍ ଘଟଣାସ୍ଥଳକୁ ପୁଣି ଥରେ ଯାଇଥିଲେ।

ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା କହିଛନ୍ତି, ସେ ନିଜ ଝିଅକୁ ଡାକ୍ତର ହେବା ଆଶାରେ ପଶ୍ଚିମବଙ୍ଗ ପଠାଇଥିଲେ। ମାତ୍ରେ ଏବେ ସେ ନିଷ୍ପତ୍ତି ନେଇଛନ୍ତି ଯେ, ତାଙ୍କ ଝିଅ ପଶ୍ଚିମବଙ୍ଗ ଛାଡ଼ି ଚାଲି ଆସିବ। ମୁଁ ଏହି ଘଟଣାରେ ଉଚିତ୍ ତଦନ୍ତ ଚାହୁଁଛି। ଦୋଷୀଙ୍କୁ କଠୋର ସଜା ମିଳୁ। ଆମେ ଖୁବ୍ ଶୀଘ୍ର ପଶ୍ଚିମବଙ୍ଗ ଛାଡ଼ି ଓଡ଼ିଶା ଚାଲିଯିବୁ। ଆମେ ପୁନର୍ବାର କେବେ ପଶ୍ଚିମବଙ୍ଗ ଯିବୁନାହିଁ। ପଶ୍ଚିମବଙ୍ଗରେ ଆଉ କୌଣସି ଝିଅକୁ ମୋ ଝିଅ ପରି ଏମିତି ଘଟଣାର ଶିକାର ନ ହେବା ଉଚିତ୍।

ସେ ଏହା ମଧ୍ୟ କହିଛନ୍ତି ଯେ, ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ମାତ୍ର ଏହା ପଶ୍ଚିମବଙ୍ଗ ସରକାରଙ୍କ ଉପରେ ନିର୍ଭର କରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋ ମାଆଙ୍କ ପରି। ତାଙ୍କୁ କୋଟି କୋଟି ନମସ୍କାର। ଯଦି ମୁଁ କିଛି ଭୁଲ୍ କରିଛି ତେବେ ଜଣେ ପୁଅ ପରି ମୋତେ କ୍ଷମା କରି ଦେବେ। କେବଳ ମୋ ଝିଅକୁ ନ୍ୟାୟ ଦିଅନ୍ତୁ। ସେ କେବଳ ମୋ ଝିଅ ନୁହେଁ, ବରଂ ପୂରା ଭାରତର ଝିଅ। ଯଦି ମୁଁ ମମତା ଦିଦିଙ୍କ ବିଷୟରେ କିଛି ଭୁଲ୍ କହିଛି ତେବେ ମୋତେ କ୍ଷମା କରି ଦିଅନ୍ତୁ।

ସୂଚନାଯୋଗ୍ୟ, ଏହି ଗଣଦୁଷ୍କର୍ମ ଘଟଣାରେ ପୋଲିସ ପ୍ରଥମରୁ ଛଅ ଜଣଙ୍କୁ ଗିରଫ କରି ସାରିଛି। ପୀଡ଼ିତାଙ୍କ ପ୍ରେମିକଙ୍କୁ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରାଯାଇଛି। ଦୁର୍ଗାପୁର ଉପଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶକ୍ରମେ ଅଭିଯୁକ୍ତକୁ ବୁଧବାର ୧୦ ଦିନର ପୋଲିସ ରିମାଣ୍ଡରେ ପଠାଯାଇଛି।