News7 Logo

ପୂଜା ସମୟରେ ଉପବାସ ରହିବା ଭଳି ରିଲ୍ସ, ସୋସିଆଲ ମିଡ଼ିଆ, ମୋବାଇଲ ଠାରୁ କିଛି ସମୟ ବିରତି ନିଅନ୍ତୁ ମହିଳା

NEWS7
Pravati Parida

ଭୁବନେଶ୍ବର ୯୯: ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ - ୨୦୨୫ ଏବଂ ଯୌତୁକ ନିଷେଧ ଅଧିନିୟମ - ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏହା ଉପରେ ଗୁରୁତ୍ବ ଦେବା ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ ମୁଖ୍ୟମନ୍ତ୍ରୀ ଅପିଲ କରି କହିଛନ୍ତି, ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ ଓ ସୋସିଆଲ ମିଡ଼ିଆ, ମୋବାଇଲ ଠାରୁ କିଛି ସମୟ ବିରତି ନିଅନ୍ତୁ ମହିଳା ।

ଲୋକସେବା ଭବନ କନଭେନସନ ହଲ୍‌ରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଆୟୋଜିତ କର୍ମଶାଳାରେ ଏଭଳି ଅପିଲ୍ କରିଛନ୍ତି ପ୍ରଭାତୀ ପରିଡ଼ା । ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ଆଜି ବି ଯୌତୁକ ଜୁଇରେ ଜଳୁଛନ୍ତି ମହିଳା । ଯାହା ଚିନ୍ତାଜନକ । ଆଗକୁ ଘରୋଇ ହିଂସା କମାଇବା ପାଇଁ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ମଜବୁତ କରାଯିବ । ଖାଲିଥିବା ପଦବୀ ପୂରଣ କରାଯିବ । ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନର ଦୁରୁପୋଯୋଗ ଅକ୍ଷମଣୀୟ । ଅତ୍ୟାଚାର ପାଇଁ ସଚେତନତା ଯେତିକି ଜରୁରୀ ତାର ଦୁରୁପୋଯୋଗକୁ ଜଗିବା ତାଠାରୁ ଅଧିକ ଜରୁରୀ । ବର୍ତ୍ତମାନ ସମୟରେ ଇଭ୍‌ଟିଜିଂ ମଧ୍ୟ ସ୍କୁଲ ଡ୍ରପ୍ ଆଉଟ୍ ପାଇଁ ଦାୟୀ ହେଉଛି । ତେଣୁ ସେହିଭଳି ଟ୍ରମାରେ ଆଘାତ ପାଇଥିବା ଝିଅ ମାନଙ୍କ ସହ ଛିଡା ହେବା ଦରକାର । ଝିଅ ନିଜେ ରୋଜଗାର କରୁଥିଲେ ବି ନିଜ ପଇସା ଖର୍ଚ୍ଚ କରିବାର ପାଇଁ ସେମାନଙ୍କୁ ଅଧିକାର ମିଳୁନି । ଝିଅ ମାନଙ୍କୁ ନିଜ ପରିବାର ସଦସ୍ୟ ଏବଂ ଆତ୍ମୀୟ ସ୍ୱଜନ ହିଁ ସବୁଠୁ ଅଧିକ ଅତ୍ୟାଚାର କରନ୍ତି । ନିଜ ଘର ଭିତରେ ହିଁ ଭୁଲ ହୋଇଯାଏ । ତେଣୁ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଦିଗରେ ଅଧିକ ସଚେତନତା ଜରୁରୀ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ, ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଛନ୍ତି, ଆଜିକାଲି ରିଲ୍ସ, ସୋସିଆଲ ମିଡ଼ିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର ।