ପାରାଦୀପ ୬୯: ପାରାଦୀପ ଲକ୍ ଥାନା ପୋଲିସ କବଜାରେ ବ୍ରାଉନ ସୁଗାର ବ୍ୟବସାୟୀ । ଚୂନ ଛକ ନିକଟସ୍ଥ ଶିବ ମନ୍ଦିର ପାଖରେ ଚଢାଉ କରି ୩ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଲକ୍ ଥାନା ପୋଲିସ । ତେବେ ସେମାନଙ୍କ ନିକଟରୁ ୨୧ ଗ୍ରାମର ବ୍ରାଉନ ସୁଗାର ସହିତ ୩ଟି ମୋବାଇଲ ଏବଂ ନଗଦ ୧୮୦୦ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ପାରାଦୀପ ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ତେବେ କୌଣସି ସୂତ୍ରରୁ ଖବର ପାଇ ଲକ୍ ଥାନା ପୋଲିସ ଚୂନ ଛକ ନିକଟସ୍ଥ ଶିବ ମନ୍ଦିର ପାଖରେ ଚଢାଉ କରି ୩ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଖସିଯିବାକୁ ସକ୍ଷମ ହୋଇଛି । ତେବେ ମୁଖ୍ୟ ଆସାମୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ଗିରଫ ହୋଇଥିବା ଆସାମୀ ମାନେ ହେଲେ ଉଛବାନନ୍ଦପୁର ଗ୍ରାମର ବୁଲା ମହାରଣା, ଝିମାଣୀ ଗ୍ରାମର ଯୋଗେନ୍ଦ୍ର ମାହାଳିଆ, ନିମିଡିହ ଗ୍ରାମର ପ୍ରଳୟ ପ୍ରଧାନ ବୋଲି ଜଣାପଡିଛି । ତେବେ ସେମାନଙ୍କ ନାମରେ ପୂର୍ବରୁ ୩ ରୁ ୪ଟି କେସ୍ ଥାନାରେ ଅଛି । ଏ ନେଇ ତିନି ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି ।