LIVE TV

ଜୀବନ ବଞ୍ଚାଇବାକୁ ଡହଳ ବିକଳ ହେବେ ଲୋକେ: ଭାରତରେ ସରି ସରି ଆସୁଛି ଜଳ

NEWS7
 India is running out of water.

ନୂଆଦିଲ୍ଲୀ: କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଓ ଜଳ ବିହୁନେ ସୃଷ୍ଟି ନାଶ। ଅର୍ଥାତ ଜଳ ପ୍ରଳୟରେ ଯେମିତି ସୃଷ୍ଟି ନାଶ ହୁଏ, ସେହିପରି ଜଳ ବିନା ସୃଷ୍ଟିର ପରିକଳ୍ପନା କରାଯାଇ ପାରେନା। ନିକଟରେ ଭାରତ, ଆମେରିକା ଓ ପାକିସ୍ତାନ ଭଳି ଦେଶଗୁଡ଼ିକ ଜଳପ୍ରଳୟର ସ୍ଥିତି ଦେଖିଛନ୍ତି। ପଞ୍ଜାବ, ହିମାଚଳ ପ୍ରଦେଶ ଭଳି ରାଜ୍ୟ ଜଳପ୍ରଳୟର କିଭଳି କ୍ଷତି ସହିଲେ ତାର ପ୍ରମାଣ ବି ଆମ ନଜରରେ ରହିଛି। ହେଲେ ଜଳ ଅଭାବରେ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତି ହୁଏତ ଆପଣଙ୍କ ନଜରରେ ଉଣା ଅଧିକ ପଡ଼ିଥିବ।

ଓଡ଼ିଶା ଇତିହାସରେ ୧୮୬୫ ମସିହାର ନଅଙ୍କ ଦୁର୍ଭିକ୍ଷ କଥା ହୁଏତ ଆପଣ କେତେବେଳେ ପଢ଼ିଥିବେ। ସେତେବେଳେ ବର୍ଷା ନହେବାରୁ ମରୁଡ଼ି ପଡ଼ିଗଲା। ଚାଷବାସ ନ ହେବାରୁ ଲୋକମାନେ ଖାଇବାକୁ ପାଇଲେ ନାହିଁ। ତତ୍କାଳୀନ ବ୍ରିଟିସ ସରକାରଙ୍କର ସ୍ଥିତିର ଭୁଲ ପରିଚାଳନା ଯୋଗୁ ହଜାର ହଜାର ଓଡ଼ିଶାବାସୀ ପ୍ରାଣ ହରାଇଥିଲେ। ଆଗକୁ ମଧ୍ୟ ଠିକ୍ ଏମିତି କିଛି ସ୍ଥିତି ଉପୁଜିବାକୁ ଯାଉଛି। କାରଣ ଆମେ ଆଜି ଯେଉଁ ତଥ୍ୟ ଆପଣଙ୍କ ପାଖରେ ରଖିବୁ ତାହା ଦେଖିବା ପରେ ହୁଏତ ଆପଣ ଭବିଷ୍ୟତର ସେହି ଅବସମ୍ଭାବି ଦୁଃସ୍ଥିତିର ଅନୁମାନ କରି ଶଙ୍କିଯିବେ।

ଆଗକୁ ଜଳ ବହୁଳେ ନୁହେଁ ଜଳ ବିହୁନେ ସୃଷ୍ଟି ନାଶ ହେବାକୁ ଯାଉଛି। ସ୍ଥିତି ଏମିତି ହେବାକୁ ଯାଉଛି, ଯେମିତି ଲୋକେ ବୁନ୍ଦାଏ ପାଣି ପାଇଁ ବ୍ୟାକୁଳ ହେବେ। ଆଜ୍ଞା ହଁ, ଏକଥା ସତ ହେବ, ଯଦି ବିଶ୍ୱ ନେତୃତ୍ୱ ଓ ଜନତା ଏ ଦିଗରେ ଜାଗ୍ରତ ନ ହେବେ। ୧୯୫୧ ମସିହା ବେଳକୁ ଭାରତ ଏକ ଜଳ ବହୁଳ ଦେଶ ଥିଲା। ଦେଶର ପ୍ରତ୍ୟେକ ନାଗରିକ ପାଇଁ ବାର୍ଷିକ ୫,୨୦୦ କ୍ୟୁବିକ ମିଟର ଜଳ ଉପଲବ୍ଧ ଥିଲା।

ହେଲେ ୭ ଦଶନ୍ଧୀ ପରେ ସ୍ଥିତି ସଂଗୀନ ହୋଇଯାଇଛି। ବର୍ତ୍ତମାନ ବର୍ଷକୁ ଲୋକ ପିଛା ମାତ୍ର ୧୫୦୦ କ୍ୟୁବିକ ମିଟର ଜଳ ଉପଲବ୍ଧ ରହିଛି। ଆଉ ୨୦୫୦ ବେଳକୁ ଏହି ପରିମାଣ ୧୨୦୦ କ୍ୟୁବିକ ମିଟରକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସ୍ଥିତି ଖୁବ୍ ଭୟଙ୍କର ଲାଗୁଛି। ଭାରତ ଖୁବ୍‌ଶୀଘ୍ର ଏକ ଜଳାଭାବ ଦେଶର ତାଲିକାରେ ସାମିଲ୍ ହେବାକୁ ଯାଉଛି।

ଜଳ ସଂକଟ ଦେଶର ପରିଭାଷା କ?

ଯେତେବେଳେ କୌଣସି ଦେଶରେ ପ୍ରତି ବ୍ୟକ୍ତି ଜଳର ଉପଲବ୍ଧତା ବର୍ଷକୁ ୧୭୦୦ କ୍ୟୁବିକ ମିଟରରୁ କମ ହୋଇଯାଏ, ଏହାକୁ ଜଳ ସଂକଟର ଦେଶ ବୋଲି ବିବେଚନା କରାଯାଏ। ସେହିପରି ଏହି ସଂଖ୍ୟା ୧୦୦୦ କ୍ୟୁବିକ ମିଟରରୁ କମ୍ ହେଲେ ଏହାକୁ ଜଳ ସଂକଟଗ୍ରସ୍ତ ଦେଶ କୁହାଯାଏ। ଆଉ ଯଦି ଏହା ୫୦୦ କ୍ୟୁବିକ ମିଟରକୁ ଖସି ଆସେ ତେବେ ଏଥିରେ ଦେଶର ଗମ୍ଭୀର ଜଳ ସଂକଟର ସ୍ଥିତି ସୃଷ୍ଟି ହୋଇଥାଏ। ଭାରତ ପୂର୍ବରୁ ବିପଦ ସଂକେତ ବା ଷ୍ଟ୍ରେସ୍‌ ଜୋନ ପାର କରିସାରିଛି। ଯଦି ଏହି ଧାରା ଆଗକୁ ଜାରି ରହିଲା, ତେବେ ଆସନ୍ତା ପିଢ଼ି ମଧ୍ୟରେ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳ ସଂକଟ ଆଡ଼କୁ ଗତି କରିପାରେ। 

ଣ କହୁଛି ସରକାରୀ ତଥ୍ୟ?

ଜଳ ଶକ୍ତି ମନ୍ତ୍ରଣାଳୟର କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ଦ୍ୱାରା ମିଳିତ ଭାବରେ ପରିଚାଳିତ ହେଉଥିବା ଜଳ ସମ୍ପଦ ସୂଚନା ପ୍ରଣାଳୀ ପୋର୍ଟାଲ୍ ଦେଶର ଜଳକଷ୍ଟ ବିଷୟରେ ଗମ୍ଭୀର ତଥ୍ୟ  ଦିଆଯାଇଛି। ପୋର୍ଟାଲ ଅନୁଯାୟୀ, ପ୍ରତି ବ୍ୟକ୍ତି ଜଳ ଉପଲବ୍ଧତା ୧୯୫୧ ମସିହାରେ ୫,୨୦୦ ଘନ ମିଟରରୁ ଲଗାତର ହ୍ରାସ ପାଇ ୨୦୦୧ ମସିହାରେ ୧,୮୧୬ ଘନ ମିଟର ହୋଇଥିଲା। ପୁଣି ଏହି ସଂଖ୍ୟା ୨୦୧୧ ମସିହାରେ ୧,୫୪୫ ଏବଂ ୨୦୨୧ ମସିହାରେ ୧,୪୮୬କୁ ହ୍ରାସ ପାଇଛି। ଏହା ୨୦୫୦ ସୁଦ୍ଧା ୧,୧୯୧ ଘନ ମିଟରକୁ କମିଯିବ ବୋଲି ଆକଳନ କରାଯାଇଛି। ଏହି ଚେତାବନୀ ୨୦୨୨ ମସିହାରେ କେନ୍ଦ୍ର ସରକାର ସଂସଦରେ ଲିଖିତ ଭାବରେ ଜଣାଇଥିଲେ।

ରାଜ୍ୟ ଓ ଜିଲ୍ଲାଗୁଡ଼ିକର ଦୟନୀୟ ସ୍ଥିତି

ଜାତୀୟ ହାରାହାରି ଆଞ୍ଚଳିକ ଅସମାନତାକୁ ଲୁଚାଇ ଦେଉଥିଲେ ମଧ୍ୟ ରିପୋର୍ଟ ଗମ୍ଭୀର ରହିଛି। ନୀତି ଆୟୋଗର ଭାରତ ଜଳବାୟୁ ଏବଂ ଶକ୍ତି ଡ୍ୟାସବୋର୍ଡରେ ପ୍ରକାଶିତ ଜିଲ୍ଲାସ୍ତରୀୟ ଆକଳନ ଦର୍ଶାଉଛି ଯେ କିପରି ଏହି ସଙ୍କଟ ଭୌଗୋଳିକ ଭାବରେ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ, ୨୧ଟି ଜିଲ୍ଲା ସମ୍ପୂର୍ଣ୍ଣ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଏଠାରେ ପ୍ରତି ବ୍ୟକ୍ତି ବାର୍ଷିକ ୫୦୦ ଘନ ମିଟରରୁ ବି କମ୍ ଜଳ ଉପଲବ୍ଧ ରହିଛି। ୨୦୫୦ ସୁଦ୍ଧା, ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇ ୪୯ ଜିଲ୍ଲାକୁ ବୃଦ୍ଧି ପାଇବ।

କେବଳ ଉତ୍ତର ପ୍ରଦେଶରେ ୭୫ଟି ଜିଲ୍ଲାରେ ଜଳାଭାବ କିମ୍ବା ତା'ଠାରୁ ଖରାପ ସ୍ଥିତି ରହିଛି। ତା ପଛକୁ ବିହାରରେ ୩୮ଟି, ତାମିଲନାଡୁରେ ୩୬ଟି, ମଧ୍ୟ ପ୍ରଦେଶରେ ୩୪ଟି ଏବଂ ରାଜସ୍ଥାନରେ ୩୩ଟି ଜିଲ୍ଲାରେ ଜଳସଂକଟ ଓ କିମ୍ବା ତା ଠାରୁ ଖରାପ ସ୍ଥିତି ରହିଛି। ହେଲେ ଏହାର ବିପରୀତରେ, ଭାରତର ଉତ୍ତର-ପୂର୍ବାଞ୍ଚଳ ଜଳରେ ସମୃଦ୍ଧ ରହିବ। ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ ୨୦୫୦ ସୁଦ୍ଧା ମଧ୍ୟ ପ୍ରତି ବ୍ୟକ୍ତି ୧,୭୦୦ ଘନ ମିଟରରୁ ଅଧିକ ଜଳ ରହିବ ବୋଲି ଆକଳନ କରାଯାଇଛି। ଏହି ସବୁ ଅଞ୍ଚଳଗୁଡ଼ିକ ଜଳ ସଂକଟର ଚାପ ମୁକ୍ତ ଅଞ୍ଚଳ ଭିତରେ ଆରାମରେ ଆସିଯିବ।

ଏମିତି ଜଳ ସଂକଟ ଦେଖା ଦେବାର କାରଣ କ?

ପ୍ରଥମ କାରଣ- ମୁଖ୍ୟତଃ ତିନୋଟି କାରଣ ଯୋଗୁ ଭାରତର ଜଳ ସୁରକ୍ଷା ସଂକୁଚିତ ହେବାରେ ଲାଗିଛି । ପ୍ରଥମତଃ ଜନସଂଖ୍ୟା ବୃଦ୍ଧି। ଜାତିସଂଘର ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟା ୧.୬ ବିଲିୟନ ଅତିକ୍ରମ କରିବ। ହେଲେ ଦେଶର ମୋଟ ନବୀକରଣୀୟ ଜଳ ସମ୍ପଦ ସ୍ଥିର ରହିବ। ତେଣୁ ସୀମିତ ଜଳ ସମ୍ପଦରୁ ବର୍ଦ୍ଧିତ ଜନସଂଖ୍ୟା ମଧ୍ୟରେ ସମାନ ଭାଗରେ ବାଣ୍ଟିଲେ ବ୍ୟକ୍ତି ପିଛା ଜଳ କମ୍ ପଡ଼ିଯିବ।

ଦ୍ୱିତୀୟ କାରଣ- ଦ୍ୱିତୀୟ କାରଣ ହେଉଛି ସ୍ୱଳ୍ପ ବର୍ଷା। ଭାରତ ପାଣିପାଗ ବିଭାଗର ୨୦୨୪ ମସିହାର ମୌସୁମୀ ରିପୋର୍ଟରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ ବୃଷ୍ଟିପାତରେ କେତେ ଅନିୟମିତାତ ହୋଇଛି। କିଛି ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହୋଇଥିବା ବଳେ ଆଉ କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ହାରାହାରି ଆକଳନ ଆଞ୍ଚଳିକ ବର୍ଷା ଅଭାବକୁ ଲୁଚାଇ ଦେଉଛି ।

ତୃତୀୟ କାରଣ- ଭୂତଳ ଜଳ ହ୍ରାସ ପାଇବା ଜଳ ସଂକଟର ତୃତୀୟ କାରଣ ଭାବେ ଉଭା ହୋଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଭାରତୀୟ ଗତିଶୀଳ ଭୂତଳ ଜଳ ସମ୍ପଦ ଉପରେ ଜାତୀୟ ସଂକଳନ ୨୦୨୪ ରିପୋର୍ଟ ଅନୁଯାୟୀ, ପରିସ୍ଥିତି ପୂର୍ବରୁ ଭୟଙ୍କର ରହିଛି। ରିପୋର୍ଟରେ ଆକଳନ କରାଯାଇଛି ଯେ ଭାରତର ବାର୍ଷିକ ଭୂତଳ ଜଳ ପୁନଃଭରଣ ୪୪୬.୯୦ ବିଲିୟନ ଘନ ମିଟର, ଯାହା ମଧ୍ୟରୁ ୪୦୬.୧୯ ବିଲିଅନ ଘନ ମିଟର  ବ୍ୟବହାର ଯୋଗ୍ୟ। ବର୍ତ୍ତମାନର ଭୂତଳ ଜଳର ବାସ୍ତବିକ ଉପଯୋଗ ୨୪୫.୬୪ ବିଲିୟ ଘନ ମିଟର ହେଉଛି। ଯାହା ଦେଶର ଭୂତଳ ଜଳର ଉପଯୋଗୀ ହାର ୬୦.୪୭ ପ୍ରତିଶତକୁ ଦର୍ଶାଉଛି।

ଜଳାଭାବର ଏଭଳି ସଂକଟ କେବଳ ପରିବେଶଗତ ପରିସଂଖ୍ୟାନ ନୁହେଁ, ଅର୍ଥନୀତି (ଏବଂ ଶାସନ) ପାଇଁ ବିପଦ ସଂକେତ ଦେଉଛି। କେବଳ କୃଷି କ୍ଷେତ୍ରରେ ୮୭ ପ୍ରତିଶତ ଭୂତଳ ଜଳର ବ୍ୟବହାର କରାଯାଛି। ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କିପରି ଅସ୍ୱାଭାବିକ ଜଳସେଚନ ଏହି ହ୍ରାସକୁ କାରକ ସାଜୁଛି। ଚିନ୍ତାର ବିଷୟ ହେଉଛି, ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଏବଂ ଦାଦ୍ରା ନଗର ହାବେଳୀ, ଏବଂ ଦାମନ ଦିଉରେ ଜଳର ବହୁଳ ବ୍ୟବହାର ଯୋଗୁ ଏଠାରେ ଦଳମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ଏ ଦିଗରେ ଯଦି ଦୃଢ଼ ପଦକ୍ଷେପ ନ ନିଆ  ଯାଏ, ତେବେ ବଢ଼ୁଥିବା ସହରଗୁଡ଼ିକ ମଧ୍ୟରେ ଜଳ ପାଇଁ ଲଢ଼େଇ ଆରମ୍ଭ ହେବ। ସବୁଠାରୁ ବଡ଼ କଥା ହେଲା ନଦୀ ଓ ଭୂତଳ ଜଳ ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ଲଢ଼େଇ ଆହୁରି ଭୟଙ୍କର ରୂପ ନେବ। ଜଳର ଅଭାବ ଜୀବ ଜଗତକୁ ଘୋର ବିନାଶ ଆଡ଼କୁ ଟାଣି ନେବ।
 ତେଣୁ ବେଳହୁଁ ଏ ଦିଗରେ ସତର୍କ ରହିବ ଆବଶ୍ୟକ।