BMC ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡ଼ିରେ ଫାଟ, ଉଦ୍ଧବ ଓ ରାଜ ଠାକରେଙ୍କ ମେଣ୍ଟ ଯୋଗୁ ଉତ୍ତେଜନା

NEWS7
85-year-old-dadi-is-winning-internet-with-her-cool-cooking-lessons

ମୁମ୍ବାଇ ୨୦।୧୨: ବୃହନ୍ମୁମ୍ବାଇ ନଗର ପାଳିକା (ବିଏମସି) ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡ଼ିରେ ଫାଟ ଦେଖା ଯାଇଛି। ଠାକରେ ଭ୍ରାତା ଏକ ହେବା ପରେ ଅଘାଡ଼ିରେ ଏବେ ସବୁକିଛି ଠିକ୍ ନଥିବା ଖବର ଆସୁଛି। ମୁମ୍ବାଇ ବିଏମସି ନିର୍ବାଚନରେ ଠାକରେ ଭ୍ରାତା (ଉଦ୍ଧବ ଠାକରେ ଓ ରାଜ ଠାକରେ) ମରାଠୀ-ମୁସ୍ଲିମ ସମୀକରଣରୁ ବିଜୟ ଆଶା କରୁଥିବା ବେଳେ ଉଦ୍ଧବ ଓ ରାଜ ଏକାଠି ହେବା କଂଗ୍ରେସ ଆଖିରେ ଯାଉ ନାହିଁ। ଏଣୁ କଂଗ୍ରେସ ଶନିବାର ବିଏମସି ନିର୍ବାଚନ ଏକାକୀ ଲଢିବ ବୋଲି ଘୋଷଣା କରିଛି।

କଂଗ୍ରେସ ନେତା ରମେଶ ଚନ୍ନିଥଲା ଗଣମାଧ୍ୟମ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଏମସି ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ। ଉଦ୍ଧବ ଠାକରେଙ୍କ ଲାଗି ବିଏମସିକୁ ପୁଣି ନିୟନ୍ତ୍ରଣକୁ ନେବା ୨୦୨୨ରେ ଶିବସେନା ଭାଙ୍ଗିବା ପରେ ରାଜନୈତିକ ପ୍ରାସଙ୍ଗିକତାକୁ ପୁଣି ସ୍ଥାପିତ କରିବାର ଶେଷ ସୁଯୋଗ ବୋଲି କୁହାଯାଉଛି। ସେହିପରି ରାଜ ଠାକରେଙ୍କ ଲାଗି ଏହି ନିର୍ବାଚନ ମରାଠୀ ପରିଚୟର ରକ୍ଷା ଲାଗି ଲଢେଇ ଭାବେ ଦେଖାଯାଉଛି। ଏଣୁ ରାଜ ଠାକରେଙ୍କ ଏମଏନଏସ ନିଜକୁ ମହାରାଷ୍ଟ୍ରର ଭାଷା ଓ ସାଂସ୍କୃତିକ ପରିଚୟର ସଂରକ୍ଷକ ରୂପେ ଉପସ୍ଥାପନ କରୁଛି।

ତେବେ ଶିବସେନା(ୟୁବିଟି) ଓ ରାଜ ଠାକରେଙ୍କ ଏମଏନଏସ ଏ ପର୍ଯ୍ୟନ୍ତ ମେଣ୍ଟ ନେଇ କୌଣସି ଘୋଷଣା କରି ନାହାନ୍ତି। କିନ୍ତୁ ଆଶା କରାଯାଉଛି ଆଗାମୀ ସପ୍ତାହରେ ବିଏମସି ନିର୍ବାଚନ ଲାଗି ସେମାନେ ମେଣ୍ଟ ଘୋଷଣା କରିପାରନ୍ତି। ଏଥିରେ ଏବେ ଯାହା ସୂଚନା ଆସୁଛି ଶରଦ ପାୱାରଙ୍କ ଏନସିପି (ଶରଦ) ଆଗାମୀ ବିଏମସି ନିର୍ବାଚନକୁ ଶିବସେନା (ୟୁବିଟି) ଓ ଏମଏନଏସ ସହ ମିଶି ଲଢିବାକୁ ଚାହୁଁଛି। ଏନସିପି(ଶରଦ) ପାର୍ଟି ପକ୍ଷରୁ ବିଏମସି ନିର୍ବାଚନ ଲାଗି ସିଲଭର ଓକରେ ରଣନୀତି ନିର୍ଦ୍ଧାରଣ କରିବାକୁ ଏକ ବୈଠକ ହୋଇଥିଲା। ଏଥିରେ ପାର୍ଟିର ମୁମ୍ବାଇ ଅଧ୍ୟକ୍ଷ ରାଖୀ ଯାଦବ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ରାୟ ରଖିଥିଲେ। ରଖୀଙ୍କ କହିବା କଥା ହେଲା ମୁମ୍ବାଇ ନଗର ପାଳିକା ନିର୍ବାଚନ ମହାବିକାଶ ଅଘାଡ଼ି (ଏମଭିଏ) ବ୍ୟାନରରେ ଲଢାଯିବା ଉଚିତ।

ଏନସିପି (ଶରଦ) ସାମ୍ନାରେ ଏବେ ଦୁଇଟି ବିକଳ୍ପ ରହିଛି। ଏଥିରେ ସେ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କ ସହ ମେଣ୍ଟ କରିପାରନ୍ତି। ଅନ୍ୟ ବିକଳ୍ପଟି ହେଉଛି ତାଙ୍କ ପାର୍ଟି କଂଗ୍ରେସ ସହିତ ମେଣ୍ଟ କରିପାରେ। ଏଥି ପାଇଁ କଂଗ୍ରେସ ଢେର ପୂର୍ବରୁ ଏନସିପି (ଶରଦ) ଆଗରେ ପ୍ରସ୍ତାବ ବି ରଖିଥିଲା। ଶରଦ ପାୱାର କଂଗ୍ରେସ ନେତାମାନଙ୍କ କଥା ଶୁଣିଥିଲେ, ହେଲେ ଏ ନେଇ କୌଣସି ସ୍ପଷ୍ଟ ଜବାବ ଦେଇ ନଥିଲେ। ଅନୁମାନ କରାଯାଉଛି ଶରଦ ପାୱାର ମୁମ୍ବାଇର ରାଜନୈତିକ ପାଣିପାଗର ଆକଳନ କରୁଛନ୍ତି। ଏଣୁ ଉଭୟ ବିକଳ୍ପ ଖୋଲା ରଖିଛନ୍ତି। ଅନ୍ୟ ପଟେ ଏମଏନଏସ ଅର୍ଥାତ ରାଜ ଠାକରେଙ୍କ ପାର୍ଟି ଶରଦ ପାୱାରଙ୍କ ପାର୍ଟି ପ୍ରତି ଏତେ ଋଚି ଦେଖାଉ ନାହିଁ। ଏମଏନଏସ ନେତାଙ୍କ ସୂତ୍ରରୁ ମିଳୁଥିବା ସୂଚନାରେ ଯଦି ଶରଦ ପାୱାର ମେଣ୍ଟ କରନ୍ତି ତେବେ ସେ ଶିବସେନା (ଉଦ୍ଧବ) କୋଟାରୁ ନିର୍ବାଚନ ଲଢିବେ।

୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଭିଏକୁ ଶକ୍ତ ଝଟକା ଲାଗିଥିଲା। ମେଣ୍ଟକୁ ବିଜେପି ନେତୃତ୍ୱାଧୀନ ମହାଯୁତୀ ଠାରୁ ବିପୁଳ ପରାଜୟର ସାମ୍ନା କରିବାକୁ ପଡିଥିଲା। ଉଲ୍ଲେଖଯୋଗ୍ୟ ଯେ ବିଏମସିର ୨୯ ନଗରନିଗମ, ୩୨ ଜିଲ୍ଲା ପରିଷଦ ଓ ୩୩୬ ପଞ୍ଚାୟତ ସମିତି ନିମନ୍ତେ ୧୫ ଜାନୁୟାରୀ ୨୦୨୬ରେ ଭୋଟ ଗ୍ରହଣ ହେବ। ଏଥିରେ ବିଏମସି ନିର୍ବାଚନର ଫଳାଫଳ ପରଦିନ ଅର୍ଥାତ ଜାନୁୟାରୀ ୧୬ ତାରିଖରେ ଘୋଷଣା ହେବ।