ଦୁଇ ଦିନରେ ଆତ୍ମସମର୍ପଣ କଲେଣି ୬୬ ମାଓବାଦୀ, କେକେବିଏନ୍ ସଂଗଠନର ୭ ନେତା ମୁଖ୍ୟ ସ୍ରୋତରେ ସାମିଲ

Published By : Prameya-News7 Bureau | July 25, 2025 IST

ମାଲକାନଗିରି ୨୫।୭: ଜୁଲାଇ ୨୮ ତାରିଖ ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ହେବାକୁ ଯାଉଛି । ଏହା ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ବଡ଼ ଝଟ୍‌କା । ଗୁରୁବାର ଛତିଶଗଡ଼ ବସ୍ତର ଅଞ୍ଚଳର ୪ ଜିଲ୍ଲାରେ ୫୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଶୁକ୍ରବାର ପୁଣି ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଦିନରେ ମୋଟ୍ ୬୬ ଜଣ ମାଓବାଦୀ ଲାଲ୍ ବାହିନୀର ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦନ୍ତେୱାଡା ଜିଲ୍ଲାରେ ୧୫ ଜଣ, ବିଜାପୁର ଜିଲ୍ଲାରେ ୨୫ ଜଣ, କାଙ୍କେର ଜିଲ୍ଲାରେ ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । 

କେକେବିଏନ୍ ସଂଗଠନକୁ ମଧ୍ୟ ବଡ଼ ଝଟ୍‌କା ଲାଗିଛି । କେକେବିଏନ୍‌ର ଅଷ୍ଟମ କମ୍ପାନୀ କମାଣ୍ଡର ତଥା  ରମଣ ଇର୍ପା ଓରଫ୍‌ ବିକେଶ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି । ବିକେଶ ସହ ଆଞ୍ଚଳିକ ସମିତି ସଦସ୍ୟ  (ଏସିଏମ୍‌) ରାଙ୍କର ଅନ୍ୟ ୬ ଜଣ ମାଓନେତା ମଧ୍ୟ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ  ହୋଇଛନ୍ତି । ସେଥି ମଧ୍ୟରେ ୩ ଜଣ ଦମ୍ପତି ଅଛନ୍ତି ।   ସେମାନଙ୍କ ମଧ୍ୟରେ ବିକେଶର ସ୍ତ୍ରୀ ପ୍ରମିଳା ଓରଫ୍‌  ରାମେ କମଲୁ ଅଛି । ଏହାସହ ବିଜିଏନ୍‌ ଡିଭିଜନର ଏସିଏମ୍‌ ଥିବା ମୈନୁ ଓରଫ୍‌ ହୁଙ୍ଗା ମଦକମ୍‌  ଓ ତା’ ସ୍ତ୍ରୀ ପାରୋ ସିକ୍କା ଓରଫ୍‌ ଶାନ୍ତି, ଲକ୍‌ସେ   ପଦ୍ମିନୀ ଓରଫ ଆଶା ଓ ଡୁକାରୁ ଲେକାମ୍‌ ଓରଫ୍‌   ଦୋରା, ଯୋଗୀ ପଦିଆମ୍‌ ଓରଫ୍‌ ରୈମତୀ ମଧ୍ୟ   ଆତ୍ମସମର୍ପଣ କରିଛନ୍ତି । ଏହି ୭ ଜଣ ମାଓନେତାଙ୍କ  ମୁଣ୍ଡରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।  ଏହି ୭ ମାଓ ନେତା  କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିରେ ୫ ବର୍ଷ ଧରି  ଅନେକ ମାଓ ହିଂସା ଘଟାଉଥିଲେ । ବିକେଶର ମୁଣ୍ଡ  ପାଇଁ ଓଡ଼ିଶା ସରକାର ଏବଂ ଛତିଶଗଡ଼ ସରକାର ମିଶି ମୋଟ୍ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସେହିପରି ପ୍ରମିଳା ପାଇଁ  ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ମୈନୁ,  ଶାନ୍ତି, ଦୋରା ଓ ରୈମତୀ ପାଇଁ ୫ ଲକ୍ଷ ଟଙ୍କା   ଲେଖାଏଁ ପୁରସ୍କାର ରାଶି ଥିଲା ।

ଗତ ୨୦ ବର୍ଷ ଧରି ଏମାନେ ମାଓ ସଂଗଠନରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲେ । ହେଲେ ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ମାଓଗଡ଼ ଭୁଶୁଡିବାରେ ଲାଗିଥିବା ବେଳେ ଭୟଭୀତ ହୋଇ ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. କହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । 

You Can Read:

ଲଗାଣ ବର୍ଷାରେ ବେହାଲ ମାଲକାନଗିରି : କନ୍ୟାଶ୍ରମ ପୋଲ ଉପରେ ୨ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.