LIVE TV

ଅସ୍ତ୍ରବିରତି ମଧ୍ୟରେ ଗାଜା ଉପରେ ଆକ୍ରମଣ କଲା ଇସ୍ରାଏଲ, ଆମେରିକୀୟ ରିପୋର୍ଟ ପରେ ଆକ୍ସନରେ ନେତାନ୍ୟାହୁ

NEWS7
55-rockets-fired-toward-israels-safed-area-sparking-fires

ନୂଆଦିଲ୍ଲୀ: ଆମେରିକାର ମଧ୍ୟସ୍ଥତା ପରେ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଯୁଦ୍ଧବିରାମ ହୋଇଥିଲେବି, ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆମେରିକାର ଏକ ରିପୋର୍ଟ ପରେ ରବିବାର ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଛି।

ପ୍ରକୃତରେ ଆମେରିକାରର ଏକ ରିପୋର୍ଟରେ କୁହାଯାଇଛି ଯେ, ହମାସ ଗାଜାର ବିବାଦୀୟ ଅଞ୍ଚଳରେ ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି। ଯାହା ଯୁଦ୍ଧବିରାମ ଚୁକ୍ତି ସ୍ପଷ୍ଟ ଉଲ୍ଲଘଂନ ହୋଇପାରେ। ତେବେ ଏହି ରିପୋର୍ଟର କୌଣସି ଠୋସ୍‌ ତଥ୍ୟ ଦିଆଯାଇନାହିଁ। ଇସ୍ରାଏଲ ସେନା ମଧ୍ୟ ଆକ୍ରମଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରିନାହିଁ। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସ୍ରାଏଲ ରାଫାରେ ଆକାଶମାର୍ଗରୁ ଆକ୍ରମଣ କରିଛି।

ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର କଡ଼ା ଚେତାବନୀ ଦେଇଥିଲେ ଯେ, ଗାଜାରେ ଯୁଦ୍ଧ ସେପର୍ଯ୍ୟନ୍ତ ବନ୍ଦହେବନି ଯେପର୍ଯ୍ୟନ୍ତ ହମାସକୁ ସଂପୂର୍ଣ୍ଣ ଭାବେ ନିରସ୍ତ୍ର କରାନଯିବ ଏବଂ ପାଲେଷ୍ଟାଇନ କ୍ଷେତ୍ର ଯେପର୍ଯ୍ୟନ୍ତ ସୈନ୍ୟମୁକ୍ତ ନହୋଇଛି। ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ହମାସ ସେନା ଶାଖା ଇଜ୍ଜେଦୀନ ଅଲ- କସ୍ସାମ ବ୍ରିଗେଡ ଆମେରିକା- ମଧ୍ୟସ୍ଥତା ଯୁଦ୍ଧବିରାମ ଅନୁସାରେ ଶନିବାର ରାତିରେ ଆଉ ଦୁଇ ବନ୍ଦୀଙ୍କୁ ହସ୍ତାନ୍ତର କରିଛି।

ନେତାନ୍ୟାହୁ ସେହିଦିନ ଘୋଷଣା କରିଥିଲେ ଯେ, ଗାଜା ଏବଂ ମିସର ମଧ୍ୟରେ ରାଫା ସୀମା କ୍ରସିଂ ଆଗାମୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ସେ କହିଥିଲେ ଏହା ପୁଣି ଖୋଲିବା ହମାସ ଦ୍ବାରା ମୃତ ବନ୍ଧକଙ୍କ ଶବ ଫେରାଇବା ଉପରେ ନିର୍ଭର କରିବ। ଏହି ଘୋଷଣା ମିସର ସ୍ଥିତ ପାଲେଷ୍ଟାଇନ ଦୂତାବାସର ସେହି ବୟାନର କିଛି ଘଣ୍ଟା ପରେ ଆସିଛି, ଯେଉଁଥିରେ କୁହାଯାଇଥିଲା ଯେ, ଗାଜାବାସୀଙ୍କ ପାଇଁ ପ୍ରମୁଖ ପ୍ରବେଶ ଦ୍ବାରା ରାଫା କ୍ରସିଂ ସୋମବାରଠାରୁ ପୁଣି ଖୋଲିଯିବ।