ଆସାମ କଂଗ୍ରେସକୁ ବଡ଼ ଝଟକା:  ବିଜେପିରେ ଯୋଗ ଦେଲେ APCCର ପୂର୍ବତନ ସଭାପତି ଭୂପେନ ବୋରା

NEWS7
55-more-corona-cases-in-cuttack-cancer-hospital

ନୂଆଦିଲ୍ଲୀ- ଆସାମ କଂଗ୍ରେସକୁ ବଡ଼ ଝଟକା।  ବିଜେପିରେ ଯୋଗ ଦେଲେ ଆସାମ ପ୍ରଦେଶ କଂଗ୍ରେସ କମିଟି (APCC)ର ପୂର୍ବତନ ସଭାପତି ଭୂପେନ କୁମାର ବୋରା। ଆସାମ ବିଜେପିର ସଭାପତି ଦିଲ୍ଲୀପ ସାଇକିଆଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଗୁହାଟୀରେ ଆସାମ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ‘ବାଜପେୟୀ ଭବନ’ରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭୂପେନ କୁମାର ବୋରାଙ୍କ ସହିତ ପୂର୍ବତନ କଂଗ୍ରେସ କର୍ମୀ ସଞ୍ଜୁ ବୋରା ମଧ୍ୟ ଦଳରେ ଯୋଗ ଦେଇଛନ୍ତି।

ଭୂପେନ କୁମାର ବୋରା ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ଆସାମ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୦୬ରୁ ୨୦୧୬ ପର୍ଯ୍ୟନ୍ତ ଆସାମ ବିଧାନସଭାର ସଦସ୍ୟ ଥିଲେ। ସେ ବିହପୁରିଆ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ତେବେ ୨୦୨୬ ଓ ୨୦୨୧ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ।

ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ପାଇଁ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ୩୦ରୁ ଅଧିକ ବର୍ଷ ଧରି କଂଗ୍ରେସ ଥିବା ଭୂପେନ କୁମାର ବୋରା ବିଜେପି ମିଶିଛନ୍ତି। ଏହା କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଉଛି।

ଭୂପେନ କୁମାର ବୋରା ବିଜେପିରେ ଯୋଗଦେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଜି ଆସାମ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଭୂପେନ ବୋରା ବିଜେପିରେ ମିଶିଛନ୍ତି। କଂଗ୍ରେସ ପ୍ରତି ଭୂପେନ ବୋରାଙ୍କର ବଡ଼ ଯୋଗଦାନ ରହିଛି। ସେ ୩୦ ବର୍ଷ ଧରି ସେହି ଦଳ ପାଇଁ କାମ କରିଛନ୍ତି। ଆଜିଠାରୁ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

ଫେବ୍ରୁଆରୀ ୧୬ ତାରିଖରେ ଭୂପେନ କୁମାର ବୋରା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ କଂଗ୍ରେସ ହାଇକମାଣ୍ଡ ଏହାକୁ ଗ୍ରହଣ କରି ନଥିଲେ। ଦଳର ବରିଷ୍ଠ ନେତାମାନେ ତାଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହିତ କଥା ହୋଇଥିଲେ। ସେ ତାଙ୍କ ନିଷ୍ପତ୍ତିରୁ ଓହରିଯିବା ନେଇ ଚିନ୍ତା କରିବାକୁ ସମୟ ମାଗିଥିଲେ। ତା’ପର ଦିନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭୂପେନ କୁମାର ବୋରାଙ୍କ ବାସଭବନକୁ ଯାଇଥିଲେ। ତା’ପରେ ସେ ଫେବ୍ରୁଆରୀ ୨୨ରେ ବିଜେପିରେ ମିଶିବେ ବୋଲି ଘୋଷଣା କରିଥିଲେ।

ଦୁଇ ଦିନ ତଳେ ଗୁହାଟୀ ସ୍ଥିତ ରାଜ୍ୟ ଅତିଥି ଭବନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଭୂପେନ କୁମାର ବୋରା। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସେ ଶ୍ରୀ ଶାହଙ୍କୁ ଭେଟିଥିଲେ।