ଉତ୍ତରପ୍ରଦେଶ ୨୩/୦୫: ଅଢେଇ ଫୁଟିଆ କନିଆକୁ ବାହା ହେବାକୁ ଫ୍ଲାଇଟରେ ଆସିଲା ୩ ଫୁଟିଆ ବର । ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଏହି ବରକନିଆ । ଏହି ଅବସରରେ ଏକା ସହ ୩୨୧ ଯୋଡା ସାତ ଫେରା ନେଇଥିଲେ । ବିବାହ ସମୟରେ ସମସ୍ତ ନବବିବାହିତ ଦଂପତ୍ତିଙ୍କୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ତେବେ ଏହି ନିଆରା ଯୋଡିଙ୍କ ବିବାହ ବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
ବର ସାଜିଥିବା ୩ଫୁଟର ଯୁବକ ଜିତେନ୍ଦ୍ରଙ୍କ ଘର ପ୍ରତାପଗଡ ଜିଲ୍ଲାରେ । ସେ ମୁମ୍ବାଇରେ ଫଳ ବ୍ୟବସାୟ କରନ୍ତି । ବାହାଘର ପାଇଁ ସେ ବୁଧବାର ମୁମ୍ବାଇରୁ ବିମାନ ଯୋଗେ ଲକ୍ଷ୍ମୌ ଆସିଥିଲେ । ଏହା ପରେ କୌଶାମ୍ବୀ ବିବାହ ପାଇଁ ପହଞ୍ଚିଥିଲେ । କନିଆ ହୀରାମଣି ପଟେଲଙ୍କ ଘର ଭରୱାରୀ ଅଞ୍ଚଳ ବାସିନ୍ଦା । ତେବେ ଜିତେନ୍ଦ୍ରଙ୍କ ଭାଇ ରାଜେନ୍ଦ୍ର କହିଛନ୍ତି କିଛି ଦିନ ତଳେ ଜଣେ ବ୍ୟକ୍ତି ଆମ ଗାଁକୁ ଆସିଥିଲେ । କଥାବାର୍ତ୍ତା ଆଳରେ କମ୍ ଉଚ୍ଚତାର ଝିଅ ବିଷୟରେ କହିଥିଲେ । ଆମେ ଝିଅ ପରିବାର ସହ କଥା ହେବା ପରେ ସେମାନଙ୍କୁ ଭେଟିଥିଲୁ ।
ତେବେ ଝିଅର ପରିବାର ଲୋକେ କହିଥିଲେ ବାହାଘର ପାଇଁ ଆମ ପାଖରେ ଅର୍ଥ ନାହିଁ । ଆଉ ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ କାର୍ଯ୍ୟକ୍ରମରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ଆମେ ଗ୍ରହଣ କରିବା ସହ ବାହାଘର ପାଇଁ ସମ୍ମତି ଜଣାଇଥିଲୁ । ଏହା ପରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତୁରନ୍ତ ରାଜେନ୍ଦ୍ରଙ୍କୁ ଏ ସଂପର୍କରେ ଖବର ଯାଇଥିଲା । ଆଉ ସେ ମୁମ୍ବାଇରୁ ଲକ୍ଷ୍ମୌ ବିମାନରେ ଆସିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ଓ ହୀରାମଣିଙ୍କ ବାହାଘର ସଂପନ୍ନ ହୋଇଯାଇଛି । କୁହାଯାଏ କାହାର କାହା ସହ ବାହାଘର ହେବ ତାହା ସ୍ବର୍ଗରେ ସ୍ଥିର ହୋଇଥାଏ । ଯାହା ଏହି ଦଂପତ୍ତିଙ୍କ କ୍ଷେତ୍ରରେ ସତ ହୋଇଛି ।