ଏନକାଉଣ୍ଟରରେ ୩ ନକ୍ସଲ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | July 26, 2025 IST

ଗୁମଲା: ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଜିଲ୍ଲାରେ ସୁରକ୍ଷାବଳ ଓ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଘାଘରା ଥାନା ସେହଲ ଲଭଡାଗ ଗାଁରେ ନିକଟସ୍ଥ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସମସ୍ତ ତିନି ମାଓବାଦୀଙ୍କ ମୃତଦେହ ସହ ଘଟଣାସ୍ଥଳରୁ ସୁରକ୍ଷାବଳ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛନ୍ତି।

ଝାଡ଼ଖଣ୍ଡ ପୋଲିସର ସୂଚନା ଅନୁଯାୟୀ, ଘାଘରା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓ ଗତିବିଧିର ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାବଳ ଓ ପୋଲିସ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାବଳ ମାଓବାଦୀଙ୍କୁ ଘେରି ଯାଇଥିଲେ। ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଗୁଲିମାଡ଼ ଆରମ୍ଭ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୩ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ମୃତ ମାଓବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ଅଧିକାରୀ କହିଛନ୍ତି। ଏକେ ୪୭ ଓ ଇନସାସ ରାଇଫଲ୍ସ ସହ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। 

ଏହା ପୂର୍ବରୁ ଗତ ସପ୍ତାହରେ ରାଜ୍ୟର ବୋକାରୋ ଜିଲ୍ଲାର ବୀରହରଦେରା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଦୁଇ ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷାବଳ ଗୁରୁତର ଆହତ ହୋଇଥିଲେ। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.