୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ସର୍ଭେ କରି ଭୋଟର ତାଲିକା ସଂଶୋଧନ

NEWS7
3-dead-several-injured-in-explosion-at-delhi-factory-gas-leak-suspected

କଟକ ୧୭।୧: ଆରମ୍ଭ ହେଲା ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀ ମାସରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ସର୍ଭେ ଆରମ୍ଭ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ସର୍ଭେ କରି ଭୋଟର ତାଲିକା ସଂଶୋଧନ କରାଯିବ । ତେବେ ସେହି ସମୟରେ ଜନଗଣନା ଚାଲୁ ରହିଥିଲେ ଏହି ସ୍ବତନ୍ତ୍ର ସର୍ଭେ ମାସେ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି ।

ଭୋଟର ତାଲିକା ସଂଶୋଧନ ସହ ନିର୍ବାଚନ ପାଇଁ ବାଲଟ ବକ୍ସ ଓ ପୌର ନିର୍ବାଚନ ପାଇଁ ଇଭିଏମର ସ୍ଥିତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଏହାସହ ପଞ୍ଚାୟତର ନିର୍ବାଚନ ପାଇଁ ବୁଥ୍ ପୁନର୍ଗଠନ ଓ ଭୋଟରଙ୍କ ନିକଟତମ ସ୍ଥାନରେ ବୁଥ୍ ବ୍ୟବସ୍ଥା କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ପଞ୍ଚାୟତ, ପୌର ନିର୍ବାଚନ ପାଇଁ ହେବାକୁ ଥିବା ଘରକୁ ଘର ସ୍ବତନ୍ତ୍ର ସର୍ଭେ, ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ ଆଇ ଆର୍ ସହ କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି ।

ଗତ ନିର୍ବାଚନ ସମୟରେ ଗୋଟିଏ ପରିବାରର ଭୋଟରଙ୍କ ଭିନ୍ନ ଭିନ୍ନ ବୁଥ୍‌ରେ ଭୋଟର ତାଲିକା ରହିଥିବା ଦେଖିବାକୁ ମିଳିଥିଲା । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ସେଭଳି ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।