ଗୋ-ମାଫିଆଙ୍କ ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ, ଯେତେ ଆକାଉଣ୍ଟ-ଲକର ଖୋଲୁଛି ସେତେ ବାହାରୁଛି

NEWS7
3-arrested-in-kidnap-case

କେନ୍ଦୁଝର ୨୪।୧: ଗୋ-ମାଫିଆଙ୍କ ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । କେନ୍ଦୁଝର ପୋଲିସ ପକ୍ଷରୁ ଗୋ-ମାପିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ଚାଲିଛି ଯାଞ୍ଚ । ସମୁଦାୟ ୫ଟି ଜିଲ୍ଲାରେ ପୋଲିସକୁ ମିଳିଥିବା ଗୋ-ମାଫିଆଙ୍କ ୨୦୦ଟି ଆକାଉଣ୍ଟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨୧ଟି ଆକାଉଣ୍ଟର ଯାଞ୍ଚ ହେଲାଣି । ଯାଞ୍ଚରେ ୪ କୋଟି ୪୦ ଲକ୍ଷ ଟଙ୍କା ମିଳିଛି । ୫୦ରୁ ଉର୍ଦ୍ଧ୍ବ ଲକର ଥିବା ପୋଲିସ ଜାଣିବାକୁ ପାଇଛି । ଆହୁରି ମଧ୍ୟ ୭୯ଟି ଆକାଉଣ୍ଟ ଯାଞ୍ଚ ହେବାକୁ ବାକିଥିବା କେନ୍ଦୁଝର ପୋଲିସ ସୂଚନା ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଇଛି । ଗୋ-ଚାଲାଣ ଓ ଗୋ-ତସ୍କରୀ ଜଗିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତ୍ୟେକ ଜିଲ୍ଲାର ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋ-ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଗୋ-ଚାଲାଣ, ଗୋ-ତସ୍କରୀରେ ସମ୍ପୃକ୍ତ ଅଛନ୍ତି, ସେମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ୍ ଜେଲ୍ ଯିବାକୁ ପ୍ରସ୍ତୁତ ହୁଅନ୍ତୁ । ଗତ ସରକାରରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନରେ ଗୋ-ଚାଲାଣ ହେଉଥିଲା । ହେଲେ ବିଜେପି ସରକାରରେ ଆଉ ସେମାନଙ୍କୁ ନିସ୍ତାର ମିଳିବ ନାହିଁ । ରାଜ୍ୟରେ ୧୯୬୦ ଗୋ-ହତ୍ୟା ଆଇନ ବଳବତ୍ତର ରହିଛି । ଏଥିରେ ଆହୁରି ସଂସ୍କାର ଆଣିବା ଲାଗି ଚିନ୍ତା କରୁଛନ୍ତି ମୋହନ ସରକାର ।