ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ଆସିଲା ରାୟ, ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ: ଆସିଲା ଉତ୍ତରାଖଣ୍ଡର ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ରାୟ ଦେଇଛନ୍ତି। ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋଟଦ୍ୱାରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ। ଏହି ତିନି ବର୍ଷ ପୁରୁଣା ମାମଲାରେ କେବଳ ଉତ୍ତରାଖଣ୍ଡ ନୁହେଁ, ସମଗ୍ର ଦେଶରେ ଚର୍ଚ୍ଚା ବିଷୟ ପାଲଟିଥିଲା। ସମସ୍ତଙ୍କ ନଜର କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଥିଲା। 

ଶୁଣାଣି ସମୟରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରର ୨ ଶହ ମିଟର ପରିଧିକୁ ସିଲ୍ କରିଥିଲା ପୋଲିସ। କେବଳ ଓକିଲ, ମାମଲା ସହିତ ଜଡିତ ପକ୍ଷ ଏବଂ ଆବଶ୍ୟକୀୟ କର୍ମଚାରୀଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା। ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସେପ୍ଟେମ୍ବର ୨୦୨୨ରେ ଋଷିକେଶ ନିକଟସ୍ଥ ଭାନ୍ତରା ରିସର୍ଟରେ ରିସେପ୍ସନିଷ୍ଟ ଭାବରେ କାମ କରୁଥିବା ୧୯ ବର୍ଷୀୟା ଅଙ୍କିତାଙ୍କୁ ହତ୍ୟା କରାଯାଇଥିଲା। ରିସର୍ଟ ଅପରେଟର ପୁଲକିତ ଆର୍ଯ୍ୟ ତାଙ୍କର ଅନ୍ୟ ଦୁଇ କର୍ମଚାରୀଙ୍କ ସହିତ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।୧୮ ସେପ୍ଟେମ୍ବର ୨୦୨୨ରେ ହଠାତ୍ ନିଖୋଜ ହୋଇଯାଇଥିଲେ। ପାଞ୍ଚ ଦିନ ପରେ ୨୪ ସେପ୍ଟେମ୍ବରରେ, ଅଙ୍କିତାଙ୍କ ମୃତଦେହ ଋଷିକେଶ ନିକଟ ଚିଲ୍ଲା ନାଳରୁ ଉଦ୍ଧାର କରାଯାଇଥିଲା। 

ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଅଙ୍କିତା ରିସର୍ଟରେ ଜଣେ 'ଭିଆଇପି' ଅତିଥିଙ୍କୁ 'ଅତିରିକ୍ତ ସେବା' ଦେବାକୁ ମନା କରିଥିଲେ। ଏଥିରୁ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା। ପୂର୍ବତନ ବିଜେପି ନେତାଙ୍କ ପୁଅ ଆର୍ଯ୍ୟ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ - ଅଙ୍କିତ ଗୁପ୍ତା ଏବଂ ସୌରଭ ଭାସ୍କର ବର୍ତ୍ତମାନ ଜେଲରେ ଅଛନ୍ତି।

ପୁଲକିତ ଆର୍ଯ୍ୟଙ୍କ ବିରୁଦ୍ଧରେ IPC ଧାରା 302 (ହତ୍ୟା), 201 (ପ୍ରମାଣ ନଷ୍ଟ), 354A (ଉତ୍ପୀଡ଼ନ) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ମାମଲାର ତଦନ୍ତ ପାଇଁ ଏକ SIT ଗଠନ କରାଯାଇଥିଲା। ୫୦୦ରୁ ଅଧିକ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିଲା SIT। ଏଥିରେ ୯୭ ଜଣ ସାକ୍ଷୀଙ୍କ ନାମ ଦିଆଯାଇଥିଲା, ଯେଉଁଥିରୁ ସରକାରୀ ଓକିଲ ୪୭ ଜଣ ସାକ୍ଷୀଙ୍କୁ ଉପସ୍ଥାପନ କରିଥିଲେ। ପୁଲକିତ ଆର୍ଯ୍ୟ, ସୌରଭ ଭାସ୍କର ଏବଂ ଅଙ୍କିତ ଗୁପ୍ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏବେ ଦଣ୍ଡ ଘୋଷଣା ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.