ଦ. ଆଫ୍ରିକାରେ ବୈଭବଙ୍କ ସୁନାମୀ, ୨୧ ବଲ୍‌ରେ ୧୦ ଛକା...ଷ୍ଟାଡିୟମ ବାହାରେ ପଡ଼ିଲା ଅଧିକାଂଶ ବଲ୍

NEWS7
25-year-old-youth-missing-report-lodged-then-found-his-skeleton

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ। ନାଁଟି ସାମ୍ନାକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂର ଦୃଶ୍ୟ ଆଖିରେ ଝଲସି ଉଠିଥାଏ ଯେବେ ବି ବୈଭବ ସୂର୍ଯ୍ୟବଂଶୀ କ୍ରିଜକୁ ଓହ୍ଲାନ୍ତି ବୋଲରଙ୍କ ଅବସ୍ଥା ମୁସ୍କିଲ ହୋଇଯାଏ। ଯଦି ଏହି ବାମହାତୀ ବିସ୍ଫୋରକ ବ୍ୟାଟରଙ୍କୁ ଆରମ୍ଭରୁ ଆଉଟ୍ କରା ନ ଯାଏ ତେବେ ଛକା ବର୍ଷା ହେବା ନିଶ୍ଚିତ। କିଛି ଏମିତି ଦୃଶ୍ୟ ସୋମବାର ୧୯ ବର୍ଷରୁ କମ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ଦେଖିବାକୁ ମିଳିଛି। ଦ୍ଵିତୀୟ ୟୁଥ ଦିନିକିଆରେ ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂରେ ମ୍ୟାଚର ଗତିପଥ ହିଁ ବଦଳାଇ ଦେଲେ। ଆଉ ଭାରତ ଡକଓ୍ଵର୍ଥ ଲୁଇସ ନିୟମ ଅନୁସାରେ ମ୍ୟାଚକୁ ସହଜରେ ୮ ଓ୍ଵିକେଟ୍‌ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକାର ବେନୋନିରେ ଖେଳା ଯାଇଥିବା ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୧ ବଲରୁ ୧୦ ଛକା ମାରିଛନ୍ତି। ମୋଟ୍ ୨୪ ବଲରୁ ୧ ଚୌକା ଓ ୧୦ ଛକା ବଳରେ ଖେଳିଛନ୍ତି ୬୮ ରନର ବିଧ୍ଵଂସୀ ଇନିଂସ।

ବୈଭବ ସୂର୍ଯ୍ୟବଂଶୀ କ୍ରିଜରେ ପହଞ୍ଚିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଦ୍ରୁତ ବୋଲର ବେସାନଙ୍କ ଦ୍ଵିତୀୟ ବଲରେ ଏବଂ ନିଜ ଇନିଂସର ପ୍ରଥମ ବଲରେ ସୂର୍ଯ୍ୟବଂଶୀ ଡିପ୍ ବ୍ୟାକଓ୍ଵର୍ଡ ପଏଣ୍ଟ ଦିଗରେ ଜୋରଦାର ଛକା ମାରିଥିଲେ। ଏହା ପରେ ପଞ୍ଚମ ବଲରେ ଫାଇନ୍ ଲେଗ୍ ଉପରେ ବଡ ଛକା ଲଗାଇଥିଲେ। ଏହା ପରେ ବୟାନ୍ଦା ମଜୋଲାଙ୍କୁ ମଧ୍ୟ ନିର୍ମମ ପ୍ରହାର କରିଥିଲେ ସୂର୍ଯ୍ୟବଂଶୀ। ମଜୋଲାଙ୍କ ପଞ୍ଚମ ବଲରେ ବିଶାଳ ଛକା ମାରିଥିଲେ।

 

ଏହାପରେ ବେସାନଙ୍କ ପରବର୍ତ୍ତୀ ଓଭରରେ ଆଉ ଦୁଇଟି ଛକା ମାରି ଚାପ ବୋଲରଙ୍କୁ ସଂପୂର୍ଣ୍ଣ ଚାପରେ ରଖିଥିଲେ। ବୈଭବ ମଜୋଲାଙ୍କ ବଲରେ ନିଜର ସପ୍ତମ ଛକା ମାରିଥିଲେ। ଏହା ପରେ ଅଷ୍ଟମ ଛକା ଲଗାଇବା ସହ ୧୯ ବଲରେ ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ମଜାର କଥା ଏହି ଅର୍ଦ୍ଧଶତକରେ ଗୋଟିଏ ବି ଚୌକା ନ ଥିଲା। ବୈଭବଙ୍କ ମୁଡ୍ ବଲକୁ ବାଉଣ୍ଡରୀ ବାହାରକୁ ପଠାଇବା ଉପରେ ଥିଲା। ଆଉ ଏଥିରେ ସେ ସଫଳ ବି ହୋଇଥିଲେ।

ଏହି ବାମହାତୀ ବ୍ୟାଟରଙ୍କ ପ୍ରଭାବ ଏମିତି ଥିଲା ଯେ, ଗୋଟିଏ ସମୟରେ ଖେଳ ରୋକିବାକୁ ପଡ଼ିଥିଲା। କାରଣ ନିଜର ସପ୍ତମ ଛକାରେ ବୈଭବ ବଲକୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ। ବଲ୍ ଖୋଜିବା ପରେ ବି ମିଳି ନ ଥିଲା। ତେଣୁ କିଛି ସମୟ ଖେଳ ବନ୍ଦ ରହିଥିଲା। ବଲ୍ ବଦଳିଥିଲା, ହେଲେ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଦଳି ନ ଥିଲା। ସେ ବଡ଼ ବଡ଼ ସଟ୍ ଖେଳିବା ଜାରି ରଖିଥିଲେ।

 

ଶେଷରେ ଡାହାଣହାତୀ ଦ୍ରୁତ ବୋଲର କ୍ରୁସକ୍ୟାମ୍ପ ବୈଭବଙ୍କ ଏହି ଧୂଆଁଧାର ଇନିଂସରେ ବ୍ରେକ ଲଗାଇଥିଲେ। ଆଉ ଏକ ବଡ଼ ସଟ୍ ଖେଳିବା ପ୍ରୟାସରେ ଡାନିଏଲ ବାସମ୍ୟାନଙ୍କୁ ସହଜ କ୍ୟାଚ୍ ଦେଇଥିଲେ ବୈଭବ। ଏହି ବାମହାତୀ ବ୍ୟାଟର ୨୪ ବଲରେ ୬୮ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୨୮୩.୩୩ ଥିଲା। ହୋଇପାରେ ତାଙ୍କର ଇନିଂସ ଅଧିକ ସମୟ ନ ଥିଲା, କିନ୍ତୁ ଅଳ୍ପ ସମୟରେ ସେ ମ୍ୟାଚର ମଙ୍ଗ ଭାରତ ଆଡ଼କୁ ମୋଡ଼ିବା ସହ ମ୍ୟାଚ୍ରେ ଗଭୀର ଛାପ ଛାଡ଼ିଛନ୍ତି।

ଉଲ୍ଲେଖନୀୟ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଦକ୍ଷିଣ ଆଫ୍ରିକା ୪୯.୩ ଓଭରରେ ୨୪୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଜାସନ ରାଓ୍ଵଲ୍ସ ୧୧୪ ରନର ଶତକୀୟ ଇନିଂସ ଖେଳିଥିଲେ। ଜବାବରେ ଭାରତ ୨୩.୩ ଓଭରରେ ୨ ଓ୍ଵିକେଟ୍ ହରାଇ ୧୭୬ ରନ କରିଥିଲା। ବର୍ଷା ହେବାରୁ ମ୍ୟାଚ୍ ପୁନଃ ଆରମ୍ଭ ହୋଇ ପାରି ନ ଥିଲା। ଫଳରେ ଭାରତ ଡକଓ୍ଵର୍ଥ ଲୁଇସ ଅନୁସାରେ ମ୍ୟାଚକୁ ୮ ଓ୍ଵିକେଟ୍ରେ ଜିତି ନେଇଛି।