ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ମେ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ୩୨ ଏୟାରପୋର୍ଟ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଦେଶର ୨୪ ବିମାନ ବନ୍ଦରକୁ ମେ ୧୫ ତାରିଖ ସକାଳ ୫ଟା ୨୯ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଏହି ଅବଧି ସ୍ଥିର କରାଯାଇଥିଲା। ମାତ୍ର ଅପରେସନ ସିନ୍ଦୂର ଓ ପାକିସ୍ତାନ ପକ୍ଷରୁ ହେଉଥିବା ଡ୍ରୋନ ହମଲା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ଅନେକ ଏୟାରଲାଇନ୍‌ସକୁ ଯାତ୍ରୀଙ୍କ ପାଇଁ ଆଡଭାଇଜରି  ଜାରି କରି ବିମାନ ବନ୍ଦର ବନ୍ଦ ହେଉଥିବା ଓ ସୁରକ୍ଷା ପ୍ରୋଟୋକଲ୍ ବିଷୟରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ସମସ୍ତ ଏୟାରଲାଇନକୁ ଜଣାଇ ଦିଆଯାଇଥିଲା ଯେ, କେନ୍ଦ୍ରର ନିର୍ଦ୍ଦେଶ ମୁତାବକ ଯାତ୍ରୀଙ୍କୁ ବିମାନ ଉଡାଣ ଭରିବାର ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ। 

ବନ୍ଦ ରହିବ ଏହି ସବୁ ବିମାନ ବନ୍ଦର

ବନ୍ଦ କରାଯାଇଥିବା ବିମାନ ବନ୍ଦରରେ ଚଣ୍ଡିଗଡ଼,   ଶ୍ରୀନଗର, ଅମୃତସର, ଲୁଧିଆନା, ଭୁନ୍ତର, କିଶନଗଡ଼,  ପଠାନକୋଟ, ସିମଲା, ଜେସଲମେର, ଜମ୍ମୁ, ବିକାନେର, ଲେହର, ପୋରବନ୍ଦର, ପଟିଆଲା ପରି ସହର ସାମିଲ। 

ଏୟାରଲାଇନ୍ସ ପାଇଁ ଆଡଭାଇଜରି

ଏୟାର ଇଣ୍ଡିଆ ନିଜର ବୟାନରେ କହିଛି ଯେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଚଣ୍ଡିଗଡ଼, ଭୁଜ, ଜାମନଗର ଓ ରାଜକୋଟ୍‌ରୁ ଯାତାୟତ କରୁଥିବା ସମସ୍ତ ବିମାନ ମେ ୧୫ ସକାଳ ୫ଟା ୨୯ ସୁଦ୍ଧା ରଦ୍ଦ କରାଯାଉଛି। ଏହି ଟିକେଟ୍‌ ଉପରେ ରିସିଡ୍ୟୁଲିଂ କିମ୍ବା କ୍ୟାନ୍ସଲେସନର ଚାର୍ଜ ଲାଗିବ ନାହିଁ। ଇଣ୍ଡିଗୋ ବି ଘୋଷଣା କରିଛି ଯେ, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର, ଯୋଧପୁର, କିଶନଗଡ଼ ଓ ରାଜକୋଟ୍‌ର ଉଡ଼ାଣ ମେ ୧୫ ସକାଳ ୫ଟା ୩୦ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି।

ଦିଲ୍ଲୀ ବିମାନ ବନ୍ଦରରୁ ୧୦୦ରୁ ଅଧିକ ବିମାନ ବାତିଲ

ଦିଲ୍ଲୀର ଆଇଜିଆଇ ବିମାନବନ୍ଦରର ଅଧିକାରୀ କହିଛନ୍ତି ଯେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳ ୫ଟାରୁ ଅପରାହ୍ନ ୨ଟା ମଧ୍ୟରେ ମୋଟ ୬୬ଟି ଘରୋଇ ବିମାନ ବାତିଲ କରାଯାଇଥିଲା ଏବଂ ଅନ୍ୟ ସ୍ଥାନରୁ ଆସୁଥିବା ୬୩ଟି ବିମାନ ମଧ୍ୟ ବାତିଲ କରାଯାଇଥିଲା। ଏହି ସମୟ ମଧ୍ୟରେ ବିଦେଶକୁ ଯାଉଥିବା ୫ଟି ଏବଂ ବିଦେଶରୁ ଭାରତକୁ ଆସୁଥିବା ୪ଟି ବିମାନ ମଧ୍ୟ ବାତିଲ କରାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.