ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫-୨୬ରେ ସାରା ଦେଶରେ ୨୦୦ରୁ ଅଧିକ ଡେ-କେୟାର କ୍ୟାନ୍ସର ସେଣ୍ଟର ସ୍ଥାପନ କରାଯିବ । ଏଥି ପାଇଁ ଆବଶ୍ୟକୀୟ ମଞ୍ଜୁରି ମିଳିସାରିଛି । ଏଥିରେ ଆନ୍ଧ୍ର ପ୍ରଦେଶରେ ୧୪ଟି ସେଣ୍ଟର ସାମିଲ ଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଧବ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଅଧିକ ରୋଗୀ ଥିବା ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଏହା ଉପରେ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା ଓ ସମ୍ୱଳର ସର୍ବୋତ୍ତର ବ୍ୟବାହର କରିବା ଓ ରିପିଟେସନ୍ ଏଡାଇବା ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ସମନ୍ୱୟ ସମିତି ସେଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେଇଛି ।
ଜିଲ୍ଲା ହସ୍ପିଟାଲରେ ସ୍ଥାନ ଓ ଲଜିଷ୍ଟିକ୍ସର ଉପଲବ୍ଧତା ଅନୁସାରେ ଏହି ସେଣ୍ଟରଗୁଡ଼ିକୁ ସ୍ଥାପନ କରାଯିବ । ତେବେ ଉପଯୋଗିତା ଓ ରାଜ୍ୟର ପ୍ରସ୍ତାବ ଅଧାରରେ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସେଣ୍ଟର ସ୍ଥାପନ କରାଯିବ । ଗୋଟିଏ ଡେ-କେୟାର କ୍ୟାନ୍ସର ସେଣ୍ଟର ସ୍ଥାପନା ଲାଗି ପ୍ରାୟ ୧.୪୯ କୋଟି ଟଙ୍କା ଖର୍ଚ୍ଚ ହେବ ।
ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ କୋଭିଡ ଟୀକାକରଣର ହୃଦଘାତ ବିପଦ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ଆଇସିଏମ୍ଆରର ଏକ ଅଧ୍ୟୟନରେ ଜଣାପଡ଼ିଛି ଯେ କୋଭିଡ୍ ଟୀକାକରଣରୁ ଯୁବ ବୟସ୍କଙ୍କ ହଠାତ୍ ହେଉଥିବା ମୃତ୍ୟୁର ବିପଦ ବଢିନାହିଁ । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ହୃଦଘାତ ମାମଲା ସହ ଜଡ଼ିତ ଡାଟା କେନ୍ଦ୍ରୀୟ ସ୍ତରରେ ରଖାଯାଏ ନାହିଁ ।
ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ପ୍ରତାପରାଓ ଯାଧବ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଚଳିଚ ବର୍ଷ ଜୁଲାଇ ୨୦ ସୁଦ୍ଧା ୩୦ ବର୍ଷରୁ ଅଧିକ ବୟସର ୨୫.୪୨ କୋଟି ଯୋଗ୍ୟ ମହିଳାଙ୍କ ମଧ୍ୟରୁ ୧୦.୧୮ କୋଟି ମହିଳାଙ୍କର ଗର୍ଭାଶୟ କର୍କଟ (ସର୍ଭାଇକଲ୍ କ୍ୟାନ୍ସର) ରୋଗ ପାଇଁ ସ୍କ୍ରିନିଂ କରାଯାଇଛି । ସେ କହିଛନ୍ତି ଯେ ଦେଶରେ ଗର୍ଭାଶୟ କର୍କଟ ରୋଗ ସ୍କ୍ରିନିଂର ବର୍ତ୍ତମାନର ଅନୁପାତକୁ ଉନ୍ନତ କରିବା ପାଇଁ ପ୍ରୟାସ କରାଯାଇଛି । ସେ କହିଛନ୍ତି ଯେ ଏହି ପରୀକ୍ଷା ପ୍ରତି ପାଞ୍ଚ ବର୍ଷରେ ଥରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା କରାଯାଏ । ପିଜିଟିଭ ମାମଲାଗୁଡ଼ିକୁ ନିଦାନ ପାଇଁ ଉଚ୍ଚ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଏ ।