ପାକିସ୍ତାନର ୨ ଗୁପ୍ତଚର ଅମୃତସରରୁ ଗିରଫ, ସେନା ଘାଟିର ପଠାଉଥିଲେ ତଥ୍ୟ

Published By : Prameya-News7 Bureau | May 05, 2025 IST

ଅମୃତସର ୦୫।୫; ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ପଞ୍ଜାବ ପୋଲିସ ୨ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରିଛି । ପୋଲିସ ମୁତାବକ, ଉଭୟ ଗୁପ୍ତଚର ଅମୃତସରରେ ଆର୍ମି କ୍ୟାଣ୍ଟ ଓ ବାୟୁସେନା ଘାଟି ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିଲେ । ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ଏମାନେ ସମ୍ପର୍କରେ ଥିଲେ । 

ଏହି ପାକିସ୍ତାନୀ ଗୁପ୍ତଚରଙ୍କଠାରୁ ମୋବାଇଲ ଫୋନ୍‌ ଜବତ ହୋଇଛି । ଏଥିରେ ସେନାର ଗତିବିଧି ଓ ବାୟୁସେନାର କିଛି ଗୁରୁତ୍ୱପୂର୍ଣ୍ଣ ଫଟୋ ଥିଲା । ଉଭୟ ଅମୃତସର ଜେଲରେ ବନ୍ଦୀ ଥିବା ହରପ୍ରୀତ ସିଂହ ଓରଫ ପିଟ୍‌ଟୁ ଓରଫ ହାପି ଜରିଆରେ ଆଇଏସ୍‌ଆଇ ସହ ଯୋଗାଯୋଗରେ ରହିଥିଲେ । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ପଲକ ଶେର ମସିହ ଓ ସୁରଜ ମସିହ । ପଞ୍ଜାବର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ କହିଛନ୍ତି, ଏହି ଘଟଣାକୁ ନେଇ ସରକାରୀ ଗୋପନୀୟତା ଆଇନରେ ମାମଲା ରୁଜୁ କରାଯାଇଛି । ଅମୃତସର ଗ୍ରାମୀଣ ପୋଲିସ ଖୁବଶୀଘ୍ର ଏ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିବ । ତେବେ ପଞ୍ଜାବ ପୁଲିସ ଉଭୟ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି । 

ଏସ୍‌ଏସ୍‌ପି ମନିନ୍ଦର ସିଂହ କହିଛନ୍ତି, ପଲକ ଫର୍ଣ୍ଣିଚର କାମ କରୁଥିବା ବେଳେ ସୁରଜ ମୂଲ ଲାଗୁଥିଲା । ଏମାନଙ୍କ ଫୋନ୍‌ରୁ ଫଟୋ ଓ ଭିଡିଓ ମିଳିଛି । ୫୦୦ ଗ୍ରାମ୍‌ ହେରୋଇନ ଜବତ ମାମଲାରେ ଜେଲରେ ବନ୍ଦ ଥିବା ହାପି ଜରିଆରେ ଏମାନେ ପାକିସ୍ତାନୀ ଏଜେଣ୍ଟ ସହ ଯୋଗାଯୋଗରେ ରହିଥିଲେ । ଗୋଟିଏ ଫଟୋ ପଠାଇବା ଲାଗି ୫ ହଜାରରୁ ୧୦ ହଜାର ଟଙ୍କା ନେଉଥିଲେ । ଥାନା ସଂକ୍ରାନ୍ତ ସୂଚନା ବି ଏମାନେ ପାକିସ୍ତାନକୁ ପଠାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.