ଇମ୍ରାନ ଖାନଙ୍କୁ ବଡ଼ ଝଟ୍‌କା, ୧୭ ବର୍ଷ ଜେଲଦଣ୍ଡ ଦେଲେ ପାକିସ୍ତାନର କୋର୍ଟ

NEWS7
2-mruta-deha-found-near-railway-golanthara-station

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ବଡ଼ ଝଟକା। ଦୁର୍ନୀତି ମାମଲାରେ ଉଭୟଙ୍କୁ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FIA)ର ଏକ ସ୍ୱତନ୍ତ୍ର କୋର୍ଟ। କୋର୍ଟ ଏହି ରାୟ ପ୍ରକାଶ କରି ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାମଲାଟି 2021 ମସିହାର। ସେତେବେଳେ ସାଉଦି ଆରବର ଯୁବରାଜ ଇମ୍ରାନ ଖାନଙ୍କୁ ଏକ ଅତ୍ୟନ୍ତ ମୂଲ୍ୟବାନ ବୁଲଗାରୀ ଅଳଙ୍କାର ସେଟ୍ ଉପହାର ଦେଇଥିଲେ। ତଦନ୍ତରୁ ଜଣାପଡିଥିଲା ଯେ ଅଳଙ୍କାରଗୁଡ଼ିକ ପ୍ରକୃତରେ 71.5 ମିଲିୟନ ପାକିସ୍ତାନୀ ଟଙ୍କାରୁ ଅଧିକ ମୂଲ୍ୟର ଥିଲା, କିନ୍ତୁ ନିୟମ ଉଲ୍ଲଂଘନ କରି କେବଳ 5.8 ମିଲିୟନ ଟଙ୍କାରେ କ୍ରୟ କରାଯାଇଥିଲା। କୋର୍ଟ ଏହାକୁ ଜନସାଧାରଣଙ୍କ ବିଶ୍ୱାସ ଏବଂ ଦୁର୍ନୀତିଗ୍ରସ୍ତ ଆଚରଣ ବିରୁଦ୍ଧରେ ଠକେଇ ବୋଲି କହିଛନ୍ତି।

ଅଦାଲତର ରାୟ ଅନୁଯାୟୀ, ଇମ୍ରାନ ଖାନଙ୍କୁ ଅପରାଧିକ ପାଇଁ ୧୦ ବର୍ଷ ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ବୁଶରା ବିବିଙ୍କୁ ମଧ୍ୟ ସମାନ ଅଭିଯୋଗରେ ମୋଟ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ସହିତ, ଉଭୟଙ୍କ ଉପରେ ୧୬.୪ ମିଲିୟନ ଜରିମାନା ମଧ୍ୟ କରାଯାଇଛି। ଜରିମାନା ଦେବାକୁ ବିଫଳ ହେଲେ ଅତିରିକ୍ତ ଜେଲଦଣ୍ଡ ହେବା ନେଇ ରାୟରେ କୁହାଯାଇଛି।

ପ୍ରକାଶଥାଉକି- ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ବିଭିନ୍ନ ମାମଲାରେ ଜେଲରେ ଅଛନ୍ତି। ପୂର୍ବରୁ ଜାନୁଆରୀ 2025 ରେ, ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଏବଂ ବୁଶରା ବିବିଙ୍କୁ ୭ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ତଥାପି ଇସଲାମାବାଦ ହାଇକୋର୍ଟ ଏପ୍ରିଲ 2024ରେ ତୋଶାଖାନା-1 ମାମଲାରେ ଦଣ୍ଡାଦେଶ ଉପରେ ସ୍ଥଗିତ ରଖିଥିଲେ। ତୋଶାଖାନା-2 ମାମଲାରେ ଏହି ନିଷ୍ପତ୍ତିକୁ ମଧ୍ୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସୂଚନା ଦେଇଛନ୍ତି ଇମ୍ରାନ ଖାନ।