ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର, କେନ୍ଦ୍ର ଶ୍ରମ କମିଶନରଙ୍କ ସହ ବୈଠକ ପରେ UFBUର ଘୋଷଣା

Published By : Prameya-News7 Bureau | March 21, 2025 IST

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଓ ୨୫ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ହୋଇଛି । ୟୁନାଇଟେଡ୍ ଫୋରୋମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ ପକ୍ଷରୁ ଡାକାର ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । କେନ୍ଦ୍ର ଶ୍ରମ କମିଶନର ଓ ୟୁନାଇଟେଡ୍ ଫୋରୋମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ (UFBU) ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏକ ସର୍କୁଲାରରେ UFBU କହିଛି ଯେ ଶୁକ୍ରବାର ଧର୍ମଘଟ ପ୍ରସଙ୍ଗରେ ବୈଠକ ହୋଇଥିଲା । ଏଥିରେ ପାଞ୍ଚ ଦିନିଆ ବ୍ୟାଙ୍କିଂ ସପ୍ତାହ, ନିଯୁକ୍ତି, ପିଏଲଆଇ ଉପରେ ବିସ୍ତୃତରେ ଆଲୋଚନା ହୋଇଥିଲା । ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ (ଆଇବିଏ) ଓ ଫାଇନାନ୍ସ ସର୍ଭିସ୍ ବିଭାଗ (ଡିଏଫଏସ)ର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ଡିଏଫଏସର ଯୁଗ୍ମ ସଚିବ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ ।

ୟୁଏଫବିୟୁ ବୟାନରେ କହିଛି, 'ଏକ ସାର୍ଥକ ଆଲୋଚନା ହୋଇଛି ଓ କେନ୍ଦ୍ର ଶ୍ରମ କମିଶନର ପାଞ୍ଚ ଦିନିଆ ବ୍ୟାଙ୍କିଂ ପ୍ରସ୍ତାବକୁ ବ୍ୟକ୍ତିଗତ ଭାବେ ମନିଟର୍ କରିବେ ବୋଲି ଭରସା ଦେଇଛନ୍ତି । ଆଇବିଏ ନିଯୁକ୍ତି, ପିଏଲଆଇ ଓ ଅନ୍ୟ ଚିନ୍ତା ଉପରେ ପ୍ରସ୍ତାବ ଦେଇଥିଲା । ସକାରାତ୍ମକ ଆଲୋଚନା ପରେ ଆମେ ଏହି ଧର୍ମଘଟକୁ ଆସନ୍ତା ମାସେ କିମ୍ୱା ଦୁଇ ମାସ ପାଇଁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଲୁ ।' ପରବର୍ତ୍ତୀ ଆଲୋଚନା ଏପ୍ରିଲ ତୃତୀୟ ସପ୍ତାହରେ କରାଯିବା ନେଇ ସ୍ଥିର ହୋଇଛି ।

ବ୍ୟାଙ୍କ ଧର୍ମଘଟ ଘୋଷଣା ପରେ ସାରା ଦେଶରେ ବ୍ୟାଙ୍କି ସେବା ମାର୍ଚ୍ଚ ୨୪ରୁ ୨୫ ଯାଏ ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଥିଲା । ମାର୍ଚ୍ଚ ୨୨ ଓ ୨୩ ବ୍ୟାଙ୍କ ଛୁଟି ଥିବା ବେଳେ ଧର୍ମଘଟ ୨୪ ଓ ୨୫ରେ ହେବା ନେଇ ଘୋଷଣା ହୋଇଥିଲା । ତେଣୁ ଦେଶରେ ୪ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିଥାନ୍ତା । ଫଳରେ ନଗଦ କାରବାର, ଚେକ୍ କ୍ଲିୟରିଂ, ରେମିଟାନ୍ସ ଓ ଋଣ ପ୍ରକ୍ରିୟା ପ୍ରଭାବିତ ହୋଇଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.