କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାଇକ, ସ୍କୁଟର ଥୋଇଦେଲେ, ଏବେ ଅଫିସରେ ଖାଉଛି ଖତ

Published By : Prameya-News7 Bureau | July 25, 2025 IST

କଟକ ୨୫/୦୭: ପୋଲିସ ଅଫିସରଙ୍କ ପାଇଁ ସ୍ପିଡ୍‌ ବାଇକ୍‌ ଓ ମହିଳା ଅଫିସର୍‌ଙ୍କ ଲାଗି ସ୍କୁଟର୍‌ କିଣାଯାଇଛି । ସେହିପରି ଦୁର୍ଗମ ଇଲାକା ଓ ଟ୍ରାଫିକ୍ ପୁଲିସ ପାଟ୍ରୋଲିଂରେ ବ୍ୟବହାର ପାଇଁ ବୁଲେଟ୍‌ କିଣାଯାଇଛି । ବୁଲେଟ୍‌, ସ୍ପିଡ୍‌ ବାଇକ୍‌ ଓ ସ୍କୁଟର  ଚଢ଼ି ପୁଲିସ ଅଫିସରମାନେ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯା’ଆସ କରିବେ ବୋଲି ପୋଲିସ ମୁଖ୍ୟାଳୟ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଡ଼ି କିଣିଛି । 

ଉକ୍ତ ନୂଆ ଗାଡ଼ିଗୁଡ଼ିକ ପୁଲିସ ମୋଟର ପରିବହନ ସଂସ୍ଥା(ପିଏମ୍‌ଟି)ଅଧୀନରେ କିଣାଯାଇ ତାହା କଟକ ଆର୍‌ଟିଓ(ଆଞ୍ଚଳିକ ପରିବହନ ଅଧିକାରୀ)ଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରେସନ୍‌ କାର୍ଯ୍ୟ ମଧ୍ୟ ସରିଛି । ପୋଲିସ ବିଭାଗ ଶହ ଶହ ସଂଖ୍ୟାରେ ବୁଲେଟ୍‌, ଆପାଚି ବାଇକ୍‌ ଓ ସ୍କୁଟି କିଣି ତାହାକୁ ପିଏମ୍‌ଟି ମାର୍ଫତରେ ଥୋଇ ଦେଇ ଏବେ ଦାୟିତ୍ୱ ସାରିବସିଛି । ଜାଗା ଅଭାବରୁ ପିଏମ୍‌ଟି ସଂସ୍ଥା  ନୂଆ ଗାଡ଼ିଗୁଡ଼ିକୁ ଷଷ୍ଠ ବାଟାଲିୟନ୍‌  ପରିସରରେ ଗଦା କରିଛି । 

ପ୍ରାୟ ତିନି ମାସ ହେଲା ଦୁଇ କୋଟିରୁ ଅଧିକ ଟଙ୍କାର ଗାଡ଼ି ଷଷ୍ଠ ବାଟାଲିୟନ୍‌ ପରିସରରେ ଖୋଲା ଆକାଶ ତଳେ ଖରା ଓ ବର୍ଷାରେ ପଡ଼ିଛି । ନୂଆ ଗାଡ଼ିଗୁଡ଼ିକ ବାହାରେ ପଡ଼ିଥିଲେ ହେଁ ଏହାର ରକ୍ଷଣାବେକ୍ଷଣ କରିବାକୁ କେହି ନାହିଁ । ଏଣୁ ଏହା  ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ରାଜ୍ୟବ୍ୟାପୀ ବିଭିନ୍ନ ଥାନାର ଏଏସ୍‌ଆଇଙ୍କଠାରୁ ଏସ୍‌ଆଇ, ଇନ୍ସପେକ୍ଟରମାନଙ୍କ ପାଇଁ କିଣାଯାଇଥିବା ନୂଆ ଗାଡ଼ିଗୁଡ଼ିକ ଜିଲ୍ଲାସ୍ତରକୁ ଯୋଗାଣ  ପାଇଁ ୨୭ ଶହ ବାଇକ୍‌, ୨ ଶହ ବୁଲେଟ୍‌, ୭ ଶହ ସ୍କୁଟି ପ୍ରାୟ ୩ ମାସ ହେଲା କିଣାଯାଇଛି । 

ପ୍ରତି ଜିଲ୍ଲାକୁ ଯୋଗାଣ  ପାଇଁ ବ୍ୟବସ୍ଥା ରହିଥିଲେ ହେଁ ତାହା  କାହିଁକି ପଠାଯାଉନାହିଁ ସେ ସମ୍ପର୍କରେ  ପିଏମ୍‌ଟି ସଂସ୍ଥାର ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି । କଟକ କମିସନରେଟ୍‌, ଭୁବନେଶ୍ୱର କମିସନରେଟ୍‌, କଟକ ଜିଲ୍ଲା  ପୁଲିସର ଅଫିସରମାନଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ କିଛି ବାଇକ୍‌ ଓ ସ୍କୁଟର୍‌  ଯୋଗାଇ ଦିଆଯାଇଥିଲେ ହେଁ ବାକି ଅନେକ  ଜିଲ୍ଲାକୁ ବୁଲେଟ୍‌, ଆପାଚି ବାଇକ୍‌ ଓ ସ୍କୁଟର୍‌  ଯୋଗାଣ ନ ହୋଇ ଗଦା ହୋଇଛି ।  

ଅଫିସର୍‌ମାନଙ୍କ ପାଇଁ ପୋଲିସ ବିଭାଗ ପକ୍ଷରୁ ଟିଭିଏସ୍‌ ଆପାଚି ସ୍ପିଡ୍‌ ବାଇକ୍‌ ରାଜ୍ୟ ବ୍ୟାପୀ ବନ୍ଦୋବସ୍ତ କରାଯାଇଛି । ବାଇକ୍‌ ପିଛା ମାସକୁ ୨୦ ଲିଟର ପେଟ୍ରୋଲ୍‌ ମିଳିବ । ଆବଶ୍ୟକ  ସ୍ଥଳେ ତେଲ ପରିମାଣ ବଢ଼ାଇବା ପାଇଁ  ମଧ୍ୟ ଏସ୍‌ପି ଏବଂ କମିସନରେଟ୍‌  ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଅଫିସର୍‌ମାନେ ଘଟଣାସ୍ଥଳକୁ ତଦନ୍ତ  କିମ୍ବା ପୁଲିସର ବିଭିନ୍ନ କାମରେ ଏହି  ଆପାଚି ବାଇକ୍‌ ନେଇଯିବା ଲାଗି ସୁବିଧା ରହିଛି । 

ତେବେ ପ୍ରାଥମିକ ପର୍ଯ୍ୟାୟରେ  ପୁରୁଷ ବର୍ଗର ଅଫିସର୍‌ମାନଙ୍କ ପାଇଁ  ଆପାଚି ବାଇକ୍‌ ଦିଆଯାଇଥିବା ବେଳେ ମହିଳା ଅଫିସର୍‌ମାନଙ୍କ ସ୍କୁଟି ବନ୍ଦୋବସ୍ତ କରାଯାଉଥିବା ସୂଚନା  ମିଳିଛି । ଟେଣ୍ଡର୍‌ ମାଧ୍ୟମରେ ପୁଲିସ  ବିଭାଗ ଗାଡ଼ି ଗୁଡ଼ିକୁ କିଣିଥିଲେ ହେଁ ତାହା  ପିଏମ୍‌ଟି ଏସ୍‌ପିଙ୍କ ନାଁରେ ପରିବହନ ବିଭାଗରେ ରେଜିଷ୍ଟ୍ରେସନ୍‌ ହୋଇଛି । ଉକ୍ତ ଗାଡ଼ିଗୁଡ଼ିକ ଦୀର୍ଘ ଦିନ ହେଲା ଖରା, ବର୍ଷାରେ ବାହାରେ ପଡ଼ି ନଷ୍ଟ ହେଉଥିଲେ ହେଁ ଏହାକୁ ଦେଖାଶୁଣା କରିବାକୁ କେହି  ନାହିଁ । 

ଅନ୍ୟପକ୍ଷରେ ପିଏମ୍‌ଟି ବିଭାଗରେ  ଏସ୍‌ପି ଏବେ ନାହାନ୍ତି । ଏସ୍‌ପି ନ ଥିବାରୁ  ଗାଡ଼ି ଯୋଗାଣରେ ବିଳମ୍ବ ହେଉଥିବା  ଖବର ମିଳିଛି । ଏ ସମ୍ପର୍କରେ ପୁଲିସ  ମୁଖ୍ୟାଳୟର ପ୍ରୋଭିଜନିଙ୍ଗ୍‌ ଡିଆଇଜି  ଚରଣ ସିଂ ମୀନାଙ୍କ ପ୍ରତିକ୍ରିୟା ନେବାରୁ  ସେ କହିଥିଲେ, ରାଜ୍ୟର ବିଭିନ୍ନ ଜିଲ୍ଲାର ତଦନ୍ତକାରୀ ଅଫିସରମାନଙ୍କ ପାଇଁ ନୂଆ  ଦୁଇ ଚକିଆ ଗାଡ଼ି ପଠାଯାଇ ସାରିଛି ।  ଆଉ ଯେଉଁ କିଛି ଗାଡ଼ି ରହିଛି ତାହାକୁ  ଭୁବନେଶ୍ୱରରେ ଟ୍ରେନିଂ ନେଉଥିବା  ନବାଗତ ଅଫିସରଙ୍କୁ ପ୍ରଦାନ କରାଯିବ ।





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.