ସତ ହେବ କି ଆମେରିକାର ରିପୋର୍ଟ: ଭାରତ ଉପରେ ଆଟାକ୍ କରିବନି ତ ଚୀନ? ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

NEWS7
15-years-boy-drown-to-death-in-brahmagiri

ନୂଆଦିଲ୍ଲୀ: କିଛିଦିନ ତଳେ ଆମେରିକାର ପ୍ରତିରକ୍ଷା ବିଭାଗ ଚୀନ ଓ ଭାରତର ସମ୍ଭାବ୍ୟ ଯୁଦ୍ଧକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ବେଜିଂ ତାଇୱାନ ସହିତ ଅରୁଣାଚଳ ପ୍ରଦେଶକୁ ନିଜର କୋର ଅଫ୍ ଇଣ୍ଟରେଷ୍ଟରେ ରଖିଛି ବୋଲି କହିଥିଲା ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ। ଯାହାକୁ ପରେ ଚୀନ ଖଣ୍ଡନ କରିଥିଲା। ହେଲେ ଏବେ ଲାଗୁଛି ଚୀନ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ହେଲେ ତାହା ଅରୁଣାଚଳ ପ୍ରଦେଶରୁ ନୁହେଁ ବରଂ ଲଦାଖରୁ।

ପୂର୍ବ ଲଦାଖରେ ସୀମା ଆରପଟେ ଚୀନ ତିଆରି କରୁଛି ବଡ଼ ଷଡ଼ଯନ୍ତ୍ର। ଯାହାର ସ୍ୱରୂପ ଏବେ ମିଡିଆ ସାମ୍ନାକୁ ଆସିଛି। ନୂଆ ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ ଚୀନ୍ ବିବାଦୀୟ ପୂର୍ବ ଲଦାଖ୍ ଅଞ୍ଚଳର ପାଙ୍ଗୋଙ୍ଗ୍ ସୋରେ ତା’ର ସ୍ଥାୟୀ ସାମରିକ ଘାଟିକୁ ତିଆରି କରୁଛି। ୧୯୬୨ ଯୁଦ୍ଧ ପରଠାରୁ ଚୀନ୍ ସିରିଜାପ୍ ପୋଷ୍ଟ ନିକଟରେ ଏହି ସ୍ଥାନକୁ ନିୟନ୍ତ୍ରଣ କରିଆସୁଛି। ଯୁଦ୍ଧ ପୂର୍ବରୁ ଏହା ଭାରତର ଅଂଶ ଥିଲା।

ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଏକାଧିକ ସ୍ଥାୟୀ ପ୍ରକଳ୍ପ ଉପରେ ହେଉଥିବା ନୂଆ ନିର୍ମାଣ ପାଙ୍ଗୋଙ୍ଗ ଲେକ୍ର କିଛି ମିଟର ଦୂରରେ ହେଉଛି। ଏହା ଚୀନ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ବଫର ଜୋନ୍ ନିକଟରେ ଅଧିକ ସାମରିକ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଏହା ଚୀନର ପିପୁଲ୍ସ ଲିବରେସନ ଆର୍ମି୍କୁ ସୁବିଧା ପ୍ରଦାନ କରିବ।

୨୦୧୩ ମସିହାରେ ଚୀନ୍ ଏହି ଅଞ୍ଚଳରେ ଏକ ରୋଡ୍ ନେଟୱାର୍କ ସ୍ଥାପନ କରିଥିଲା, ଯାହାକୁ ପ୍ରାରମ୍ଭରେ ଉଭୟ ପକ୍ଷ ପାଟ୍ରୋଲିଂ ପାଇଁ ବ୍ୟବହାର କରୁଥିଲେ। କିନ୍ତୁ, ମେ ୨୦୨୦ ର ସୈନ୍ୟ ସଂଘର୍ଷ ପରଠାରୁ, ଭାରତୀୟ ପାଟ୍ରୋଲିଂ ଦଳକୁ ଏଠାରେ ପାଟ୍ରୋଲିଂ କରିବାକୁ ଅନୁମତି ଦିଆଯାଉ ନାହିଁ।

୨୦୨୦ ମସିହାରୁ, ସୈନିକଙ୍କୁ ରଖିବା ପାଇଁ ଅସ୍ଥାୟୀ ଭିତ୍ଥିଭୂମିର ବ୍ୟବହାର କରାଯାଉଛି। ତା ସହିତ ହ୍ରଦ ପାର ହୋଇ ଯିବା ଆସିବା କାମକୁ ସହଜ କରିବା ପାଇଁ ଡଙ୍ଗା ଏବଂ ଏକ ଘାଟ ବି ତିଆରି ହୋଇଛି। ଡିସେମ୍ବର ୨୮ ତାରିଖରେ ସ୍ପେଶ୍ ଇଣ୍ଟେଲିଜେନ୍ସ ଫାର୍ମ ଭା୍ଟୋର ଦ୍ୱାରା ପ୍ରଦାନ କରାଯାଇଥିବା ଚିତ୍ରଗୁଡ଼ିକରେ ଅସ୍ଥାୟୀ ବାସସ୍ଥାନ ଏବଂ ନୂଆ ନିର୍ମାଣ ସ୍ଥାନ ଥିବା ସ୍ପଷ୍ଟ ଦେଖା ଯାଉଛି। ଗତ ବର୍ଷ ଜୁନ୍ ୨ ତାରିଖରେ ନିଆଯାଇଥିବା ଚିତ୍ରରେ ଘାଟ ପାଖରେ ଦେଖାଯାଇଥିବା ଡଙ୍ଗାଗୁଡ଼ିକୁ ଏବେ ଘୋଡାଇ ଦିଆଯାଇଛି ଏବଂ ପାଣିଠାରୁ ଦୂରରେ ରଖାଯାଇଛି। ସମ୍ଭବତଃ ଶୀତ ଚାଲିଥିବାରୁ ହ୍ରଦର ପାଣି ଜମାଟ ବାନ୍ଧିବାର ଆଶଙ୍କା ଥିବାରୁ ଡଙ୍ଗାଗୁଡ଼ିକୁ ଦୂରେଇ ରଖାଯାଇଛି।

ଚିତ୍ରରୁ ଯାହା ଲାଗୁଛି ଯେ ୨୦୨୫ର ଦ୍ୱିତୀୟ ଷଡ଼ ମାସିକରେ ଚୀନ ସାଇଟ୍ରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ବଢ଼ାଇଛି। ଡିସେମ୍ବରରେ କ୍ୟାପ୍ଚର ହୋଇଥିବା ଫଟୋରେ ବିଲ୍ଡିଂର ଚିତ୍ର ସ୍ପଷ୍ଟ ଦେଖାଯାଉଛି।

ଗତ ବର୍ଷ ଭାରତ-ଚୀନ୍ ସମ୍ପର୍କରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲା। ସାତ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି SCO ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ଗସ୍ତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିଥିଲେ।

ପୂର୍ବ ଲଦାଖରେ ସମସ୍ତ ବିବାଦୀୟ ବିନ୍ଦୁରୁ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ହେବାରେ ସଫଳ ହୋଇଥିଲେ। ଏଥିରେ ଦୁଇ ଦେଶର ସେନାର ମୁହାଁମୁହିଁ ସ୍ଥିତିରୁ ଟିକେ ଆରାମ ମିଳିଥିଲା। କିନ୍ତୁ ଚୀନର ପ୍ରକୃତ ଉଦ୍ଦେଶ୍ୟ ଓ ସୀମାରେ ଏହାର ଭିବିଷ୍ୟତର ଆଭିମୁଖ୍ୟକୁ ନେଇ ସବୁବେଳେ ପ୍ରଶ୍ନ ଛିଡ଼ା କରିଛି।

କିଛିଦିନ ତଳେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଚୀନର ନିହତ ସ୍ୱାର୍ଥକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ଦତର ଅଂଶ ଜାଙ୍ଗନାନ ବୋଲି ଦାବି କରୁଛି। ୨୦୪୯ ସୁଦ୍ଧା ଏକ ବଡ଼ ପୁନରୁଦ୍ଧାର ଯୋଜନାରେ ସେ ଏହାକୁ ହାସଲ କରିବାର ବ୍ୟାପକ ଯୋଜନା କରୁଛି।

ପେଣ୍ଟାଗନର ଏହି ରିପୋର୍ଟକୁ ନେଇ ଭାରତ କେତେ ସତର୍କ ଥିବ ତାହା କେବଳ ସରକାରଙ୍କୁ ଜଣା। ହେଲେ ଚୀନ କିନ୍ତୁ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲା। ଆଉ କହିଥିଲା ଆମେରିକା ଆମ ପ୍ରତିରକ୍ଷା ଆଭିମୁଖ୍ୟକୁ ଭୁଲ ଭାବରେ ଦର୍ଶାଉଛି। ଏବଂ ଭାରତ ସହ ଆମର ସୁଧୁରୁଥିବା ସମ୍ପର୍କରେ ବାଧା ସୃଷ୍ଟି କରିବାକୁ ଚାହୁଁଛି। ଭାରତ ସମ୍ମୁଖରେ ଛବି ସୁଧାରିବାକୁ ହୁଏତ ଚୀନ ଏଭଳି ପ୍ରତିକ୍ରିୟା ଦେଇଥାଇପାରେ, ହେଲେ ଚୀନ ଭଳି ବିସ୍ତାରବାଦୀ ମାନସିକତା ରଖୁଥିବା ଏକ ପଡ଼ୋଶୀକୁ ଭାରତ କେବେ ବି ବିଶ୍ୱାସ କରିବା ଉଚିତ୍ ନୁହେଁ। ଏକଥା ୧୯୬୨ ମସିହା ଯୁଦ୍ଧ ହିଁ ବୟାନ କରୁଛି। ହିନ୍ଦୀ-ଚୀନ ଭାଇ ଭାଇ କହି ନେହରୁଙ୍କ ପିଠିରେ ମାଓ ଜିଡୋଂ କିଭଳି ଛୁରି ଭୁସିଥିଲେ ଏକଥା ଭାରତ ଭୁଲିବା କଥା ନୁହେଁ।