ଅହମ୍ମଦାବାଦ ବିମାନ ଦୁର୍ଘଟଣାର ୪ ଦିନ ପରେ ଏୟାର ଇଣ୍ଡିଆର ୧୧୨ ପାଇଲଟ୍ ହଠାତ୍ ନେଇଥିଲେ ଛୁଟି, ଦର୍ଶାଇଥିଲେ ଏହି କାରଣ

Published By : Prameya-News7 Bureau | July 24, 2025 IST

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଜୁନ୍ ୧୨ ହୋଇଥିବା ବିମାନ ଦୁର୍ଘଟଣାର ଚାରି ଦିନ ପରେ ଏୟାର ଇଣ୍ଡିଆର ୧୧୨ ଜଣ ପାଇଲଟ୍ ଛୁଟିରେ ଚାଲି ଯାଇଥିଲେ । ସମସ୍ତେ ଅସୁସ୍ଥତା କାରଣ ଦର୍ଶାଇ ଛୁଟି ନେଇଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ମରଲୀଧର ମୋହୋଲ ସଂସଦରେ ଏହି ସୂଚନା ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଏୟାର ଇଣ୍ଡିଆରେ AI-171 ଦୁର୍ଘଟଣା ପରେ ସବୁ ଫ୍ଲିଟ୍‌ର ପାଇଲଟ୍ ଅସୁସ୍ଥତା ଛୁଟି ବଢିଥିଲା ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ସାମୂହିକ ‘ସିକ୍ ଲିଭ୍’ ଉପରେ ବିଜେପି ସାଂସଦ ଜୟ ପ୍ରକାଶ ସଂସଦରେ ପ୍ରଶ୍ନ କରିଥିଲେ । ଏହାର ଜବାବରେ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ମୋହୋଲ ଲିଖତରେ କହିଛନ୍ତି, ଜୁନ୍ ୧୬ରେ ମୋଟ ୧୧୨ ପାଇଲଟ୍ ଅସୁସ୍ଥ ହୋଇଥିବା ସୂଚନା ଦେଇଥିଲେ । ଏଥିରୁ ୫୧ ଜଣ କମାଣ୍ଡର୍ସ (ପି ୧) ଓ ୬୧ ଫର୍ଷ୍ଟ ଅଫିସର (ପି ୨) ସାମିଲ ଥିଲେ ।

ଦୁର୍ଘଟଣା ପରେ ବେସାମରିକ ବିମାନ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏକ ମେଡିକାଲ୍ ସର୍କୁଲାରେ ବିମାନ ପରିଚାଳନା କମ୍ପାନିଗୁଡ଼ିକୁ ପରାମର୍ଶ ଜାରି କରିଥିଲା । ଏଥିରେ ପାଇଲଟ୍ କ୍ରୁ ଓ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ସଙ୍କ ମାନସିକ ସ୍ୱାସ୍ଥ୍ୟର ଆକଳନ କରିବା ପାଇଁ କୁହାଯାଇଥିଲା । ଏହାସହ ସ୍ୱାସ୍ଥ୍ୟ ଉପରେ ପଡ଼ିବାକୁ ଥିବା ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନା ପାଇଁ କୁହାଯାଇଥିଲା ।

ଏହାସହ ମନ୍ତ୍ରୀ କହିଛନ୍ତି ଯେ ମାନସିକ ସ୍ୱାସ୍ଥ୍ୟ ଉପରେ ନରୀକ୍ଷଣ ପାଇଁ ଅପରେଟର୍ସ, ଏଫଟିଓ ଓ ଏଏଆଇକୁ ନିଜ କର୍ମଚାରୀଙ୍କ ପାଇଁ ଏକ ସପୋର୍ଟ ପ୍ରୋଗ୍ରାମ ଆୟୋଜନ ପାଇଁ ପରାମର୍ଶ ଦିଆଯାଇଛି । ବିମାନ ପରିଚାଳନା କମ୍ପାନିଗୁଡ଼ିକ ପାଇଁ ଏହି ମାର୍ଗଦର୍ଶିକା ଅନୁକରଣ କରିବା ଜରୁରି ଅଟେ । ଏହାଦ୍ୱାରା ବିମାନର କ୍ରୁ ସଦସ୍ୟ/ଏଟିସିଓକୁ ଯେକୌଣସି ପ୍ରକାର ସମସ୍ୟା ଚିହ୍ନଟ ଓ ତା’ର ସାମନା କରିବା ଏବଂ ନିୟନ୍ତ୍ରଣ କରିବାରେ ସହଯୋଗ ମିଳିବ । ଏହି ଦୁର୍ଘଟଣାରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନରେ ଜଣେ ଯାତ୍ରୀଙ୍କୁ ଛାଡ଼ି ସମସ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ, ବିମାନଟି ଯେଉଁ ମେଡିକାଲ୍ ହଷ୍ଟେଲ୍ କୋଠାରେ ପଡ଼ିଥିଲା ସେଠାରେ ମଧ୍ୟ ଅନେକଙ୍କ ଜୀବନ ଯାଇଥିଲା । ଦୁର୍ଘଟଣାରେ ମୋଟ ୨୬୦ ଜଣ ପ୍ରାଣ ହରାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.