ନୂଆଦିଲ୍ଲୀ ୧୫।୦୬: ନାଇଜେରିଆରେ ବନ୍ଧୁକଧାରୀଙ୍କ ତାଣ୍ଡବ । ଗଣହତ୍ୟା କଲେ ଆତତାୟୀ । ସାଧାରଣ ଲୋକଙ୍କ ଉପରେ ଚଳାଇଲେ ଗୁଳି । ଏପିରିକି ଏକ ବନ୍ଦ କୋଠରୀରେ ଲୋକଙ୍କୁ ଜିଅନ୍ତା ଜାଳିଦେଇଛନ୍ତି । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ଥିବା ସୂଚନା ମିଳିଛି । ଏହି ବର୍ବରତାର ଘଟଣା ପରେ ଅନେକ ଲୋକ ନିଖୋଜ ଥିବା ଖବର ମିଳିଛି ।
ଖବର ଅନୁଯାୟୀ, ନାଇଜେରିଆର ମଧ୍ୟ ବେନ୍ୟୁ ରାଜ୍ୟ ୟେଲେଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ବନ୍ଧୁକଧାରୀମାନେ ସବୁ ସୀମା ପାର୍ କରିଦେଇଛନ୍ତି । ବନ୍ଧୁକଧାରୀମାନେ ବନ୍ଦ କୋଠରୀରେ ଲୋକଙ୍କ ଜିଅନ୍ତା ଜାଳି ଦେଇଛନ୍ତି । ଅତିକମ୍ରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ଅନେକ ଲୋକ ବର୍ତ୍ତମାନ ଯାଏଁ ନିଖୋଜ ଅଛନ୍ତି ।
ବେନ୍ୟୁ ରାଜ୍ୟରେ ଅନେକ ସମୟରେ ଏପରି ରକ୍ତପାତ ହେଉଛି । ଏହାକୁ ତୁରନ୍ତ ରୋକିବାକୁ ଏବଂ ଅପରାଧୀଙ୍କୁ କାଠଗଡ଼ାକୁ ଅଣାଯିବା ଦରକାର ବୋଲି ନାଇଜେରିଆ ଅଧିକାରୀ କହିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ଯାଏ ୟେଲେବାଟାରେ ଆକ୍ରମଣ କରିଥିବା ବନ୍ଧୁକଧାରୀଙ୍କ ଦ୍ୱାରା ଅତିକମ୍ରେ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । ଅନେକ ପରିବାରକୁ ଘରେ ବନ୍ଦ କରି ଜିଅନ୍ତା ଜାଳି ଦିଆଯାଇଛି ।