ବ୍ରହ୍ମପୁର ୧୭।୦୬ : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ କବଜାରେ ୧୦ ଅଭିଯୁକ୍ତ । ସୋମବାର ୭ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିବା ବେଳେ ଫେରାର ୩ ଜଣଙ୍କୁ ମଙ୍ଗଳବାର ଧରିଥିଲା ପୁଲିସ । ତେବେ ୬ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଜଣ ନାବାଳକ ଅଛନ୍ତି । ଘଟଣାସ୍ଥଳରେ ସ୍ଥିତି ତଦାରଖ କରିଛନ୍ତି ବ୍ରହ୍ମପୁର ଏସ୍ପି ସର୍ବଣା ବିବେକ ଏମ୍ ।
ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ସୋମବାର ରାତିରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣକ ବୁଲିବାକୁ ଯାଇଥିବା ବେଳେ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ପୋଲିସ ତଦନ୍ତ କରି ସୋମବାର ରାତିରେ ୭ ଜଣଙ୍କୁ ଅଟକ ରଖିଥିବା ବେଳେ ମଙ୍ଗଳବାର ଆଉ ୩ ଜଣଙ୍କୁ କାବୁ କରିଥିଲା । ସମସ୍ତଙ୍କୁ ଅଟକ ରଖି ଜେରା କରୁଥିଲା ପୋଲିସ । ବ୍ରହ୍ମପୁର ଏସ୍ପି, ଏସ୍ଡିପିଓ, ଡିଏସ୍ପି, ଅତିରିକ୍ତ ଏସ୍ପି ଗୋପାଳପୁର ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି କହିଛନ୍ତି, ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ୪ ଜଣ ନାବାଳକଙ୍କୁ ଜୁଭେନାଇଲ ବୋର୍ଡରେ ହାଜର କରାଯିବ । ୩ ଜଣ ଦୁଷ୍କର୍ମ କରିଥିବା ବେଳେ ୭ ଜଣ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଥିଲେ । ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଦୃଢ଼ ଦଣ୍ଡବିଧାନ କରାଯିବ ବୋଲି ଏସ୍ପି କହିଛନ୍ତି । ପ୍ରମୋଦ ନାୟକ, ବାବୁରାମ ଦଳେଇ, କୁନାଲ ପ୍ରଧାନ ୩ ଜଣ ଦୁଷ୍କର୍ମ କରିଥିବା ଏସ୍ପି କହିଛନ୍ତି । ପ୍ରମୋଦ ବେଙ୍ଗାଲୁରୁରେ କାମ କରୁଥିଲେ । ବେଙ୍ଗାଲୁରୁ କିମ୍ବା ସୁରଟ ଯିବାକୁ ଯୋଜନା କରୁଥିଲେ । ପ୍ରମୋଦ ନାମରେ ଏକାଧିକ ମାମଲା ରହିଛି । ହିଞ୍ଜିଳି ଅଞ୍ଚଳର ବୁରୁପୁଡ଼ା, ଶିକିରି ଗାଁରୁ ୮ ଜଣ ଏବଂ ପାଟପୁର ଗାଁରୁ ଦୁଇ ଜଣ ମିଶି ଗୋପାଳପୁର ଆସିଥିଲେ । ବେଳାଭୂମିରୁ ୮ କି.ମି. ପାଟ୍ରୋଲିଂ କଡାକଡି କରିବୁ । ଲାଇଟ୍ ଲଗାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିବୁ ବୋଲି ଏସ୍ପି କହିଛନ୍ତି ।
ଅନ୍ୟପଟେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟ୍ୱିଟ୍ କରି ନିଜ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣା ମୋତେ ବ୍ୟଥିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସମ୍ପର୍କରେ ଏସପିଙ୍କ ସହ କଥା ହୋଇ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଆବଶ୍ୟକ ପଦେକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛି ।