ସାମାନ୍ୟ ବଚସା ପାଇଁ ଘରୁ ଚାଲିଯାଇଥିଲେ, ୧୮ ବର୍ଷ ପରେ ଘରକୁ ଫେରିଲେ ଯୁବକ

NEWS7
10-foot-peanut-this-company-trolls-corporate-employees

ସୋପୁର: ବଡ଼ଭାଇଙ୍କ ସହ ସାମାନ୍ୟ ବଚସା ହେବାରୁ ଘରୁ ଚାଲିଯାଇଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ । ହେଲେ ଦୀର୍ଘ ୧୮ ବର୍ଷ ପରେ ଘରକୁ ଫେରିଲେ ଯୁବକ। ଘରେ ପହଞ୍ଚିଲା ପରେ ପରିବାରରେ ଖୁସିର ଲହରୀ ଖେଳିଯାଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସାହାଣୀଡିହ ଗ୍ରାମରେ ।

ଗ୍ରାମର ଜୁଗିନ୍ଦ୍ର ମେଣ୍ଡେଲିଙ୍କ ହସ ଖୁସିରେ ପରିବାର ଚାଲିଥିଲା ପରିବାରର ସାନପୁଅ ଥିଲେ କରୁଣାକର । ଦିନେ ବଡ଼ଭାଇଙ୍କ ସହ କରୁଣାକରଙ୍କ କୌଣସି କଥାକୁ ନେଇ ବଚସା ହୋଇଥିଲା l କରୁଣାକର ରାଗିଯାଇ ଘରୁ ଚାଲିଯାଇଥିଲେ l ମାତ୍ର ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ବନ୍ଧୁ ବାନ୍ଧବ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲାପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ l

ଦୀର୍ଘ ୧୦ ବର୍ଷ ଧରି ପରିବାର ଲୋକେ କରୁଣାକରକୁ ବହୁତ ଖୋଜା ଖୋଜି କଲାପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ l ଏନେଇ ଉଲୁଣ୍ଡା ଥାନାରେ ଅଭିଯୋଗ ମଧ୍ୟ ପରିବାର ଲୋକେ କରିଥିଲେ l ଖାଲି ସେତିକି ନୁହେଁ ପରିବାର ଲୋକେ ମାନସିକ ଚାପରେ ମଧ୍ୟ ରହୁଥିଲେ l ଇତିମଧ୍ୟରେ ପୁଅକୁ ଝୁରି ଝୁରି ବାପା ଯୁଗୀନ୍ଦ୍ର ଆରପାରିକୁ ଚାଲି ଯିବା ସହ ବଡ଼ଭାଇ ସୁଭାକର ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି l

କରୁଣାକରଙ୍କ କହିବା ଅନୁସାରେ ବିଭିନ୍ନ ସ୍ଥାନରେ ବୁଲି ବୁଲି କର୍ଣ୍ଣାଟକର ଦାମନଗିରିର ଏକ ଆଶ୍ରମକୁ ଚାଲିଯାଇଥିଲେ l ହେଲେ ସେଠାରେ ତାଙ୍କର ପରିଚୟ କାହାକୁ ଜଣାଇନଥିଲେ l ଦୀର୍ଘ ୧୮ବର୍ଷ ପରେ ପରିବାର ଲୋକଙ୍କ ହଠାତ ମନେ ପଡ଼ିବାରୁ ଘରକୁ ଆସିବା ପାଇଁ ମନସ୍ଥ କରିଥିଲେ l ହେଲେ ଆସିବା ପାଇଁ ସମ୍ଭବ ହେଉନଥିଲା l ସେଠାରେ ତାଙ୍କର ପରିଚୟ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉଲୁଣ୍ଡା ଥାନାକୁ ଜଣାଇଥିଲେ l ଉଲୁଣ୍ଡା ପୁଲିସ ତାଙ୍କ ପରିବାରକୁ ଘଟଣା ବିଷୟରେ ଜଣାଇଥିଲେ l କରୁଣାକର ଜୀବିତ ଥିବା ଶୁଣି ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା l କରୁଣାକରଙ୍କ ମଝିଆ ଭାଇ ଧରଣୀଧର ମେଣ୍ଡେଲି ଓ ଭାଉଜ ଅଞ୍ଜନା ମେଣ୍ଡେଲି କର୍ଣ୍ଣାଟକର ଦାମନଗିରି ଠାରେ ପହଞ୍ଚିଥିଲେ l

ସେଠାରୁ କରୁଣାକରଙ୍କୁ ଆଣି ଘରକୁ ଫେରିଥିଲେ l ଗ୍ରାମରେ ପହଞ୍ଚିଲା ପରେ ଗ୍ରାମବାସୀ ତଥା ସାଙ୍ଗସାଥୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇ ଥିଲା l ତାଙ୍କୁ ଗ୍ରାମବାସୀ ପାଦ ଧୋଇ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ବାଗତ କରିଥିଲେ l ହେଲେ କରୁଣାକର ଘରେ ପହଞ୍ଚିଲେ ସତ କିନ୍ତୁ ବାପା ଏବଂ ବଡଭାଇ ଙ୍କୁ ଦେଖିନପାରି ଭାଙ୍ଗି ପଡ଼ିଥିଲେ l