ନୂଆଦିଲ୍ଲୀ : ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ଓ ସେନା ମାସ ମାସ ଧରି ୟାହ୍ୟା ସିନୱାରଙ୍କୁ ଖୋଜିବାରେ ଲାଗିଥିଲା, ଶେଷରେ ଅକ୍ଟୋବର ୨୦୨୪ରେ ତାଙ୍କୁ ଖୋଜି ହତ୍ୟା କରିଥିଲା। ଏହାପରେ ୟାହ୍ୟା ସିନୱାରଙ୍କର ପତ୍ନୀ ସମର ମହମ୍ମଦ ଅବୁ ଜମର ଇସ୍ରାଏଲର ରାଡାରରେ ଥିଲେ। ହେଲେ ଏବେ ୟାହ୍ୟା ସିନୱାରଙ୍କର ପତ୍ନୀ ସମର ମହମ୍ମଦ ଅବୁ ଜମରଙ୍କୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି, ସେ ଗାଜାର ଲୋକଙ୍କୁ କ୍ରୋଧିତ କରି ଦେଇଛି।
ଇସ୍ରାଏଲ ମିଡ଼ିଆରେ ଦାବି କରାଯାଇଛି ଯେ, ଗାଜାରେ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଖବରକୁ ନେଇ କ୍ରୋଧିତ ହୋଇଛନ୍ତି। ନିରନ୍ତର ଯୁଦ୍ଧ ପୀଡ଼ିତ ଗାଜାରେ ଥିବା ଲୋକ ପାନୀୟ ଜଳ ଓ ଖାଦ୍ୟ ଖୋଜୁଛନ୍ତି, ଅନ୍ୟପଟେ ହମାସର ବଡ଼ ବଡ଼ ନେତାଙ୍କର ପରିବାର ବିଦେଶରେ ଆନନ୍ଦ ଉପଭୋଗ କରୁଛନ୍ତି।
ରିପୋର୍ଟ ମୁତାବିକ, ସମର ଅବୁ ଜମରଙ୍କୁ ହମାସ ନେତା ଫାଥି ହମ୍ମାଦଙ୍କ ସାହାଯ୍ୟରେ ଏକ ସିକ୍ରେଟ୍ ଅପରେସନ ଅନୁସାରେ ଗାଜାରୁ ବାହାରକୁ ଅଣାଯାଇ ଥିଲା। ତାଙ୍କୁ ନକଲି ପାସପୋର୍ଟ ଦିଆଯାଇ ଥିଲା ଏବଂ ସେମାନଙ୍କ ପାଖରେ ବିପୁଳ ପରିମାଣର ଟଙ୍କା ଥିଲା। ଏହି ଅପରେସନରେ ମହମ୍ମଦ ସିନୱାରଙ୍କ ପତ୍ନୀ ନଜୱା ସିନୱାର ମଧ୍ୟ ତାଙ୍କ ସହିତ ଥିଲେ। କୁହାଗଲା ଯେ ଏହି ଉଭୟ ମହିଳା ରାଫା ସୀମା ଦେଇ ମିଶରରେ ପହଞ୍ଚିଥିଲେ ଏବଂ ସେଠାରୁ ତୁର୍କୀ ଯାଇଥିଲେ।
ୟାହ୍ୟା ସିନୱାରଙ୍କୁ ଅକ୍ଟୋବର ୨୦୨୩ର ଇସ୍ରାଏଲରେ ହମାସ ହମଲାର ମାଷ୍ଟରମାଇଣ୍ଡ କୁହାଯାଏ। ତାଙ୍କୁ ଅକ୍ଟୋବର ୨୦୨୪ରେ ଇସ୍ରାଏଲୀୟ ସେନା ମାରି ଦେଇଥିଲା। ରିପୋର୍ଟ ଅନୁସାରେ, ଯେତେବେଳେ ଏକ IDF ସ୍କ୍ୱାଡ୍ ରାଫାର ତାଲ୍ ଅଲ୍-ସୁଲତାନ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା, ସେତେବେଳେ ତିନି ଜଣ ସନ୍ଦିଗ୍ଧ ହମାସ ଯୋଦ୍ଧା ନଜର ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କୋଠା ଭିତରକୁ ପ୍ରବେଶ କରିଥିଲା ଏବଂ ସେତେବେଳେ ତା ଉପରକୁ ଏକ ଟ୍ୟାଙ୍କ ସେଲ୍ ମାଡ଼ କରାଗଲା। ପରେ, ସେହି ଆତଙ୍କବାଦୀ ୟାହ୍ୟା ସିନୱାର ବୋଲି ଜଣାପଡ଼ିଲା। ତାଙ୍କ ମୃତଦେହ ରକ୍ତ ଓ କାଦୁଅ ମିଶା ହୋଇ ଏକ ସୋଫା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ହମାସ ନିଜକୁ ପାଲେଷ୍ଟାଇନ ପ୍ରତିରୋଧର ଚେହେରା ଭାବେ କହିଛି , କିନ୍ତୁ ଏବେ ତା ଉପରେ ନିଜର ହିଁ ଲୋକଙ୍କ ବଳିଦାନର ଫାଇଦା ଉଠାଇ ଲିଡରଶିପ୍କୁ ସୁରକ୍ଷିତ ରଖିବାର ଅଭିଯୋଗ କରାଯାଉଛି। ଇସ୍ରାଏଲୀୟ ରିପୋର୍ଟରେ କୁହାଯାଇଛି ଯେ, ହମାସର ଲିଡରସିପ୍ର ପରିବାର ବିଦେଶରେ ଆରାମରେ ରହୁଥିବା ବେଳେ ସାଧାରଣ ପାଲେଷ୍ଟାଇନମାନେ ଜୀବନ ଓ ମୃତ୍ୟୁର ସଂଘର୍ଷ ଲଢୁଛନ୍ତି।