ବରିଷ୍ଠ ରାଜନେତା ଶରଦ ପାୱାର ଅସୁସ୍ଥ, ନିଃଶ୍ୱାସ ନେବାରେ ଅସୁବିଧା; ପୁଣେ ହସ୍ପିଟାଲରେ ଭର୍ତ୍ତି

NEWS7
-ukraine-and-russia-exchange-drone-strikes-despite-ceasefire-talks

ନୂଆଦିଲ୍ଲୀ: ଏନସିପି (ଏସପି) ଅଧ୍ୟକ୍ଷ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ସୋମବାର ହଠାତ୍ ଖରାପ ହୋଇଛି । ତାଙ୍କୁ ବାରାମତୀରୁ ପୁଣେର ରୁବି ହିଲ୍ସ କ୍ଲିନିକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଶରଦ ପାୱାରଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି । ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ଅବନ୍ନତି ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ଗମ୍ଭୀରତାକୁ ନେଇ କୌଣସି ଡାକ୍ତରୀ ବୟାନ ସାମନାକୁ ଆସି ନାହିଁ । ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନୀରିକ୍ଷଣ ରଖିଛନ୍ତି ।

ବାରାମତି ତାଲୁକାର କାଠେୱାଡିରେ ଦିବଂଗତ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୂଣ୍ୟତିଥି ପାଳନ କରାଯାଉଛି । ଶରଦ ପାୱାର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ଆଜି ସକାଳେ ଶରଦ ପାୱାର ଅସୁସ୍ଥ ହୋଇପଡ଼ିଲେ । ଏହି କାରଣରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିଲେ ନାହିଁ ।

ରିପୋର୍ଟ ଅନୁସାରେ, ଶରଦ ପାୱାର ସକାଳ ଠାରୁ କାଶ, ଜ୍ୱର ଏବଂ ଥଣ୍ଡାରେ ପୀଡିତ । ତେଣୁ ଡାକ୍ତରଙ୍କ ଏକ ଦଳ ଭୋର ସକାଳୁ ବାରାମତୀର ଗୋବିନ୍ଦବାଗରେ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଡାକ୍ତରମାନେ ପାୱାରଙ୍କର ନିୟମିତ ଯାଞ୍ଚ କରିଥିଲେ । ଏହା ପରେ ଅପରାହ୍ଣରେ ଶରଦ ପାୱାରଙ୍କୁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାରର ନିକଟତମ ସୂତ୍ର ଅନୁଯାୟୀ, ଶରଦ ପାୱାର ଲଗାତାର କାଶ ଏବଂ କଫ ଅନୁଭବ କରୁଥିଲେ, ଯେଉଁଥି ପାଇଁ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା ।

ଶରଦ ପାୱାର ଗତ କିଛି ଦିନ ଧରି ଅସୁସ୍ଥ ଥିବା ଅନୁମାନ କରାଯାଉଛି । ଅସୁସ୍ଥତା ଯୋଗୁଁ ସେ ଗତ ଦୁଇରୁ ତିନି ମାସ ଧରି ସାଧାରଣ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରାୟତଃ ଦୂରେଇ ରହୁଥିଲେ, କିନ୍ତୁ ତାଙ୍କ ପୁତୁରା ଅଜିତ ପାୱାରଙ୍କ ହଠାତ୍ ମୃତ୍ୟୁ ପରେ ସେ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କ ସହ ପୁଣି ସାକ୍ଷାତ ଆରମ୍ଭ କରିଛନ୍ତି ।