ଆମେ ହିନ୍ଦୀ ବିରୋଧୀ ନୁହେଁ, ଷ୍ଟାଲିନଙ୍କ ବିରୋଧ ଆଉ ଆମ ବିରୋଧ ଭିତରେ ଫରକ ରହିଛି: ସଞ୍ଜୟ ରାୱତ

Published By : Prameya-News7 Bureau | July 06, 2025 IST

indiatoday

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତିରେ ହିନ୍ଦୀକୁ ତୃତୀୟ ଭାଷା ଭାବରେ ବାଧ୍ୟତାମୂଳକ କରିବା ବିରୋଧରେ ଉଦ୍ଧବ ସେନା ପ୍ରବଳ ଆନ୍ଦୋଳନ କରିଥିଲା। ମହାରାଷ୍ଟ୍ରରେ ଏହାକୁ ବିରୋଧ କରିବାରୁ ମହାରାଷ୍ଟ୍ର ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ହିନ୍ଦୀକୁ ତୃତୀୟ ଭାଷା ଭାବେ ଲାଗୁ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଥିଲେ।    

ଭାଷା ଆନ୍ଦୋଳନର ଏହି ବିଜୟକୁ ଦୁଇ ଠାକରେ ଭାଇ ଗୋଟିଏ ମଞ୍ଚରେ ଏକାଠି ହୋଇ ସେଲିବ୍ରେଟ୍ କରିଥିଲେ। ଦୀର୍ଘ ୨ ଦଶନ୍ଧୀ ଧରି କେବେ ଏକାଠୀ ଗୋଟିଏ ମଞ୍ଚରେ ନଜର ଆସି ନଥିବା ଉଦ୍ଧବ ଠାକରେ ଓ ରାଜ ଠାକରେ ଗୋଟିଏ ମଞ୍ଚରେ ଏକାଠି ହୋଇ ଏହାର ଖୁସି ମନାଇଥିଲେ। ହେଲେ ଏହାର ଗୋଟିଏ ଦିନ ପରେ ହିନ୍ଦୀକୁ ନେଇ ଉଦ୍ଧବ ସେନାର ସ୍ୱର ସାମାନ୍ୟ ନରମିଛି। 

ଷ୍ଟାଲିନଙ୍କ ହିନ୍ଦୀ ବିରୋଧୀ ଶୈଳୀକୁ ଉଦ୍ଧବ ସେନା ସାଞ୍ଜୟ ରାୱତ ସମର୍ଥନ କରି ନାହାନ୍ତି। ଏ ଦିଗରେ ତାଙ୍କ ଉଦ୍ଦେଶ୍ୟ ଆମ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଅଲଗା ବୋଲି ସେ ସେ କହିଛନ୍ତି। ରାଉତ କହିଛନ୍ତି ଯେ ହିନ୍ଦୀ ପ୍ରତି ସେମାନଙ୍କର ବିରୋଧ କେବଳ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ସାମିଲ କରିବା ପର୍ଯ୍ୟନ୍ତ ସୀମିତ। ପ୍ରକୃତରେ ଠାକ୍‌ରେ ଭାଇଙ୍କ ବିରୋଧକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ସମର୍ଥନ ପରେ ରାଉତ ଏପରି ବୟାନ ଦେଇଛନ୍ତି।

ଷ୍ଟାଲିନ୍‌ଙ୍କ ମତକୁ ବିରୋଧ କରି ସଞ୍ଜୟ ରାଉତ କହିଛନ୍ତି “ହିନ୍ଦୀ ଲଦାଯିବା ବିରୁଦ୍ଧରେ ତାଙ୍କର ଆଭିମୁଖ୍ୟ ହେଲା ନା ସେମାନେ ହିନ୍ଦୀ କହିବେ ନା କାହାକୁ କହିବାକୁ ଦେବେ। କିନ୍ତୁ ମହାରାଷ୍ଟ୍ରରେ ଆମର ମତ ଏହା ନୁହେଁ। ଆମେ ହିନ୍ଦୀ କହୁ, ଆମର ମତ ହେଲା ଯେ ପ୍ରାଥମିକ ବିଦ୍ୟାଳୟରେ କଡ଼ାକଡ଼ି ଭାବେ ହିନ୍ଦୀ ଲାଗୁ କରିବାକୁ ବରଦାସ୍ତ କରାଯିବ ନାହିଁ। ଆମର ଲଢ଼େଇ କେବଳ ଏତିକିରେ ସୀମିତ।” ଠାକରେ ଭାଇମାନଙ୍କ ମତ କେବଳ ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ ଲଦିବା ବିରୁଦ୍ଧରେ ବୋଲି ସ୍ପଷ୍ଟ କରି ଶ୍ରୀ ରାଉତ ନିଜକୁ ଦୂରେଇ ରଖି ଷ୍ଟାଲିନଙ୍କୁ ତାଙ୍କ ଲଢ଼େଇରେ ଶୁଭକାମନା ଜଣାଇଛନ୍ତି।

ସେ କହିଛନ୍ତି “ଆମେ ହିନ୍ଦୀରେ କଥା ହେବା ପାଇଁ କାହାକୁ ବାରଣ କରି ନାହୁଁ କାରଣ ଆମ ପାଖରେ ହିନ୍ଦୀ ସିନେମା, ହିନ୍ଦୀ ଥିଏଟର ଏବଂ ହିନ୍ଦୀ ସଙ୍ଗୀତ ଅଛି... ଆମର ଲଢ଼େଇ କେବଳ ପ୍ରାଥମିକ ଶିକ୍ଷାରେ ହିନ୍ଦୀ ଲାଗୁ କରିବା ବିରୁଦ୍ଧରେ।”

ହିନ୍ଦୀକୁ ବିରୋଧ କରି ଦୁଇ ଠାକରେ ଭାଇ ଗୋଟିଏ ମଞ୍ଚରେ ଏକାଠି ହେବା ପରେ ଷ୍ଟାଲିନ ଟ୍ୱିଟ୍ କରି ଏହାକୁ ପ୍ରଶଂସା କରିବା ସହିତ ସମର୍ଥନ ଜଣାଇଥିଲେ। ସେ ଲେଖିଥିଲେ ଯେ ତାମିଲନାଡୁବାସୀ ଓ ଦ୍ରାବିଡ଼ ମୁନେତ୍ରା କାଝାଗାମ ଦଳ ଯେମିତି ରାଜ୍ୟରେ ହିନ୍ଦୀ ଲଦିବାକୁ ହରାଇ ଦେଲା ଏହି ଆନ୍ଦୋଳନ ବର୍ତ୍ତମାନ ରାଜ୍ୟ ଡେଇଁ ମହାରାଷ୍ଟ୍ରରେ ଘୂର୍ଣ୍ଣିଝଡ଼ ଆରମ୍ଭ କରିଛି। ମୁମ୍ବାଇରେ ଭାଇ ଉଦ୍ଧବଠାକରେଙ୍କ ନେତୃତ୍ୱରେ ହିନ୍ଦୀ ଲାଗୁ ବିରୁଦ୍ଧରେ ଅନୁଷ୍ଠିତ ବିଜୟ ରାଲିର ଉତ୍ସାହ ଏବଂ ଶକ୍ତିଶାଳୀ ବକ୍ତୃତା ଆମକୁ ଅତ୍ୟନ୍ତ ଉତ୍ସାହିତ କରିଛି ବୋଲି ଷ୍ଟାଲିନ୍ ଲେଖିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.