ପୁରୀ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥ-ପଥ ସବୁ ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଲେ ତିନି ରଥ ତାଳଧ୍ବଜ-ଦେବଦଳନ-ନନ୍ଦିଘୋଷ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନି ରଥଙ୍କୁ ଟାଣି ସିଂହଦ୍ଵା୍ବାର ସମ୍ମୁଖକୁ ଆଣିଥିଲେ ଭକ୍ତ ଓ ସୁରକ୍ଷାକର୍ମୀ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିଥିଲେ ଅଗଣିତ ଭକ୍ତ । ୧୫ ଦିନ ଅନବସରରେ ରହିବା ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏବେ ଅପେକ୍ଷା ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନକୁ । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଠାକୁର । ରଥାରୁଢ଼ ହେବା ପରେ ସାଙ୍ଗରେ ଭାଇ ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର ।
ସିଂହଦ୍ବାରରେ ତିନି ରଥ । ଅପେକ୍ଷା କେବଳ ମଣିମାଙ୍କ ଆଗମନକୁ । ଅପେକ୍ଷା ସେହି ଦିବ୍ୟ ଭବ୍ୟ ମୁହୂର୍ତ୍ତକୁ। ବର୍ଷକ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ହେବ ମହାମିଳନ । ପତିତ ଜନଙ୍କୁ ଉଦ୍ଧାର କରିବାକୁ ଆସିବେ ପତିତପାବନ । କାନ୍ଦି କାନ୍ଦି ଭକ୍ତ କହିବ ତା’ର ଅନ୍ତରର କଥା, ଅନ୍ତରର ବ୍ୟଥା । ଆଉ ହସି ହସି ସବୁ ଶୁଣିବେ ଚକାନୟନ । ଚକାଆଖିରେ ଆଖି ମିଶାଇ ଭକ୍ତିଭାବରେ ଭିଜିବେ ଭକ୍ତ ।
ରାତି ପାହିଲେ ବିଶ୍ବ ନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥ-ପଥ ସବୁ ପ୍ରସ୍ତୁତ । ଆଜି ଅପରାହ୍ଣରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସୁସଜ୍ଜିତ ତିନି ରଥ ଶ୍ରୀମନ୍ଦିର ସିଂହଦ୍ବାରକୁ ଟଣା ହୋଇଥିଲେ । ଘଣ୍ଟ, ଘଣ୍ଟା, ଖୋଳ ତାଳ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ଇଏ ହେଉଛି ସେହି ସମୟର ଦୃଶ୍ୟ । ମହାଆନନ୍ଦରେ ତିନି ରଥକୁ ସିଂହଦ୍ବାର ଅଭିମୁଖେ ଟାଣି ନେଇଥିଲେ ଭକ୍ତ ଓ ସୁରକ୍ଷାକର୍ମୀ।
ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିଥିଲେ ଅଗଣିତ ଭକ୍ତ । ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ବରରେ ପୀଡ଼ିତ ଶ୍ରୀଜିଉମାନେ ଗଲା ୧୫ ଦିନ ଧରି ଅଣସର ପିଣ୍ଡିରେ ଥିଲେ । ଦଇତାପତିଙ୍କ ସେବା ଶ୍ରୁଶୁଷା ପରେ ସୁସ୍ଥ ହୋଇଥିଲେ ମହାପ୍ରଭୁ । ଏତକ ଦିନ ମହପ୍ରଭୁଙ୍କ ଦର୍ଶନ ବିନା ବ୍ୟାକୁଳ ହୋଇଉଠିଥିଲା ଭକ୍ତର ମନ । ଆଜି ମନ ଭରି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଛନ୍ତି ଭକ୍ତ ।
ଆଜି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚକା ଅପସର, ମଙ୍ଗଳ ଆଳତୀ, ଅବକାଶ ପୂଜା, ଜୟବିଜୟ ଦ୍ବାର, ମଇଲମ ନୀତି ପରେ ଫିଟିଥିଲା ତାଟି । ଏହାପରେ ଦଶଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୪୦ରେ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ପ୍ରଥମେ ପରିମାଣିକ ଦର୍ଶନ ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ନବଯୌବନରେ ଚକା ଆଖିକୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ।
ପୂର୍ବାହ୍ନ ସାଢ଼େ ୧୧ଟାରେ ସାଧାରଣ ଦର୍ଶନ ସରିବା ପରେ ଧୁଆଧୋଇ ହୋଇ ଚୂନ ପଡ଼ିବା ପରେ ଦଇତାପତି ସର୍ବାଙ୍ଗ ନେତ୍ରୋତ୍ସବ ବନ୍ଦାପନା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି । ଅପେକ୍ଷା ଆସନ୍ତାକାଲିର ସେଇ ଦିବ୍ୟ ମୁହୂର୍ତ୍ତକୁ । ଯେତେବେଳେ ଅଗଣିତ ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଏବେ ରଥ-ପଥ-ଭକ୍ତ ସମସ୍ତଙ୍କ ଅପେକ୍ଷା ମହାବାହୁଙ୍କ ଆଗମନକୁ।