OPERATION SINDOOR: ଭୟରେ ଥରିଥିଲା ପାକିସ୍ତାନ, ବଡ଼ ଖୁଲାସା କଲା ଶକ୍ତିଶାଳୀ ରାଷ୍ଟ୍ର ଆମେରିକା

NEWS7
-sirens-sounded-in-chandigarh-after-warning-of-possible-attack-by-pakistan

ନୂଆଦିଲ୍ଲୀ ୦୮/୦୧: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୨୫ ମେ’ରେ ଭାରତର ଅପରେସନ ସିନ୍ଦୂରରେ ଥରହର ହୋଇଥିଲା ପାକିସ୍ତାନ । ତୁରନ୍ତ ସଂଘର୍ଷ ରୋକିବା ଲାଗି ପାକିସ୍ତାନ ଆମେରିକାରେ ନିଜର କୂଟନୀତିଜ୍ଞଙ୍କ ଜରିଆରେ ଲବି କରିଥିଲା । ଆମେରିକାରେ ଶୀର୍ଷ ପ୍ରଶାସନିକ ଅଧିକାରୀ, ସାଂସଦ, ପେଣ୍ଟାଗନ୍ ଏବଂ ବିଦେଶ ବିଭାଗର ଅଧିକାରୀଙ୍କ ଆଗରେ ପ୍ରାୟ ୬୦ ଥର ଏଥିଲାଗି ଗୁହାରି କରିଥିଲା ବୋଲି ଆମେରିକାର ଫରେନ୍ ଏଜେଣ୍ଟ୍ସ ରେଜିଷ୍ଟ୍ରେସନ ଆକ୍ଟ (ଏଫ୍ଏଆର୍ଏ) ପକ୍ଷରୁ ସାର୍ବଜନିନ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି ।

ଏଫ୍ଏଆର୍ଏ ଅନୁସାରେ, ଆମେରିକାର ନ୍ୟାୟ ବିଭାଗରେ ଦାଖଲ ଦସ୍ତାବିଜ୍ରୁ ଜଣାପଡ଼ୁଛି ଯେ ପାକିସ୍ତାନୀ କୂଟନୀତିଜ୍ଞମାନେ ଇମେଲ୍, ଫୋନ୍ କଲ୍, ୱାନ-ଟୁ-ୱାନ୍ ବୈଠକ ଜରିଆରେ ଅପରେସନ ସିନ୍ଦୂର ଆରମ୍ଭ ହେବାଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଥିଲେ । ପାକିସ୍ତାନ କୌଣସି ପ୍ରକାରେ ଆମେରିକା ଦ୍ୱାରା ଚାପ ବଢ଼ାଇ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଥିଲା । ଟ୍ରମ୍ପ୍ ପ୍ରଶାସନ ପର୍ଯ୍ୟନ୍ତ ତ୍ୱରିତ ଭାବେ ପହଞ୍ଚିବା, ବ୍ୟବସାୟ ଏବଂ କୂଟନୈତିକ ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ଲବିଂ ଫାର୍ମ ଉପରେ ପାକିସ୍ତାନ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

ଆମେରିକୀୟ ଲବିଂ ଫାର୍ମ ଏସ୍ଏଚ୍ଡବ୍ଲ୍ୟୁ ପାର୍ଟନର୍ସ ଏଲଏଲସି ବି ନିଜ ରିପୋର୍ଟରେ କହିଛି ଯେ, ଭାରତୀୟ ଦୂତାବାସ ମଧ୍ୟ ଆମେରିକା ସରକାର ଏବଂ ଅଧିକାରୀଙ୍କ ସହ ଯୋଗାଯୋଗ ବଢ଼ାଇବା ଲାଗି ଫାର୍ମର ସେବା ନେଇଥିଲେ । ଟ୍ରମ୍ପ୍ ପ୍ରଶାସନ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଏହି ଫାର୍ମ ଭାରତୀୟ ଦୂତାବାସକୁ ସହାୟତା କରିଥିଲା । ଏଫ୍ଏଆଇଆର ଦିଆଯାଇଥିବା ତଥ୍ୟ ଅନୁସାରେ, ମେ’ ୧୦ରେ ଏହି ଫାର୍ମ ଭାରତୀୟ ଦୂତାବାସ ପକ୍ଷରୁ ହ୍ୱାଇଟ୍ ହାଉସ୍ର ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସ, ଆମେରିକୀୟ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ ଜେମିସନ ଗ୍ରୀର ଏବଂ ନ୍ୟାସନାଲ ସିକ୍ୟୁରିଟି କାଉନ୍ସିଲର ରିକି ଗିଲ୍‌ଙ୍କ ସହ ସମ୍ପର୍କ କରାଯିବାରେ ସାହାଯ୍ୟ କରିଥିଲା ।

ଏହି ସମୟରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣା, ଅପରେସନ ସିନ୍ଦୂର ସହ ଜଡ଼ିତ ମିଡିଆ କଭରେଜ ଆଦି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ଏହା ବ୍ୟତୀତ ଭାରତୀୟ ଦୂତାବାସ ପକ୍ଷରୁ ଆମେରିକାର ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଏକ ବହୁଦଳୀୟ ପ୍ରତିନିଧି ମଣ୍ଡଳ ବୈଠକ କରିବା ଲାଗି ସହାୟତା ମଧ୍ୟ ମଗାଯାଇଥିଲା । ଅନେକ ବୈଠକରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ବାର୍ତ୍ତାର ସ୍ଥିତି ଉପରେ ଆଲୋଚନା ହୋଇଥିଲା ।