ମସ୍କୋ : ୨୭ ଜୁଲାଇରେ ପ୍ରତିବର୍ଷ ପାଳନ କରାଯାଉ ଥିବା ନିଜର ପାରମ୍ପରିକ ଓ ପ୍ରତିଷ୍ଠିତ ନୌସେନା ପରେଡ୍କୁ ରୁଷ୍ ବାତିଲ କରି ଦେଇଛି। ‘ନେଭି ଡେ’ ଅବସରରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପରେଡକୁ ସୁରକ୍ଷା କାରଣରୁ ପ୍ରଥମଥର ବାତିଲ କରି ଦିଆ ଯାଇଛି। ବିଶେଷ କଥା ଏହା ଯେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏହି ଥର ପରେଡରେ ବ୍ୟକ୍ତିଗତ ଭାବେ ସାମିଲ ହୋଇ ନାହାନ୍ତି। ସେ କେବଳ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନୌସୈନିକଙ୍କୁ ସମ୍ୱୋଧିତ କରିଛନ୍ତି। ବାସ୍ତବରେ, ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ ଅନେକ ରୁଷୀୟ ସହର ଉପରେ ୧୦୦ରୁ ଅଧିକ ଡ୍ରୋନ୍ ହମଲା କରିଛି। ଏଥିରେ ୧୦ଟି ଡ୍ରୋନ୍ ସେଣ୍ଟ ପିଟର୍ସବର୍ଗରେ ମଧ୍ୟ ମାଡ଼ କରିଛି, ଯେଉଁଠି ପରେଡ ହେବାର ଥିଲା।
ରୁଷ୍ ରାଷ୍ଟ୍ରପତି ଭବନ କ୍ରେମଲିନ୍ର ମୁଖପାତ୍ର ଡିମିତ୍ରୀ ପେସକୋଭ୍ କହିଛନ୍ତି, ଏହି ନିଷ୍ପତ୍ତି ସଦ୍ୟ ସ୍ଥିତି ଓ ସୁରକ୍ଷା ଚିନ୍ତାକୁ ଦେଖି ନିଆ ଯାଇଛି। ସୁରକ୍ଷା ସର୍ବୋପରି। ହେଲେ ସେ ଏହା କହି ନାହାନ୍ତି ଯେ, ବିପଦ କାହା ଉପରେ ଅଛି।
ସ୍ଥାନୀୟ ପ୍ରଶାସନ ଗୋଟିଏ ଦିନ ପୂର୍ବରୁ ହିଁ ପରେଡ ବାତିଲ ହେବାର ସୂଚନା ଜଣାଇ ସାରି ଥିଲା। କିନ୍ତୁ ସେତେବେଳେ ବି କୌଣସି ଅଫିସିଆଲି କାରଣ ଦର୍ଶାଯାଇ ନଥିଲା। ଏହି ପରେଡରେ ପ୍ରତିବର୍ଷ ଯୁଦ୍ଧ ଜାହାଜ, ବୁଡ଼ାଜାହାଡ ଓ ନୌସୈନିକ ବାହିନୀର ଭବ୍ୟ ପ୍ରଦର୍ଶନ ହୋଇଥାଏ।
ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଦ୍ୱାରା ରୁଷ୍ ଉପରେ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇଛି। ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ଦାବି କରିଛି ଯେ, ଗତ ରାତିରେ ୧୦୦ଟି ୟୁକ୍ରେନ୍ ଡ୍ରୋନକୁ ମାରି ଖସାଇ ଦିଆଯାଇଛି। ଏଥିରୁ ୧୦ଟି ଡ୍ରୋନ୍ ସେଣ୍ଟ ପିଟର୍ସବର୍ଗର ପାଖରେ ରୋକା ଯାଇଛି। ହମଲାରେ ଜଣେ ମହିଳା ଆହତ ହୋଇଛନ୍ତି। ପୁଲକୋଭୋ ବିମାନ ବନ୍ଦରରେ ଉଡ଼ାଣରେ ବିଳମ୍ୱିତ ହୋଇଥିଲା।
ରାଷ୍ଟ୍ରପତି ପୁଟିନ, ଯିଏକି ୨୦୧୭ରେ ନୌସେନା ଦିବସକୁ ପୁଣି ଥରେ ପୁନଃ ସ୍ଥାପିତ କରିଥିଲେ, ସେ ପ୍ରଥମ ଥର ପରେଡ୍ ଠାରୁ ଦୂରେଇ ରହି ଥିଲେ। ସେ ଏକ ରେକର୍ଡେଡ୍ ଭିଡ଼ିଓ ମାଧ୍ୟମରେ ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇଥିବା ରୁଷୀୟ ନୌସୈନିକଙ୍କ ସାହାସର ପ୍ରଶଂସା କରିଛନ୍ତି।
ଉଲ୍ଲେଖନୀୟ ଯେ, ରୁଷ୍ର ଏହି ପରେଡ୍ ସେନା ଶକ୍ତି ଓ ରାଷ୍ଟ୍ରପ୍ରେମର ପ୍ରଦର୍ଶନର ପ୍ରତୀକ ଭାବେ ମନେକରା ଯାଏ। କିନ୍ତୁ ଚଳିତ ବର୍ଷ ସୁରକ୍ଷା ନାମରେ ଏହାକୁ ବାତିଲ କରିବା ଦର୍ଶାଉଛି ଯେ, ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଏବେ ରୁଷ୍ର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ପ୍ରଭାବ ପକାଉଛି।