ଷ୍ଟିଲ୍‌ ଓ ଅଟୋ ପାର୍ଟ୍ସ ଉପରେ ଶୂନ-ଶୂନ ଟାରିଫ ଲଗାଇବାକୁ ଆମେରିକାକୁ ଭାରତର ପ୍ରସ୍ତାବ !

Published By : Prameya-News7 Bureau | May 05, 2025 IST

internet

ନୂଆଦିଲ୍ଲୀ: ଟ୍ରମ୍ପଙ୍କର ପାଲଟା ଶୁଳ୍କ ଲାଗୁ ପରେ ଭାରତ ଆମେରିକା ସହିତ ଭଲ ଡିଲ୍ କରିଛି ବୋଲି ଆମେରିକା ଦାବି କରି ଆସୁଥିଲା। ଏବେ ଏନେଇ ଖବର ସାମ୍ନାକୁ ଆସିଛି। ଘଟଣା ସହିତ ଜଡ଼ିତ ବ୍ୟକ୍ତି ଇକୋନୋମିକ୍ସ ଟାଇମ୍ସକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ, ଭାରତ ଆମେରିକାକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଆମଦାନୀ ପର୍ଯ୍ୟନ୍ତ ପାରସ୍ପରିକ ଆଧାରରେ ଇସ୍ପାତ, ଅଟୋ ଉପାଦାନ ଏବଂ ଔଷଧ ଉପରେ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି।

ପଢ଼ନ୍ତୁ- ସୁନାରେ ଟ୍ରେଜରୀ ଭରି ଦେଇଛି ଭାରତ, କେବଳ ୨୦୨୫ରେ RBI କିଣିଛନ୍ତି ଏତିକି ସୁନା

ତେବେ ଏହି ସୀମା ଅତିକ୍ରମ ପରେ ଆମଦାନୀ କରାଯାଉଥିବା ଶିଳ୍ପ ସାମଗ୍ରୀଗୁଡ଼ିକ ଉପରେ ନିୟମିତ ଆଧାରରେ ଶୁଳ୍କ ଲାଗୁ ହେବ ବୋଲି ଉକ୍ତ ବ୍ୟକ୍ତି କହିଛନ୍ତି। ଗତ ମାସର ଶେଷରେ ୱାଶିଂଟନ ଗସ୍ତ କରିଥିବା ଭାରତୀୟ ବାଣିଜ୍ୟ ଅଧିକାରୀମାନେ ଏହି ପ୍ରସ୍ତାବ ଦେଇଥିଲେ। ଯାହାଦ୍ୱାରା ଚଳିତ ବର୍ଷ ଶରତ ୠତୁ ସୁଦ୍ଧା ଆଶା କରାଯାଉଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନାକୁ ଆହୁରି ତ୍ୱରାନ୍ୱିତ କରାଯାଇ ପାରିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଉପରେ ୯୦ ଦିନିଆ ବିରତି ଶେଷ ହେବା ପୂର୍ବରୁ ଦୁଇ ରାଷ୍ଟ୍ର ଏକ ଶୀଘ୍ର ବାଣିଜ୍ୟ ଚୁକ୍ତି କରିବା ପାଇଁ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ଆମେରିକାର ଅର୍ଥନୀତିରେ ସଂକୋଚନ ମଧ୍ୟରେ, ଟ୍ରମ୍ପ ରବିବାର ପରାମର୍ଶ ଦେଇଛନ୍ତି ଯେ ଏହି ସପ୍ତାହରେ କିଛି ବାଣିଜ୍ୟ ଚୁକ୍ତି ସମ୍ଭବ ହୋଇପାରେ। ଯାହାଦ୍ୱାରା ଆମେରିକାର ପାଲଟା ଶୁଳ୍କରୁ ମୁକ୍ତି ମିଳିବ। ଖୁବ୍‌ଶୀଘ୍ର ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବା ନେଇ ଦକ୍ଷିଣ କୋରିଆ, ଜାପାନ ଏବଂ ଭାରତ ଆଗରେ ରହିଥିବା ସୂଚନା ମିଳିଛି। 

ସେପଟେ ୱାଶିଂଟନ୍ ଭାରତକୁ କ୍ୱାଲିଟି କଣ୍ଟ୍ରୋଲ ବୋର୍ଡ ନେଇ ଚିନ୍ତା ନକରିବାକୁ କହିଛି। ଭାରତରେ ସାମଗ୍ରୀ ବିକ୍ରି କରିବାକୁ ହେଲେ ଦେଶୀ ଓ ବିଦେଶୀ ନିର୍ମାତାମାନଙ୍କୁ ଏହାର ବାଧ୍ୟତାମୂଳକ ଗୁଣବତ୍ତା ମାନଦଣ୍ଡ ପାଳନ କରିବାକୁ ପଡ଼ିବ। କାରଣ ଏଥିରେ ସ୍ୱଚ୍ଛତା ନଥିବାରୁ ଅନେକ ସମୟରେ ଏନେଇ ଆଲୋଚନା ହେଉଛି।

ଭାରତ ଚିକିତ୍ସା ଉପକରଣ ଏବଂ ରସାୟନିକ ପଦାର୍ଥ ଭଳି କ୍ଷେତ୍ରରେ ଥିବା କ୍ୱିସିଓ ଗୁଡ଼ିକର ପୁନର୍ବିଚାର କରିବାକୁ ଇଚ୍ଛା ପ୍ରକାଶ କରିଛି। ଏବଂ ଆମେରିକା ସହିତ ଏକ ପାରସ୍ପରିକ ସ୍ୱୀକୃତି ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଛି, ଯାହା ଅଧୀନରେ ଉଭୟ ରାଷ୍ଟ୍ର ପରସ୍ପରର ନିୟାମକ ମାନଦଣ୍ଡ ଏବଂ ନିୟମଗୁଡ଼ିକ ପାଳନ କରାଯିବ। ତେବେ ଏହା ଚୂଡ଼ାନ୍ତ ହେବ କି ନା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। 

ପଢନ୍ତୁ- ୨୦୨୫ରେ ବିଶ୍ୱର ଚତୁର୍ଥ ଅର୍ଥନୀତି ହେବ ଭାରତ, ୨୦୨୮ରେ ଜର୍ମାନୀକୁ ଟପିବ: IMF



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.