ଶିମଲା : ହିମାଚଳ ପ୍ରଦେଶରେ ଲଗାତାର ହେଉଥିବା ମୂଷଳଧାରା ବର୍ଷା ମଧ୍ୟରେ, ରାଜ୍ୟ ଜରୁରିକାଳୀନ ଅପରେସନ କେନ୍ଦ୍ର ଦ୍ୱାରା ପ୍ରକାଶିତ ଭୂସ୍ଖଳନ ମନିଟରିଂ ରିପୋର୍ଟ ସରକାର ଓ ଜନସାଧାରଣ ଉଭୟଙ୍କ ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁସାରେ, ରାଜ୍ୟର ୨୨ଟି ଭୂସ୍ଖଳନ ସମ୍ଭାବିତ ସ୍ଥାନକୁ ଚିହ୍ନିତ କରାଯାଇଛି। ଏଥିରୁ ୧୭ଟି ସ୍ଥାନରେ ଭୂସ୍ଖଳନର ବିପଦ ‘ ଉଚ୍ଚ’ ବର୍ଗରେ ରେକର୍ଡ କରାଯାଇଥିବା ବେଳେ , ଗୋଟିଏ ସ୍ଥାନକୁ ‘ ବହୁତ ଅଧିକ ବିପଦ’ର ବର୍ଗରେ ରଖାଯାଇଛି।
ଏହି ରିପୋର୍ଟ ରାଜ୍ୟର ବିଭିନ୍ନ ଜିଲ୍ଲାର ସମ୍ୱେଦନଶୀଳ କ୍ଷେତ୍ରରୁ ୩୦ଜୁନ ଯାଏ ପ୍ରାପ୍ତ ତଥ୍ୟ ଉପରେ ଆଧାରିତ। କାଙ୍ଗଡା ଜିଲ୍ଲାର ସଂଧୋଲ ଅଞ୍ଚଳକୁ ‘ବହୁତ ଅଧିକ ବିପଦ’ ( very high risk)ର ସ୍ଥାନ ଭାବେ ରେକର୍ଡ କରାଯାଇଛି, ଯାହା ବର୍ତ୍ତମାନ ସବୁଠୁ ଅଧିକ ସମ୍ୱେଦନଶୀଳ ଜୋନ୍ ଘୋଷିତ କରାଯାଇଛି।
ମୋଟାମୋଟି ଭାବେ ମଣ୍ଡି ଜିଲ୍ଲାର ୧୫ଟି ସ୍ଥାନ ଏହି ତାଲିକାରେ ସାମିଲ ଅଛି। ଏଥିରେ ପ୍ରସିଦ୍ଧ ଟୁରିଷ୍ଟ ସ୍ପଟ୍ ପରାଶର, ଗ୍ରିଫନ ପିକ୍-୧ରୁ ୧୦ ଯାଏ, ସନାଲୀ ଓ ତତ୍ତାପାଣି ଓ ବିଶ୍ୱକର୍ମା ମନ୍ଦିର ଅଞ୍ଚଳ ସାମିଲ ଅଛି। ସେଠାରେ କାଙ୍ଗଡା ଜିଲ୍ଲାର ୪, ଶିମଲାର ୨ ଓ ସୋଲନର ଗୋଟିଏ ଅଞ୍ଚଳକୁ ମଧ୍ୟ ଉଚ୍ଚ ବିପଦ ଥିବା ଅଞ୍ଚଳରେ ରଖାଯାଇଛି। କାଙ୍ଗଡା ଜିଲ୍ଲାର ମୁଖ୍ୟାଳୟ ଧର୍ମଶାଳା ଓ ଶିମଲା ଜିଲ୍ଲାର ଜତୋଗ ମଧ୍ୟ ଉଚ୍ଚ ବିପଦରେ ସାମିଲ ଅଛି।
ରାଜ୍ୟ ବିପର୍ଯ୍ୟୟ କର୍ତ୍ତୃପକ୍ଷଙ୍କ ଅନୁସାରେ, ୨୦ରୁ ୩୦ ଜୁନ୍ ମଧ୍ୟରେ ରାଜ୍ୟରେ ୪୪ ଜଣ ଲୋକଙ୍କ ଜୀବନ ବର୍ଷା ଓ ଏହାସହ ଜଡ଼ିତ ଘଟଣାରେ ଯାଇଛି, ୮୨ ଆହତ ହୋଇଛନ୍ତି ଏବଂ ୮୩ ଗୋରୁ ପ୍ରାଣ ହରାଇଛନ୍ତି। ୩୫ ଘର କ୍ଷତିଗ୍ରସ୍ତ ହୋଇଛି, ୮ଟି ଦୋକାନ ଓ ୨୬ଟି ଗାଈ ଗୁହାଳ ମଧ୍ୟ ନଷ୍ଟ ହୋଇଛି। ଏହି ଭୟଙ୍କର ମୌସୁମୀ ପ୍ରଳୟରେ ରାଜ୍ୟର ସଂପତ୍ତି ଗୁଡ଼ିକୁ ଏବେସୁଦ୍ଧା ପାଖାପାଖି ୭୫ କୋଟି ଟଙ୍କାର କ୍ଷତି ହୋଇ ସାରିଛି, ଯେଉଁଥିରେ ଜଳଶକ୍ତି ବିଭାଗ ଓ ଲୋକ ନିର୍ମାଣ ବିଭାଗକୁ ସବୁଠୁ ଅଧିକ କ୍ଷତି ହୋଇଛି। ସରକାର ଲୋକଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ସମ୍ୱେଦନଶୀଳ ଅଞ୍ଚଳରେ ଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏବଂ ପ୍ରଶାସନର ନୀତି ନିର୍ଦ୍ଦେଶ ପାଳନ କରନ୍ତୁ। ରାଜ୍ୟ ସରକାର ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ଲଗାତାର ନିରୀକ୍ଷଣ କରୁଛନ୍ତି ଏବଂ ପ୍ରତି ସ୍ଥିତିରୁ ବର୍ତ୍ତିବା ପାଇଁ ପୂରା ପ୍ରସ୍ତୁତ।
ଅନ୍ୟପଟେ ରାଜ୍ୟର ଲୋକ ନିର୍ମାଣ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ସୋମବାର କହିଛନ୍ତି ଯେ, ରାଜ୍ୟସାରା ୩୯୦ଟି ରାସ୍ତା ବର୍ଷା ଓ ଭୂସ୍ଖଳନ କାରଣରୁ ଅବରୋଧ ହୋଇଛି, ଯାହାକୁ ଖୋଲିବା ପାଇଁ ୧୧୦ ବିଭାଗୀୟ ଜେସିବି ଓ ୧୩୨ଟି ଭଡ଼ାରେ ଆସିଥିବା ମେସିନ୍ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରଖିଛନ୍ତି। ଆସନ୍ତା ତିନି ଦିନରେ ସବୁ ରାସ୍ତାରେ ଯାତାୟାତ ସୁଧାରିବା ବିଭାଗର ଲକ୍ଷ୍ୟ ରହିଛି।