ନୂଆଦିଲ୍ଲୀ : ଆମେରିକା ଯିବାକୁ ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ବଡ଼ ଝଟକା। ଭାରତରେ ଥିବା ଆମେରିକୀୟ ଦୂତାବାସ ଭିସାଧାରୀଙ୍କ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ଦୂତାବାସ ଅନୁସାରେ, ଆମେରିକୀୟ ଭିସା ଜାରି ହେବା ପରେ ମଧ୍ୟ ଭିସାଧାରୀଙ୍କ ଉପରେ ନଜର ରଖାଯିବ ଏବଂ ଯଦି କେହି ନିୟମର ଉଲ୍ଲଙ୍ଘନ କରେ, ତ ତାଙ୍କର ଭିସା ତୁରନ୍ତ ବାତିଲ କରାଯାଇ ପାରିବ ଏବଂ ତାଙ୍କୁ ଆମେରିକାରୁ ମଧ୍ୟ ବହିଷ୍କାର କରାଯାଇ ପାରିବ।
ଦୂତାବାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି , ୟୁଏସ୍ ଭିସା ଜାରି ହେବା ପରେ ମଧ୍ୟ ନଜର ରଖିବା ବନ୍ଦ ହୁଏ ନାହିଁ। ଆମେ ନିରନ୍ତର ଏହା ସୁନିଶ୍ଚିତ କରୁ ଯେ ଭିସାଧାରୀମାନେ ଆମେରିକୀୟ ଆଇନ ଓ ପ୍ରବାସନ ନିୟମର ପାଳନ କରୁଛନ୍ତି ,ଯଦି ସେମାନେ ଏପରି କରନ୍ତି ନାହିଁ ତ ଆମେ ତାଙ୍କର ଭିସା ବାତିଲ କରି ତାଙ୍କୁ ଦେଶାନ୍ତର କରି ପାରୁ।
ଏହି ବିବୃତ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକୀୟ ସରକାରଙ୍କର ଜାରି ଦୃଢ ଇମିଗ୍ରେସନ ନୀତିର ଅନୁରୂପ , ଯେଉଁଥିରେ ଦେଶକୁ ଆସୁଥିବା ପ୍ରତି ବିଦେଶୀ ନାଗରିକଙ୍କ ଉପରେ କଡ଼ା ନଜର ଓ ଆଇନର ପାଳନ ବାଧ୍ୟତାମୂଳକ କରାଯାଇଛି।
ଗତ କିଛି ସପ୍ତାହରେ ଆମେରିକୀୟ ଦୂତାବାସ ଭିସା ଓ ଇମିଗ୍ରେସନ ସହ ଜଡ଼ିତ ଅନେକ ନିର୍ଦ୍ଦେଶ ଜାରି କରିଛି , ଯେଉଁଥିରେ ୧୯ ଜୁନରେ ଦୂତାବାସ କହିଥିଲା ଯେ, ଆମେରିକାର ଭିସା କୌଣସି ଅଧିକାର ନୁହେଁ , ବରଂ ଏକ ‘ବିଶେଷାଧିକାର’। ଯଦି କେହି ଆଇନ ଭାଙ୍ଗେ ତ ତାଙ୍କର ଭିସା ବାତିଲ କରାଯାଇ ପାରେ।
୨୬ ଜୁନରେ ଆଉ ଏକ ପରାମର୍ଶରେ କୁହାଯାଇଛି ଯେ ଭିସା ଆବେଦନକାରୀମାନେ ଗତ ପାଞ୍ଚ ବର୍ଷରେ ବ୍ୟବହୃତ ସବୁ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲର ଆବେଦନ ପତ୍ର ଡିଏସ-୧୬- ରେ ସ୍ପଷ୍ଟ ରୂପେ ଉଲ୍ଲେଖ କରିବାକୁ ପଡ଼ିବ। ଯଦି କୌଣସି ସୂଚନା ଲୁଚା ଯାଏ, ତ ଭିସା ପ୍ରତ୍ୟାଖ୍ୟାନ ହୋଇପାରେ ଓ ଭବିଷ୍ୟତରେ ମଧ୍ୟ ଭିସା ପାଇଁ ଅଯୋଗ୍ୟ ହୋଇପାରେ।
୨୮ ଜୁନରେ ଚେତାବନୀ ଦିଆଯାଇଛିଯେ, ଆମେରିକାରେ ଅବୈଧ ଭାବେ ରହୁଥିବା ଲୋକେ ବା ଭିସା ଜାଲିଆତି କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତି ଲୋକଙ୍କୁ ଗମ୍ଭୀର ଅପରାଧିକ ଦଣ୍ଡ ଭୋଗିବାକୁ ପଡ଼ିପାରେ। କୁହାଯାଉଛି ଯେ, ଏହି ଚେତାବନୀ ସବୁ ନିକଟରେ କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲ୍ସରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଜାରି କରାଯାଇ ଥିବା ପ୍ରବାସନ ଉପରେ କଟକଣା ଜାରି କରାଯିବାର ପୃଷ୍ଠ ଭୂମିରେ ସାମ୍ନାକୁ ଆସିଛି।
ଦୂତାବାସ ଏହା ମଧ୍ୟ ସ୍ପଷ୍ଟ କହିଛି ଯେ ଭିସାଧାରୀଙ୍କୁ ଆମେରିକାରେ ରହୁଥିବା ପ୍ରତି ସ୍ତରରେ ନିୟମର ପାଳନ କରିବାକୁ ହେବ , ନୁହେଁ ତ ତାଙ୍କୁ ତତ୍କାଳ ପ୍ରଭାବରେ ଦେଶରୁ ବାହାର କରାଯାଇ ପାରେ।