ମସ୍କୋ: ଋଷ ବିମାନ ଦୁର୍ଘଟଣାରେ ୪୮ ଜଣଙ୍କର ଜୀବନ ଯାଇଛି। ଅମୁର କ୍ଷେତ୍ରର ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି। ରୁଷ-ଚୀନ୍ ସୀମାନ୍ତ ବ୍ଲାଗୋଭେସଚେନସ୍କ ସହରରୁ ଟିଣ୍ଡା ସହରକୁ ଯାତ୍ରା କରିବା ସମୟରେ ଏଏନ-୨୪ ଯାତ୍ରୀବାହୀ ବିମାନଟି ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଏହାର କିଛି ସମୟ ପରେ ଉଦ୍ଧାରକାରୀମାନେ ଏକ ପାହାଡ଼ ପାର୍ଶ୍ୱରେ ଘନ ଜଙ୍ଗଲ ଭିତରେ ବିମାନର ଜଳନ୍ତା ଭଗ୍ନାବଶେଷ ପାଇଥିଲେ। ଉକ୍ତ ଅଞ୍ଚଳର ରାଜ୍ୟପାଳ ଭାସିଲି ଓରଲୋଭ କହିଛନ୍ତି ଯେ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହାପରେ ସେ ରାଜ୍ୟରେ ତିନି ଦିନିଆ ଶୋକ ମଧ୍ୟ ଘୋଷଣା କରିଛନ୍ତି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ବିମାନ ଦୁର୍ଘଟଣା କେମିତି ହେଲା ସେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଦୁର୍ଘଟଣା ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଏଜେନ୍ସିଗୁଡ଼ିକ ରୁଷଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ତଥ୍ୟ ଆଣି ସମସ୍ୟାର ଯାଞ୍ଚ କରାଯିବ। ଯାହା ଦ୍ଵାରା ଭବିଷ୍ୟତରେ ଏପରି ଦୁର୍ଘଟଣାକୁ ଏଡାଯାଇପାରିବ ବୋଲି ସଂସ୍ଥା କହିଛନ୍ତି।
ଭାରତ, ବାଂଲାଦେଶ ଓ ଏବେ ଋଷରେ ବିମାନ ଦୁର୍ଘଟଣା ପରେ ସୋସିଆଲ୍ ମିଡିଆରେ ବିମାନ ଯାତ୍ରାର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଲୋକମାନେ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିବା ସହ ବିମାନ କମ୍ପାନୀଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଦୁର୍ଘଟଣାର ତଦନ୍ତ ପାଇଁ ଋଷ ସରକାର ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଯେଉଁଥିରେ ବିମାନ ବିଶେଷଜ୍ଞ, ଫୋରେନସିକ୍ ଅଧିକାରୀ ଏବଂ ସେନା ଅଧିକାରୀ ଅଛନ୍ତି।
ବିମାନର ବ୍ଲାକ୍ ବକ୍ସର ସନ୍ଧାନ ଜାରି ରହିଛି। ଏଥିରୁ ଦୁର୍ଘଟଣାର କାରଣ ପ୍ରକାଶ ପାଇପାରେ। ସେହିପରି ପାଣିପାଗ ବିଭାଗ ଅନୁଯାୟୀ, ଉଡ଼ାଣ ସମୟରେ ସେହି ଅଞ୍ଚଳରେ ପ୍ରବଳ ପବନ ଏବଂ କମ୍ ଦୃଶ୍ୟମାନତା ଥିଲା, ଯାହା ଦୁର୍ଘଟଣାର କାରଣ ହୋଇପାରେ। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିମାନଟି ଅଙ୍ଗାରା ଏୟାରଲାଇନ୍ସର ଥିଲା। ଏହା ପୂର୍ବରୁ ଏହି ଏୟାରଲାଇନ୍ସ ସୁରକ୍ଷା ନେଇ ପ୍ରଶ୍ନରେ ଛନ୍ଦି ହୋଇଛି। ଏହା ପୂର୍ବରୁ ମଧ୍ୟ ୨୦୧୯ରେ ଅଙ୍ଗାରା ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନର ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଯହାକୁ ନେଇ ଋଷରେ ସମାଲୋଚନା କରାଯାଇଥିଲା।