ଘର ଉପରେ ମିଜାଇଲ ଇଣ୍ଟରସେପ୍ଟ ବେଳର ଅନୁଭବ ବଖାଣିଲେ ଭାରତୀୟ, ଜଣାଇଲେ କିପରି ଡରିଗଲା ତାଙ୍କ କୁନି ଝିଅ

NEWS7
ଭିଜିଲାନ୍ସ-ଜାଲରେ-ପ୍ରଧାନଶି

ଦୁବାଇ ୧।୩: ଇସ୍ରାଏଲ ଓ ଆମେରିକା ମିଳିତ ଆକ୍ରମଣର ଜବାବ ଦେଉଛି ଇରାନ। ଏହି କ୍ରମରେ ଶନିବାର ସାରା ଦୁବାଇ ସହର ବିସ୍ଫୋରଣ ଶବ୍ଦରେ ଥରିଛି। ଲୋକେ ଭୀଷଣ ବିସ୍ଫୋରଣ ଶବ୍ଦ, ଝରକା କବାଟ ହଲିବା ଓ ଆକାଶରେ ଆଲୋକ ରେଖା ଦେଖାଯିବା କହିଛନ୍ତି। କାରଣ ସହରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ସବୁ ଆକ୍ରମଣର ମୁକାବିଲା କରିଥିଲା। ହେଲେ ଘରେ କବାଟ କିଳି ରହିଥିବା ଲୋକେ କିନ୍ତୁ ଏଥିରେ ଆତଙ୍କିତ ହୋଇଥିଲେ।

ଏପରି ଉତ୍ତେଜନାମୂଳକ ପରିସ୍ଥିତିରେ ଦୁବାଇରେ ରହୁଥିବା ଜନୈକ ଭାରତୀୟ ବ୍ୟକ୍ତି ଉପୁଜିଥିବା ପରିସ୍ଥିତିରେ ତାଙ୍କ ପରିବାରର ପ୍ରତିକ୍ରିୟା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ବିଷ୍ଣୁ ମଞ୍ଚୁ ଏକ ଭିଡିଓ ସେୟାର କରି ତାଙ୍କ ଘର ଉପରେ ତାରାଭରା ଆକାଶରେ ମିଜାଇଲ ଇଣ୍ଟରସେପ୍ଟ ବେଳର ଭୟାବହ କ୍ଷଣର ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଆଜି ରାତିରେ ପରିବାରକୁ ଭେଟିବା ପାଇଁ ମୁଁ ଦୁବାଇରେ ଅଛି। ଆକାଶରେ ମିଜାଇଲ ଦେଖା ଯାଉଛି ଓ ଭୀଷଣ ବିସ୍ଫୋରଣରେ ଆମ ଘର ଥରୁଛି। ଏଥିରେ କୁନି ଝିଅ ଆୟରା ଖୁବ୍ ଡରି ଯାଇଛି। ଶାନ୍ତି ଲାଗି ମୁଁ ପ୍ରାର୍ଥନା କରୁଛି। ପୃଥିବୀରେ ଏପରି କୌଣସି ଶିଶୁ ଘର ଛାତ ଉପରେ ମିଜାଇ ବିସ୍ଫୋରଣ ଶବ୍ଦରେ ବଡ ନ ହେଉ ତାହା ମୁଁ ଭଗବାନଙ୍କୁ ନିବେଦନ କରୁଛି। ତେବେ ନାଗରିକଙ୍କ ସୁରକ୍ଷା ପାଇଁ ୟୁଏଇ ପ୍ରତିରକ୍ଷା ବଳଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।

ଏହି ପୋଷ୍ଟର ବ୍ୟାପକ ପ୍ରଭାବ ପଡିଛି। ଅନେକ ୟୁଜର ଶାନ୍ତି ଲାଗି ତାଙ୍କ ପ୍ରାର୍ଥନାକୁ ସମର୍ଥନ କରିଛନ୍ତି ଓ ମିଜାଇଲ ଡିଫେନ୍ସ ସିଷ୍ଟମ ସକ୍ରିୟ ଥିବାରୁ ଆଶ୍ୱସ୍ତି ବ୍ୟକ୍ତ କରିଛନ୍ତି। ଏହା ପରେ ଅଧିକାରୀମାନେ ପୁଷ୍ଟି କରିଛନ୍ତି ଯେ ପ୍ରସିଦ୍ଧ ବୁର୍ଜ ଅଲ-ଆରବ ନିକଟରେ ଏକ ଡ୍ରୋନକୁ ଇଣ୍ଟରସେଫ୍ଟ କରାଯାଇଛି। ଡ୍ରୋନକୁ ଅଟକା ଯିବା ବେଳେ ଏଥିରେ ହୋଇଥିବା ବିସ୍ଫୋରଣ ଯୋଗୁ ବିଲ୍ଡିଂ ବାହାର ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ତେବେ ଏହାକୁ ନିୟନ୍ତ୍ରିତ କରାଯାଇଛି। ଏହି ଘଟଣାରେ କେହି ହତାହତ ହୋଇଥିବାର ଖବର ନାହିଁ।

ଏହା ଛଡା ପାମ ଜୁମେରାର ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଛି। ସହରର କୁତ୍ରିମ ଦ୍ୱୀପ ରୂପେ ଜଣାଶୁଣା ଏହି ଅଞ୍ଚଳରେ ବିଳାଶମୟ ଘର ଓ ହୋଟେଲ ସବୁ ରହିଛି। ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିଲା। ତେବେ ଦୁବାଇ ନାଗରିକ ସୁରକ୍ଷା ବଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।