LIVE TV

ସିଙ୍ଗାପୁରରେ ଭାରତୀୟ ନର୍ସଙ୍କୁ ଦଣ୍ଡ, ୨ ଚାବୁକ ସହ ୧୪ ମାସ କାଟିବେ ଜେଲ

NEWS7
ବାହୁବଳୀ-ବିଧାୟକଙ୍କ-ସରିଗଲା

ସିଙ୍ଗାପୁର ୨୫।୧୦: ରେଫଲସ ହସ୍ପିଟାଲରେ କାମ କରୁଥିବା ଭାରତୀୟ ମହିଳା ନର୍ସଙ୍କ ଉପରେ ଯୁବକଙ୍କପ୍ରତି ଅସଦାଚରଣ ଅଭିଯୋଗ ହୋଇଛି। ମାମଲାର ଶୁଣାଣି କୋର୍ଟରେ ହୋଇଥିବା ବେଳେ ଭାରତୀୟ ନର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଣୁ କୋର୍ଟ ନର୍ସଙ୍କୁ ୧୪ ମାସ ଜେଲ ସହ ୨ ଚାବୁକ୍ (କୋଡା) ଦଣ୍ଡାଦେଶ କରିଛନ୍ତି। ଏହି ନର୍ସ ହେଉଛନ୍ତି ଏଲିପ ଶିବା ନାଗୁ ଓ ସେ ଯୁବକଙ୍କୁ ଡିସଇଫେକ୍ଟ କରିବା ବାହାନାରେ ତାଙ୍କ ସହ ଅସଦାଚରଣ କରିଥିଲେ। ଏହି ଘଟଣା ଜଣାପଡିବା ପରେ ନର୍ସଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ମହିଳା ନର୍ସ କୋର୍ଟରେ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ଏହା ପରେ ଶୁକ୍ରବାର କୋର୍ଟ ତାଙ୍କର ରାୟ ଦେଇଛନ୍ତି। ଏଥିରେ କୋର୍ଟ ତାଙ୍କୁ ମୋଟ ୧୪ ମାସ ଜେଲଦଣ୍ଡାଦେଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଘଟଣା ପରେ ପୀଡ଼ିତଙ୍କ ସ୍ମୃତି ତାଜା ହୋଇଯାଇଥିଲା। ତେବେ ପୀଡ଼ିତଙ୍କ ସମ୍ପର୍କରେ କୌଣସି ପ୍ରକାର ସୂଚନା ସାମ୍ନାକୁ ଆସି ନାହିଁ। ଡେପୁଟି ପବ୍ଲିକ ପ୍ରୋସିକ୍ୟୁଟର ୟୁଜିନ ଫୁଆ କୋର୍ଟରେ କହିଛନ୍ତି ଯେ ପୀଡ଼ିତ ଜୁନ ୧୮ ତାରିଖ ଦିନ ତାଙ୍କ ଜେଜେଙ୍କୁ ଭେଟିବାକୁ ନର୍ଥ ବ୍ରିଜସ୍ଥିତ ହସ୍ପିଟାଲକୁ ଯାଇଥିଲେ।

ଏହି ହସ୍ପିଟାଲରେ ତାଙ୍କ ଜେଜେ ଭର୍ତ୍ତି ଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ପୀଡ଼ିତ ଜଣେ ରୋଗୀଙ୍କ ଶୌଚାଳୟକୁ ଯାଇଥିଲେ ଯେତେବେଳେ ସେ ଶୌଚାଳୟ ବ୍ୟବହାର କରୁଥିଲେ ନର୍ସ ଏଲିପ ତାଙ୍କୁ ଦେଖୁଥିଲେ। ପରେ ସେ ପୀଡ଼ିତଙ୍କୁ ଡିସଇନଫେକ୍ଟ କରିବା ବାହାନାରେ ତାଙ୍କ ହାତରେ ସାବୁନ ଲଗାଇଥିଲେ ଓ ତାଙ୍କ ପ୍ରତି ଅସଦାଚରଣ କରିଥିଲେ। ଏହି ମାମଲାରେ ଜୁନ ୨୧ ତାରିଖ ଦିନ ପୀଡିତ ମାମଲା ରୁଜୁ କରିଥିଲେ। ଏହାର ଦୁଇ ଦିନ ପରେ ପୋଲିସ ନର୍ସଙ୍କୁ ଗିରଫ କରିଥିଲା।