ବାଂଲାଦେଶ ନିର୍ବାଚନ ବିଜୟ ପରେ ଭାଇ ତାରିକ ରହମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଠା ପଠାଇଲେ ମମତା ବାନାର୍ଜୀ

NEWS7
କାଳବୈଶାଖୀ-ପ୍ରଭାବରେ-ତାତିର

ନୂଆଦିଲ୍ଲୀବାଂଲାଦେଶର ତ୍ରୟୋଦଶ ଜାତୀୟ ସଂସଦୀୟ ନିର୍ବାଚନରେ ବିଏନ୍ପିର ବିପୁଳ ବିଜୟ ପରେ ତାରିକ ରହମାନଙ୍କୁ ଫୁଲତୋଡ଼ା ଓ ମିଠା ପଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶନିବାର ମମତା ଏହି ଉପହାର ପଠାଇଛନ୍ତି। ଗୁଲସନରେ ଥିବା ବିଏନପି ଅଧ୍ୟକ୍ଷଙ୍କ ରାଜନୈତିକ କାର୍ଯ୍ୟାଳୟରେ ଦଳୀୟ ମିଡିଆ ସେଲ୍ ସଦସ୍ୟ ଅତିକୁର ରହମାନ ରୁମାନ ଏହି ପୁଷ୍ପଗୁଚ୍ଛ ଏବଂ ମିଠା ଗ୍ରହଣ କରିଥିଲେ। ଗୁଲସନ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ମେହେଦୁଲ ଇସଲାମ ମେହେଦି ମଧ୍ୟ ଉପହାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଶୁକ୍ରବାର ସକାଳେ ବାନାର୍ଜୀ ଏକ୍ସରେ ଏକ ପୋଷ୍ଟ କରି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଏବଂ ଏହାର ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିରେ ମମତା ଲେଖିଥିଲେ “ଶୁଭନନ୍ଦନ, ମୋର ସମସ୍ତ ଭାଇ ଭଉଣୀମାନଙ୍କୁ, ବାଂଲାଦେଶର ସମସ୍ତ ଲୋକଙ୍କୁ ମୋର ହୃଦୟର ଅଭିନନ୍ଦନ। ସମସ୍ତଙ୍କୁ ମୋର ଆଗୁଆ ରମଜାନ ମୁବାରକ। ଏହି ମହାନ ବିଜୟ ପାଇଁ, ମୋର ତାରିକ ଭାଇ, ତାଙ୍କ ଦଳ ଏବଂ ସମସ୍ତ ଦଳକୁ ମୋର ଅଭିନନ୍ଦନ। ଆପଣମାନେ ସମସ୍ତେ ଭଲ ଏବଂ ଖୁସିରେ ରୁହନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ଫେସବୁକ୍ ପୋଷ୍ଟରେ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶର ସଂସଦୀୟ ନିର୍ବାଚନରେ ବିଏନପିକୁ ନିର୍ଣ୍ଣାୟକ ବିଜୟ ଦେବାରେ ନେତୃତ୍ୱ ନେବା ପାଇଁ ସେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ବାଂଲାଦେଶ ନିର୍ବାଚନ ଫଳାଫଳ

ବାଲାଦେଶର ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ଏବଂ ଜନମତ ସଂଗ୍ରହ ପାଇଁ ଗୁରୁବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଥିଲା। ଶୁକ୍ରବାର ଫଳାଫଳ ଘୋଷଣା ହୋଇଥିଲା। ବାଂଲାଦେଶର ନିର୍ବାଚନ କମିଶନ ୩୦୦ ଆସନ ମଧ୍ୟରୁ ୨୯୭ ଆସନ ପାଇଁ ଆନୁଷ୍ଠାନିକ ଫଳାଫଳ ଘୋଷଣା କରିଥିଲେ। ଘୋଷିତ ୨୯୭ଟି ଆସନ ମଧ୍ୟରୁ, ବିଏନ୍ପି ଏବଂ ଏହାର ସହଯୋଗୀ ଦଳ ୨୧୨ଟି ଆସନ ହାତେଇ ଥିଲେ। ବାଂଲାଦେଶ ଜମାତ-ଏ-ଇସଲାମି ନେତୃତ୍ୱାଧୀନ ୧୧-ଦଳୀୟ ନିର୍ବାଚନୀ ମେଣ୍ଟ ୭୭ଟି ଆସନ, ଇସଲାମି ଆନ୍ଦୋଳନ ବାଂଲାଦେଶ ଗୋଟିଏ ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୭ଟି ଆସନ ଜିତିଥିଲେ।

 ତାରିକଙ୍କ ଶପଥ ସମାରୋହରେ ଯୋଗ ଦେବେ ନାହିଁ ମୋଦୀ

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୭ ତାରିଖରେ ଶପଥ ଗ୍ରହଣ କରିବେ ବିଏନପି ମୁଖ୍ୟ ତାରିଖ ରେହମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୩ଟି ଦେଶର ନେତାଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଏହି ଦେଶ ମଧ୍ୟରେ ଭାରତ,ପାକିସ୍ତାନ, ଚାଇନା, ୟୁଏଇ ଆଦି ରହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକଙ୍କ ଶପଥ ସମାରୋହରେ ସାମିଲ ହେବେ ନା ନାହିଁ ତାକୁ ନେଇ ଦେଖାଦେଇଛି ସସପେନ୍ସ । ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ତାରିକଙ୍କ ଶପଥ ସମାରୋହରେ ସାମିଲ ହେବା ସମ୍ଭାବନା କମ୍ ରହିଛି । କାରଣ ସେଦିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ବୈଠକ ରହିଛି । ତେଣୁ ମୋଦୀ ନିଜେ ଢାକା ଯିବେନି । ସେ କୌଣସି ବରିଷ୍ଠ ମନ୍ତ୍ରୀ କିମ୍ବା ଅଧିକାରୀଙ୍କୁ ଢାକା ପଠାଇପାରନ୍ତି ।

ନିମନ୍ତ୍ରଣ ପ୍ରଦାନ କରାଯାଇଥିବା ଦେଶମାନଙ୍କ ମଧ୍ୟରେ ଭାରତ, ଚାଇନା, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ମାଲଦୀପ ଏବଂ ଭୁଟାଲ ସାମିଲ ଅଛନ୍ତି । ଦକ୍ଷିଣ ଏସିଆରୁ ନେଇ ପଶ୍ଚିମ ଏସିଆର ଦେଶମାନଙ୍କୁ ଶପଥ ସମାରୋହରେ ଦେଖିବାକୁ ମିଳିବ । ଯାହା କୁଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।