AIକୁ ଖୋଲା ଆକାଶ ଦେବା ସହ ନିୟନ୍ତ୍ରଣକୁ ନିଜ ହାତରେ ରଖିବା ଆବଶ୍ୟକ- ପ୍ରଧାନମନ୍ତ୍ରୀ

NEWS7
ଏଥର-ଅଧିକ-ଗରମ

ନୂଆଦିଲ୍ଲୀ, ୧୯/୦୨ : ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଭାରତକୁ ଟେକନୋଲୋଜି ଏବଂ ଟ୍ୟାଲେଣ୍ଟର ଏକ ବଡ କେନ୍ଦ୍ର ବୋଲି କହିଛନ୍ତି । ଏହାସହ ଏଆଇକୁ ନେଇ ନୂଆ ମନ୍ତ୍ର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଏଆଇ କ୍ଷେତ୍ରରେ ଆଗକୁ ବଢୁଛୁ । କିନ୍ତୁ ଏବେ ଏହାର ପ୍ରଭାବ ବାବଦରେ କିଛି ଜଣାପଡିବ ନାହିଁ । ପଥରକୁ ଘସିଲେ ପ୍ରଥମେ ନିଆଁର ଏକ ଝଲକ ବାହାରେ । ଯାହା ସମସ୍ତେ ଜାଣି ପାରନ୍ତି ନାହିଁ । ଏହି ସାମାନ୍ୟ ନିଆଁର ଝଲକ ମାନବ ଇତିହାସରେ ଏକ ସଭ୍ୟତାର ଆରମ୍ଭ ଥିଲା । ଏଆଇ ମଧ୍ୟ ମାନବ ଇତିହାସରେ ଏପରି ଏକ ଟ୍ରାନ୍ସଫର୍ମେସନ୍ ବା ପଜିଟିଭ୍ ପରିବର୍ତ୍ତନ । ଏବେ ଆମେ ଯାହା ଦେଖୁଛେ ଏବଂ ଅନୁଭବ କରୁଛେ ତାହା ପ୍ରାରମ୍ଭିକ ପରିବର୍ତ୍ତନ । ପୂର୍ବରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କିଛି ପରିବର୍ତ୍ତନ ହେଲେ ତାକୁ ବୁଝିବାକୁ ଦଶନ୍ଧି ଲାଗିଯାଉଥିଲା । କିନ୍ତୁ ଏବେ ମେସିନ୍ ଲର୍ଣ୍ଣିଂରେ ସବୁ କିଛି ସହଜ ହୋଇଯାଉଛି ।

ଏହି ଖବରଟି ପଢନ୍ତୁ... ଭାରତରେ ଫ୍ରେଶର୍ସଙ୍କ ଡିମାଣ୍ଡ, କମ୍ପାନୀଙ୍କ ପ୍ରଥମ ପସନ୍ଦ ଯୁବ ପ୍ରତିଭା

ମୋଦୀ ସମ୍ମିଳନୀରେ ‘ମାନବ’ ଭିଜନ୍ ଉପରେ ଫୋକସ କରିଛନ୍ତି । ସେ କହିଛନ୍ତି ଯେ, ଏଆଇ ପାଇଁ ମଣିଷ କେବଳ ଡାଟା ପଏଣ୍ଟ ହୋଇ ନରହୁ । ମଣିଷମାନେ କଞ୍ଚାମାଲ୍ ମଧ୍ୟରେ ସୀମିତ ନରୁହନ୍ତୁ । ତେଣୁ ଏଆଇକୁ ଲୋକତାନ୍ତ୍ରିକ ବା ଗଣତାନ୍ତ୍ରିକ ରୂପ ଦେବାକୁ ହେବ । ଏଆଇକୁ ଖୋଲା ଆକାଶ ବି ଦେବା ଦରକାର ତା ସହ ତାର ନିୟନ୍ତଣକୁ ନିଜ ହାତରେ ରଖିବା ଉଚିତ ।

ଏହାସହ ପ୍ରଧାନମନ୍ତ୍ରୀ ଜିପିଏସର ଉଦାହରଣ ଦେଇଥିଲେ । ଜିପିଏସ କେବଳ ଆମକୁ ରାସ୍ତା ଦେଖାଏ ହେଲେ ଗନ୍ତବ୍ୟସ୍ଥଳ ଠିକ୍ କରେନି । ସେହିପରି ଏଆଇକୁ ବ୍ୟବହାର କରାଯିବା ଦରକାର । ଏଆଇରେ ନୈତିକତାକୁ ଭୁଲିଯିବା ଉଚିତ ନୁହେଁ । ନିୟମରେ ସ୍ୱଚ୍ଛତା ରହିବା ଜରୁରୀ । ଏହାସହ ଦେଶର ସୁରକ୍ଷା ଏବଂ ସଂପୃଭତା ଯେପରି ସାଲିସ ନହୁଏ ତାହା ଉପରେ ଫୋକସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଦୁନିଆରେ ଦୁଇ ପ୍ରକାର ଲୋକ ରହୁଛନ୍ତି । କିଛି ଲୋକଙ୍କୁ ଏଆଇରେ ଭୟ ନଜର ଆସୁଛି । ଆଉ କିଛି ଏହାକୁ ସୁଯୋଗ ଏବଂ ସୌଭାଗ୍ୟ ଭାବୁଛନ୍ତି । ଭାରତର ଲୋକଙ୍କୁ ଏଆଇରେ ସୌଭାଗ୍ୟ ଦେଖାଯାଉଛି । ଭାରତୀୟ କମ୍ପାନୀ ଏଆଇ ସମ୍ମିଳନୀରେ ଅନେକ ମଡେଲ୍ ଉପସ୍ଥାପନ କରିଛନ୍ତି । ଭାରତ ଏଆଇ କ୍ଷେତ୍ରରେ ଅନେକ ପରାମର୍ଶ ଦେଇ ନିଜର ଦକ୍ଷତାକୁ ପ୍ରମାଣିତ କରୁଛି । ଦେଶ ପାଖରେ ବିଭିନ୍ନତା, ଏକତା, ଯୁବଶକ୍ତି ଏବଂ ଗଣତନ୍ତ୍ର ସବୁ କିଛି ରହିଛି । ଭାରତ ଯେଉଁ ସମାଧାନ ବିକାଶ କରିବ ତାହା ସାରାବିଶ୍ୱ ପାଇଁ ଶୁଭଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।