ଏକାମ୍ବ୍ର ଛକରୁ ବିଜେପୁର ରାସ୍ତାକୁ ପାର୍ବତୀ ଗିରିଙ୍କ ନାମରେ ନାମିତ, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଲେ ମନ୍ତ୍ରୀ

NEWS7
ଉଦ୍ଦଯାପିତ-ହୋଇଛି-ପ୍ରସିଦ୍ଧ

ବରଗଡ଼: ପାର୍ବତୀ ଗିରି ଓଡ଼ିଶାର ଏକ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଓ ନିଷ୍ଠାବାନ ସମାଜସେବିକା ଥିଲେ। ତାଙ୍କ ଜନ୍ମ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ୍ ସମଲେଇପଦର ଗାଁରେ ହୋଇଥିଲା। ତାଙ୍କ ବାପା ଧନଞ୍ଜୟ ଗିରି ଓ ମା ଶ୍ରୀମତୀ ଗିରିଙ୍କ ଔରସରୁ ଜନ୍ମିତ ପାର୍ବତୀ ଛୋଟବେଳୁ ହିଁ ଦେଶପ୍ରେମ, ସାହସ ଓ ନ୍ୟାୟବୋଧରେ ପ୍ରେରିତ ଥିଲେ।

ବାଲ୍ୟକାଳରୁ ସେ ତାଙ୍କ କାକା ରାମଚନ୍ଦ୍ର ପୁରୀଙ୍କ ସହ ମିଶି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ୧୯୩୫ ମସିହାରେ ବିଶିଷ୍ଟ ନାରୀ ସ୍ୱାଧୀନତା ସଂଗ୍ରାମିକା ମାଳତୀ ଚୌଧୁରୀଙ୍କ ଜୋରଦାର ଅଭିଭାଷଣ ତାଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା। ସେତେବେଳେ ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ ଓ ମାଳତୀ ଚୌଧୁରୀଙ୍କ ସହ ରହି ଦେଶସେବା କରିବାକୁ ଦୃଢ଼ ସଙ୍କଳ୍ପ ନେଇଥିଲେ। କିନ୍ତୁ ବୟସ କମ୍ ଥିବାରୁ ସେ ସମୟରେ ତାହା ସମ୍ଭବ ହୋଇନଥିଲା।

ପରେ ୧୪ ବର୍ଷ ବୟସ ହେବା ପରେ, ବରଗଡ଼ର ସଂଗ୍ରାମୀ ଫକୀର ବେହେରାଙ୍କ ସହିତ ପାର୍ବତୀ ଯାଜପୁର ଜିଲ୍ଲାସ୍ଥିତ ବରୀ ଆଶ୍ରମକୁ ଯାଇଥିଲେ। ସେଠାରେ ସେ ମାଳତୀ ଚୌଧୁରୀଙ୍କ ତତ୍ୱାବଧାନରେ ୪ ବର୍ଷ ରହି ୧୬ ବର୍ଷ ବୟସରେ ବରଗଡ଼ ଫେରି ଆସି ବରଗଡ଼ ଏସଡିଓଙ୍କ ଚେୟାର ଦଖଲ କରିଥିଲେ, ସେଥିପାଇଁ ତାଙ୍କୁ ସମ୍ବଲପୁର ଜେଲରେ ୨ ବର୍ଷ ବନ୍ଦୀ କରାଯାଇଥିଲା ।

ସମ୍ବଲପୁରରୁ ମହାତ୍ମାଗାନ୍ଧୀଙ୍କ ସେବାଗ୍ରାମ ୱାର୍ଦ୍ଧାକୁ ଚାଲିଗଲେ ପାର୍ବତୀ। ୧୯୪୨ ମସିହାର “ଭାରତ ଛାଡ଼” ଆନ୍ଦୋଳନ ସମୟରେ ପାର୍ବତୀ ଗିରି ନିର୍ଭୟ ସହ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ୨ ବର୍ଷ ପୂନର୍ବାର ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା।

ସେ ସମୟରେ ସେ ଅତ୍ୟନ୍ତ କମ୍ ବୟସର ଥିଲେ, ତଥାପି ଦେଶପାଇଁ ତାଙ୍କ ଆତ୍ମତ୍ୟାଗ ଅପାର ଥିଲା। ଦେଶ ସ୍ୱାଧୀନତା ପାଇବା ପରେ ମଧ୍ୟ ପାର୍ବତୀ ଗିରିଙ୍କ ସେବାଭାବ କମିନଥିଲା। ସେ ପାଇକମାଲ ଅଞ୍ଚଳରେ କସ୍ତୁରବା ଗାନ୍ଧୀ ଆଶ୍ରମ ସ୍ଥାପନା କରି ଅନାଥ ଶିଶୁମାନଙ୍କୁ ନିଜ ସନ୍ତାନ ପରି ଲାଳନ–ପାଳନ କରିଥିଲେ, ନିଜେ ଅବିବାହିତା ଥାଇ ଅନେକଙ୍କୁ ବିବାହ କରାଇଥିଲେ। ସେ ଗରିବ, ଦଳିତ, ଆଦିବାସୀ ଓ କୁଷ୍ଠରୋଗୀ ଲୋକମାନଙ୍କ ସେବାରେ ନିଜ ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ମମତା, ତ୍ୟାଗ ଓ ସ୍ନେହର କାରଣରୁ ସମସ୍ତେ ତାଙ୍କୁ ସ୍ନେହରେ “ମା’ ପାର୍ବତୀ” ବୋଲି ଡାକୁଥିଲେ।

୧୯୯୫ ମସିହା ଅଗଷ୍ଟ ୧୭ ତାରିଖରେ ପାର୍ବତୀ ଗିରିଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ତାଙ୍କର ତ୍ୟାଗ, ସାହସ ଓ ମାନବସେବାର ଆଦର୍ଶ ଆଜି ମଧ୍ୟ ଓଡ଼ିଶାବାସୀଙ୍କ ମନରେ ଅମର ହୋଇ ରହିଛି ଏବଂ ନୂତନ ପିଢ଼ିକୁ ସଦା ପ୍ରେରଣା ଦେଇଆସୁଛି। କିନ୍ତୁ ପ୍ରଥମ ଥର ପାଇଁ ଗାଁ ମାଟିକୁ ଆସି ମା ପାର୍ବତୀ ଗିରିଙ୍କର ଶତବାର୍ଷିକୀ ପାଳନ କରୁଛନ୍ତି ସରକାର ସେନେଇ ତାଙ୍କ ନାତି ଓ ପରିବାର ବର୍ଗ ବେଶ୍ ଖୁସି ଅନୁଭବ କରିଛନ୍ତି।

ସେବା, ତ୍ୟାଗ , ବଳିଦାନ ଓ ତପସ୍ୟାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବହ୍ନି କନ୍ୟା ପାର୍ବତୀ ଗିରି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଭାରତ ବର୍ଷର ଅନ୍ୟତମ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସୋମବାର ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ଜନ୍ମ ମାଟି ବିଜେପୁର ବ୍ଲକ୍ ସମଲେଇ ପଦର୍ ଗାଁରେ ପହଁଚିଥିଲେ।

ପାର୍ବତୀ ଗିରି ରହୁଥିବା କୋଠରୀ ଯାଇ ଘର ଲୋକଙ୍କୁ ସାକ୍ଷାତ କରି କହିଥିଲେ ଯେ ସ୍ଵାଧୀନତା ସଂଗ୍ରାମରେ ତଥା ସ୍ଵାଧୀନ ଭାରତବର୍ଷର ପରବର୍ତ୍ତୀ ସମୟରେ ସେବାର ପ୍ରତୀକ ପାର୍ବତୀ ଗିରିଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ସୋମବାର ଏକାମ୍ବ୍ର ଛକ ରୁ ବିଜେପୁର ରାସ୍ତାକୁ ପାର୍ବତୀ ଗିରିଙ୍କ ନାମରେ ନାମିତ କରି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ୍ କୁମାର ଗଡ଼ତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବହୁ ସଂଖ୍ୟକ ଜନ ସାଧାରଣ ଉପସ୍ଥିତ ଥିଲେ।